ବର୍ଜ୍ୟବସ୍ତୁ ପରିଚାଳନା ନିୟମ ନମାନିବାରୁ ୨ ଘରୋଇ ହସ୍ପିଟାଲ ସିଲ୍

ବାରିପଦା: ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ । ସିଲ୍ ହେଲା ବାରିପଦା ସହରରେ ଥିବା ୨ଟି ଘରୋଇ ହସ୍ପିଟାଲ । ନିୟମ ନମାନିବାରୁ ଜିଲ୍ଲା ପ୍ରଶାସନ ଦୁଇ ହସ୍ପିଟାଲକୁ ସିଲ୍ କରିଛି । ଏନେଇ ଟ୍ୱିଟ୍ କରି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସିଲ ହୋଇଥିବା ହସ୍ପିଟାଲ ହେଉଛି ବାରିପଦା ପୌରପାଳିକାରେ ଥିବା ଜୟା ହସ୍ପିଟାଲ ଏବଂ ଗାୟତ୍ରୀ ହସ୍ପିଟାଲ ।

ମହାମାରୀ କରୋନା ବ୍ୟାପୁଥିବା ବେଳେ ଘରୋଇ ହସ୍ପିଟାଲ ବର୍ଜ୍ୟବସ୍ତୁକୁ ଏଣେତେଣେ ଜମା କରୁଥିଲେ । ପରିବେଶ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଥିଲା । ଏଥିଯୋଗୁଁ କରୋନାର ଭୟାବହତା ଆଶଙ୍କା ମଧ୍ୟ ସୃଷ୍ଟି ହେଉଥିଲା । ଏନେଇ ପ୍ରଶାସନ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲା । ନଶୁଣିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବାରିପଦା ଉପଜିଲ୍ଲାପାଳ, ଉପଖଣ୍ଡ ପୋଲିସ ଅଧିକାରୀ ଓ ବାରିପଦା ତହସିଲଦାରଙ୍କ ମିଳିତ ଚଢ଼ାଉ କରି ସିଲ୍ କରି ୨ ଘରୋଇ ହସ୍ପିଟାଲକୁ ସିଲ୍ କରି ଦେଇଛନ୍ତି ।

(ବାରିପଦାରୁ ସୁବ୍ରତ କୁମାର ଦାସ)

Leave a Reply