ୱେବିନାର ଜରିଆରେ ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ଦାବିକୁ ସୁଦୃଢ କରାଇଲେ ବାବୁଶାନ୍ ,ଓଲିଉଡ୍ ଷ୍ଟାରଙ୍କ ପ୍ରୟାସକୁ ସବୁ ମହଲରେ ସ୍ୱାଗତ

ଭୁବନେଶ୍ୱର : ମେଜର ଧ୍ୟାନଚାନ୍ଦ ବିଶ୍ୱ ହକି ଜଗତର ସବୁଠୁ ଉଜ୍ଜଳତମ ତାରକା । । ଅବିଭକ୍ତ ଭାରତ ତଥା ବ୍ରିଟିଶ ଇଣ୍ଡିଆରୁ ପ୍ରତିନିଧିତ୍ୱ କରି ଅଲମ୍ପିକରେ ଏକାଧିକ ସ୍ୱର୍ଣ୍ଣ ଭେଟି ଦେଇଥିବା ଖେଳାଳି । ୧୯୨୮, ୧୯୩୨ ଏବଂ ୧୯୩୬ରେ ଲଗାତର ସ୍ୱର୍ଣ୍ଣ ପଦକ ହାତେଇଥିଲା ଭାରତ । ଏହି ହ୍ୟାଟ୍ରିକ ବିଜୟରେ ସବୁଠୁ ବଡ଼ ଯୋଗଦାନ ରହିଥିଲା ମେଜର ଧ୍ୟାନ ଚାନ୍ଦଙ୍କର । ଆହ୍ଲାବାଦର ଏକ ରାଜପୂତ ପରିବାରରେ ୧୯୦୫ ମସିହା ଅଗଷ୍ଟ ୨୯ରେ ଜନ୍ମ ଗ୍ରହଣ କରିଥିଲେ ମେଜର ଧ୍ୟାନଚାନ୍ଦ । ହକି ଷ୍ଟିକ ଜରିଆରେ ଦୀର୍ଘ ସମୟ ଧରି ବଲ ରଖିବାର କ୍ଷମତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥିଲା । ୧୯୨୬ରୁ ୧୯୪୯ ମଧ୍ୟରେ ବ୍ରିଟିଶ ଇଣ୍ଡିଆ ଏବଂ ଭାରତୀୟ ହକି ଦଳର ପ୍ରତିନିଧିତ୍ୱ କରି ପଡିଆରେ ଗୋଲ ବର୍ଷା କରିଥିଲେ ଧ୍ୟାନଚାନ୍ଦ ।

ଭାରତର ଏହି ସର୍ବକାଳୀନ ଶ୍ରେଷ୍ଠ ହକି ଖେଳାଳିଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯିବାର ଦାବି ଉଠିଛି । ଏ ଦାବି ବହୁତ ପୁରୁଣା, ହେଲେ ଜାତୀୟ କ୍ରୀଡା ଦିବସ ଆସିଲେ ଖବରକୁ ଆସିଥାଏ ଏହି ଦାବି । ପ୍ରାୟ ବର୍ଷକ ତଳେ ମେଜର ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଆରମ୍ଭ କରାଯାଇଥିଲା ଏକ ଡିଜିଟାଲ କ୍ୟାମ୍ପେନ । ଏହାର ସୂତ୍ରଧର ଥିଲେ ତରୁଣ ଉଦ୍ୟୋଗୀ ଜୋୟୀତା ରୟ ଏବଂ ପ୍ରତୀକ କୁମାର ମିଶ୍ର । ଏହାକୁ ଆଗକୁ ବଢାଇଥିଲେ କ୍ରିକେଟ ତାରକା ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ଅଭିନେତ୍ରୀ ରଚେଲ ହ୍ୱାଇଟ । ହେଲେ ଏହି କ୍ୟାମ୍ପନର ରହିଛି ଏକ ଓଡ଼ିଶା କନେକ୍ସନ । ଓଲିଉଡର ସୁପର ଆଣ୍ଡ ସାଇନିଂ ଷ୍ଟାର ବାବୁଶାନ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ବାବୁଶାନ କରିଥିବା ପ୍ରୟାସ ଏହି ଦାବିକୁ ଆହୁରି ଦୃଢ କରିବ ବୋଲି ଆଶା କରାଯାଉଛି । ନିକଟରେ ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ମିଳିବା ଦାବିକୁ ନେଇ ହୋଷ୍ଟ କରିଥିଲେ ଏକ ୱେବିନାର । ଆଉ ଏଥିରେ ଯୋଗ ଦେଇଥିଲେ ଲିଭିଂ ହକି ଲିଜେଣ୍ଡ ଗୁରବକ୍ସ ସିଂ, ହରବିନ୍ଦର ସିଂ, ଅଶୋକ କୁମାର ଧ୍ୟାନଚାନ୍ଦ ଏବଂ ଯୁବ ତାରକା ଯୁବରାଜ ବାଲ୍ମିକୀ । ନିକଟରେ ଆୟୋଜିତ ହୋଇଥିବା ଏକ ୱେବିନାରରେ ବାବୁଶାନ୍ ସଞ୍ଚାଳକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ପୂର୍ବତନ ହକି ତାରକା ଏବଂ ଯୁବ ତାରକାକୁ ନେଇ ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ଦାବିକୁ ଆଗକୁ ବଢାଇଛନ୍ତି । ବାବୁଶାନ୍ ଙ୍କ ଏହି ପ୍ରୟାସକୁ ସାରା ଦେଶର ହକି ଜଗତ ଏବଂ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି ।

