ପୁଣି କରୋନା କଟକଣା ଭାଙ୍ଗିଲେ ବିଜେପି ନେତା,କଟକରେ ଜନ ସମ୍ବାଦ ରାଲିରେ ନିୟମ ଚୁଲିକୁ ଗଲା

କଟକ: ବଢିବାରେ ଲାଗିଛି କରୋନାର ସର୍ବଗ୍ରାସୀ କାୟା । ସାଧାରଣ ଲୋକଙ୍କଠାରୁ ନେତାଙ୍କ ଯାଏଁ କେହି ବର୍ତ୍ତୁନାହାନ୍ତି । ତେଣୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳମତ ନିର୍ବିଶେଷରେ ସବୁ ନେତା କୋଭିଡ ନିୟମ ପାଳନକୁ ଗୁରୁତ୍ୱ ଦେଉଛନ୍ତି । ହେଲେ ବିଜେପି ନେତାମାନେ ରାଜନୀତି ପାଇଁ ସବୁ ନିୟମକୁ ଫୁଃ କରି ଉଡାଇଦେଉଛନ୍ତି । ଆଜି ମଧ୍ୟ କଟକରେ ବିଜେପି ନେତା ଭାଙ୍ଗିଛନ୍ତି କୋଭିଡ କଟକଣା । କରୋନା ମହାମାରୀ ପାଇଁ କଟକ ସଟଡାଉନ ଥିବା ବେଳେ ସିଡିଏ ସେକ୍ଟର ୧୩ ଅଂଚଳରେ ବାରବାଟୀ କଟକ ବିଜେପି ପକ୍ଷରୁ ଜନ ସମ୍ବାଦ ରାଲି ଆୟୋଜନ କରାଯାଇଥିଲା।

CTC BJP Rally

ମୁଣ୍ଡାସାହି ବସ୍ତି ଅଞ୍ଚଳରେ ଏହି ସଭା ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କ ଉପସ୍ଥିତରେ ଆୟୋଜନ କରାଯାଇଥିଲା । ପୋଲିସ ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ଫୋର୍ସ ସହ ପହଞ୍ଚି ଥିଲା । ସଭା ପାଇଁ ହୋଇଥିବା ଟେଣ୍ଟକୁ ତୁରନ୍ତ ଖୋଲିବା ସହିତ ସଭା ସରଞ୍ଜାମ ବୋଝେଇ ଗାଡିକୁ ପୋଲିସ ଅଟକ ରଖିଛି । ପୂର୍ବରୁ ବିଜେପିର ବହୁ ବରିଷ୍ଠ ନେତା କୋଭିଡ୍ ନିୟମ ଭାଙ୍ଗିଥିଲେ  ।

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ପ୍ରଭାତୀ ପରିଡା ଗତକାଲି କରୋନା ମହାମାରୀ ସମୟରେ ସବୁ ପ୍ରକାର ନିୟମକୁ ଦଳିଚକଟି ଦଳବଳ ଧରି ମାଲକାନଗିରି ବୁଲିଥିଲେ । କେବଳ ମାସ୍କ ପିନ୍ଧି ଦେଲେ ସାମାଜିକ ଦୂରତା ନିୟମ ରକ୍ଷା ହୁଏନି; ଦୁଇ ଗଜ ଦୂରତା ଏବଂ କମ ସଂଖ୍ୟକ ଲୋକ ଏକାଠି ହେବା ମଧ୍ୟ ଏକ ବଡ଼ ନିୟମ । ବୋଧହୁଏ ରାଜନୈତିକ ଫାଇଦା ହାସଲ ପାଇଁ ବ୍ୟାକୁଳ ବିଜେପି ନେତାମାନେ କୌଣସି ପ୍ରକାର ନିୟମ ମାନିବାକୁ ପ୍ରସ୍ତୁତ ନୁହନ୍ତି ।

AMANIA-APARAJITA

କିଛିଦିନ ତଳେ ଅପରାଜିତା ରାଜନୈତିକ ସଭା ସମିତି କରି ଜାଣିଶୁଣି କୋଭିଡ୍‌ ପାଇଁ ଜାରି ହୋଇଥିବା କେନ୍ଦ୍ରୀୟ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା । ଏବଂ ଏନେଇ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ତେବେ ଏସବୁ ସତ୍ତ୍ୱେ ରାଜ୍ୟ ବିଜେପି ନେତା ଓ କର୍ମୀ ଚେତୁ ନାହାଁନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୋଭିଡ୍‌ ସଂକ୍ରାନ୍ତୀୟ ଜାତୀୟ ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । କିନ୍ତୁ ତାଙ୍କ ଦଳ ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜନୈତିକ ସଭା ଜରିଆରେ ବାରମ୍ବାର କୋଭିଡ ନିୟମ ଉଲ୍ଲଂଘନ କରିବାରେ ଲାଗିଛନ୍ତି ।

(କଟକରୁ ଅଜୟ ଦାସ)

Leave a Reply