ତିନି ରଥରେ ସମ୍ପନ୍ନ ହେଲା ଅଧରପଣା ନୀତି: ଆସନ୍ତାକାଲି ନୀଳାଦ୍ରି ବିଜେ

ପୁରୀ: ତିନି ରଥରେ ସମ୍ପନ୍ନ ହେଲା ଅଧରପଣା ନୀତି । ରଥରେ ଉପବିଷ୍ଟ ଚଣ୍ଡିଚାମୁଣ୍ଡି ଏବଂ ପାର୍ଶ୍ୱଦେବା ଦେବୀ ପାଇଲେ ଅଧରପଣା । ରଥାରୁଢ଼ ଦିଆଁମାନଙ୍କ ସ୍ୱତନ୍ତ୍ର ଶୈଳୀରେ ନିରମିତ ଅଧର ଉଚ୍ଚ ମାଟି ହାଣ୍ଡିରେ ଏହି ପଣା ଦିଆଯାଉଥିବାରୁ ଏହାକୁ ଅଧରପଣା କୁହାଯାଏ ।

ପଣାରେ ଲାଗୁଥିବା ସମସ୍ତ ସାମଗ୍ରୀ ପୁରୀର ବଡ଼ ଓଡ଼ିଆ ମଠ ଓ ରାଘବଦାସ ମଠ ଯୋଗାଇଥାନ୍ତି । ସିଂହଦ୍ୱାର ନିକଟସ୍ଥ କୂପରୁ ଅଧରପଣା ନୀତି ପାଇଁ ପାଣି ଆସିବା ପରେ ରଥରେ ଅବସ୍ଥାନ କରୁଥିବା ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଅଧରପଣା ଲାଗି ହୋଇଛି ।

Image

ତେବେ ଆସନ୍ତାକାଲି ଅନୁଷ୍ଠିତ ହେବ ନୀଳାଦ୍ରି ବିଜେ ନୀତି । ଶୃଙ୍ଖଳିତ ଭାବେ ଆଜି ସମସ୍ତ ନୀତିକାନ୍ତି ଶେଷ ହୋଇଥିବା ବେଳେ ଆସନ୍ତାକାଲି ମଧ୍ୟ ନୀଳାଦ୍ରିବିଜେ ନୀତି ଶୃଙ୍ଖଳିତ ଭାବେ କରିବା ନେଇ ସେବାୟତମାନେ ମତ ରଖିଛନ୍ତି |

ରଥ ଉପରେ ସନ୍ଧ୍ୟାଧୂପ ନୀତି ଶେଷ ପରେ ଚାରମାଳ ବନ୍ଧାଯାଇ ସିଂହାସନ ମାଜଣା କରାଯିବା ସହ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ଗୋଟି ପହଣ୍ଡିରେ ନୀଳାଦ୍ରିବିଜେ  ଅନୁଷ୍ଠିତ ହେବ । ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ପରେ ସୁଦର୍ଶନ, ବଳଭଦ୍ର, ମା’ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ରତ୍ନ ବେଦୀକୁ ବିଜେ କରିବା ପରେ ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଅନୁଷ୍ଠିତ ହେବ ।

ତେବେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବା ମାତ୍ରେ ଅଭିମାନିନୀ ମା’ ମହାଲକ୍ଷ୍ମୀ ଚାହାଣୀ ମଣ୍ଡପକୁ ବିଜେ କରିବା ସହ ସେଠାରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ଅଭିମାନିନୀ ମା’ ଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ଦେଇ ମହାପ୍ରଭୁ ମାନଭଞ୍ଜନ କରିବାର ଵିଧି ରହିଥିବାରୁ ଆସନ୍ତାକାଲି ମଧ୍ୟ ଶ୍ରୀଜିଉଙ୍କ ନିକଟରେ ରସଗୋଲା ଭୋଗ କରାଯିବ ।

Leave a Reply