ବିସ୍ଥାପନର ୩ ବର୍ଷ ପରେ ବି ପୂରଣ ହେଉନି ପ୍ରତିଶ୍ରୁତି

after 3 years of displaces raiguda village not getting facilities

ଅନୁଗୁଳ(ସମରେଶ ନାଥ): ବାଘ ପାଇଁ ହୋଇଥିଲେ ବିସ୍ଥାପିତ । ହେଲେ ଗାଁ ଛାଡ଼ିବାର ୩ ବର୍ଷ ବିତିଥିଲେ ସୁଦ୍ଧା ପ୍ରଶାସନ ପ୍ରତିଶ୍ରୁତି ରକ୍ଷା କଲାନି । ଫଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଅନୁଗୁଳ ଜିଲ୍ଲା ରାଇଗୁଡ଼ା ବାସିନ୍ଦା । ମୌଳିକ ସୁବିଧା ଅଭାବରୁ ଝୁରି ହେଉଛନ୍ତି ନିଜ ଭିଟାମାଟି, ସବୁଜ କ୍ଷେତ ଓ ପୁରୁଣା ସ୍ମୃତି ।

ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ୨୦୧୭ ମସିହାରେ ୭୮ରୁ ଊର୍ଦ୍ଧ୍ୱ ପରିବାର ଭିଟାମାଟି ଛାଡିଥିଲେ । ୨୨ ଦଫା ଦାବି ପୂରଣ ପାଇଁ ପ୍ରଶାସନର ପ୍ରତିଶ୍ରୁତି ପରେ ଘରବାଡ଼ି ଛାଡି ନୂଆଁ ରାଇଗୁଡାକୁ ଚାଲି ଆସିଥିଲେ । ଏହାରି ଭିତରେ ବିସ୍ଥାପନକୁ ୩ ବର୍ଷ ବିତିଛି । ହେଲେ ପ୍ରତିଶ୍ରୁତି ମୁତାବକ ଚାଷ ପାଇଁ ଜମି କି ରହିବା ପାଇଁ ମିଳିନି ଖଣ୍ଡେ ପକ୍କା ଘର । ପ୍ରଶାସନ ଓ ବନ ବିଭାଗର ୨୪ ଘଣ୍ଟିଆ ପାଣି ଯୋଗାଣ ପାଣିର ଗାର ହୋଇଛି । ଟ୍ୟାପ୍‌ ଲାଗିଛି ହେଲେ ପାଣି ବାହାରୁନି । ନଳକୂଅରୁ ଗୋଳିଆ ପାଣି ପିଇବା ଉପଯୋଗୀ ନୁହେଁ । ତେଣୁ ପାହାଡ଼ ତଳି ଝରଣା ସାଜିଛି ଏକମାତ୍ର ଭରସା ।

ପୁରୁଣା ଗାଁରେ ଜମିବାଡ଼ି ଥିଲା । ଚାଷବାସ ସାଙ୍ଗକୁ ବନ ବିଭାଗର କାମ ବି ମିଳୁଥିଲା । ହେଲେ ଏବେ ଯେଉଁ ପାହାଡ଼ିଆ ଜମି ମିଳିଛି ସେଥିରେ ଶ୍ରାବଣ ମାସରେ ଦୂବ କଅଁଳୁନି । ଅସ୍ଥାୟୀ ଘର ସବୁ ଭାଙ୍ଗି ଗଲାଣି । ସୋଲାର ଲାଇଟ୍‌ ଗୁଡ଼ିକର ଅବସ୍ଥା ନକହିବା ଭଲ । ସୂନେଲି ସ୍ୱପ୍ନ ଦେଖାଇ ପ୍ରଶାସନ ଠକି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ ।

Leave a Reply