ସୂଚନା ଅଧିକାର କର୍ମୀଙ୍କୁ ହତ୍ୟାର ୪ ଦିନ ପରେ ବି ପୋଲିସର ହାତ ଖାଲି

1 min read

ବାଲିଗୁଡ଼ା: ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ମର୍ଡରକୁ ନେଇ ସସପେନ୍ସ । ଘରେ ଆଗରେ ଗୁଳି କରି ହତ୍ୟାର ୪ ଦିନ ପରେ ବି ଅପରାଧୀଙ୍କ ଟେର୍ ପାଇନି ପୋଲିସ । ସେପଟେ ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ଦାବିରେ ଆନ୍ଦୋଳନ ମୁଣ୍ଡ ଟେକୁଛି । ସ୍ଥାନୀୟ ଲୋକ ଆଜି ବାଟାଗୁଡ଼ାରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଗୋପାଳପୁର-ରାୟପୁର ଜାତୀୟ ରାଜପଥ-୫୯ରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି ।ଅନ୍ୟପଟେ ମୃତ ଅଭିମନ୍ୟୁ ପଣ୍ଡାଙ୍କ ପରିବାର ପ୍ରତି ବିପଦ ଥିବା ଅଭିଯୋଗ ହୋଇଛି । ଅପରାଧୀଙ୍କୁ ପୋଲିସ ନ ଧରିବା ଯାଏ ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକ ଜିଦ୍ ଧରିଛନ୍ତି । ପୋଲିସ ପ୍ରଶାସନ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।

ବାଲିଗୁଡ଼ାରେ ଚାଞ୍ଚଲ୍ୟ, ଘରୁ ଡାକି ଆଣି ସୂଚନା ଅଧିକାର କର୍ମୀଙ୍କୁ ଗୁଳି

ଗତ ୧୦ ତାରିଖ ସକାଳେ ୨ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଅଭିମନ୍ୟୁଙ୍କୁ ଘରୁ ଡାକି ଆଣି ଗୁଳି କରିଥିଲେ । ପରେ ଅଭିମନ୍ୟୁଙ୍କୁ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର, ମାର୍କେଟ କମ୍ପ୍ଲେକ୍ସକୁ ନେଇ ମର୍ଡର ସନ୍ଦେହରେ ପାତ୍ର ପରିବାରର ୪ ଭାଇଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ତେବେ, ସେମିତି କିଛି ସୁରାକ୍ ନ ମିଳିବାରୁ ସେମାନଙ୍କୁ ଛାଡ଼ି ଦେଇଛି । ତେବେ, ଘଟଣାକୁ ୧୦୦ ଘଣ୍ଟାରୁ ଉର୍ଦ୍ଧ୍ୱ ବିତିଥିଲେ ବି ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି ।

କିଏ ରଚିଲା ଅଭିମନ୍ୟୁଙ୍କ ପାଇଁ ଚକ୍ରବ୍ୟୁହ; ପୋଲିସ୍ ପଞ୍ଝାରେ ପାତ୍ର ପରିବାର

ଅଭିମନ୍ୟୁ ଜଣେ ସୂଚନା ଅଧିକାରୀ କର୍ମୀ ହୋଇଥିବାରୁ ମର୍ଡର ପଛରେ ଆରଟିଆଇ ତଥ୍ୟ ମାଗିବା କାରଣ କୁହାଯାଉଛି । ତେବେ, କିଏ ଓ କାହିଁକି କେଉଁ ତଥ୍ୟ ମାଗିବାରୁ ଅଭିମନ୍ୟୁଙ୍କୁ ହତ୍ୟା କଲା ? ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୋଲିସ କିଛି ବି ସୁରାକ୍ ନ ପାଇବା ସାଧାରଣରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି ।

https://nandighoshatv.comrti-activist-attacked-in-baliguda-kandhamal/

 

Leave a Reply