 

ମେଜର ଧ୍ୟାନଚାନ୍ଦ ୧୧୫ ତମ ଜନ୍ମଦିନର ସମାନ ସାତଦିନ ପୂର୍ବରୁ କରାଯାଇଥିବା ଏହି ୱେବିନାରରେ ବହୁ ଉପାଦେୟ ବିଷୟ ସମ୍ପର୍କରେ ହୋଇଥିଲା ଆଲୋଚନା । ୯୦ ମିନିଟରେ ଏହି ଆଲୋଚନା ପ୍ରାୟ ସମସ୍ତ ଆଲୋଚକ ହୋଇଥିଲେ ଭାବୁକ । ଅର୍ଜୁନ ପୁରସ୍କାର ବିଜେତା ଗୁରୁବକ୍ସ ସିଂ କହିଥିଲେ ଯେ, ୧୯୬୪ ମସିହାରେ ଅଲମ୍ପିକ ସ୍ୱର୍ଣ୍ଣ ମେଡାଲ ଜିତିବା ପରେ ତ୍ରିରଙ୍ଗା ପତାକା ଅନ୍ୟ ସମସ୍ତ ଦେଶର ପତାକାଠାରୁ ଯଥେଷ୍ଟ ଉଚ୍ଚାରେ ଉଡିଥିଲା । ଜାତୀୟ ପତାକା ଝଲକ ସାଙ୍ଗକୁ ଷ୍ଟାଡିୟମରେ ଗୁଜଂରିତ ହୋଇଥିଲା ଜନଗଣମନ , ଯ଼ାହାକୁ ଭୁଲିବା ଅସମ୍ଭବ । ଭାରତୀୟ ଭାବେ ସେହି ଦିନ ଲାଗିଥିଲା ଗର୍ବ । ସେହିପରି ଅଲମ୍ପିଆନ ଅଶୋକ ଭାରତୀୟ ହକିର ଗୋଲ୍ଡେନ ଏରା ସମ୍ପର୍କରେ ମତ ରଖିଥିଲେ । ଏହି ସବୁ ଆଲୋଚନାରେ ଧ୍ୟାନଚାନ୍ଦ ଯେ ଭାରତୀୟ ହକି ଜଗତର ସର୍ବକାଳୀନ ଶ୍ରେଷ୍ଠ , ତାହା ହିଁ ସ୍ପଷ୍ଟ ହୋଇଥିଲା । ତେଣୁ ଭାରତ ବର୍ଷର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଧ୍ୟାନଚାନ୍ଦଙ୍କୁ ପ୍ରଦାନ କରାଯାଉ ବୋଲି ୱେବିନାରରେ ସହମତି ଆସିଥିଲା । ଅନ୍ୟମାନଙ୍କ ମଧ୍ୟରେ ଯୁବ ତାରକା ଯୁବରାଜ ବାଲ୍ମିକୀ ଧ୍ୟାନଚାନ୍ଦ ବିଷୟବସ୍ତୁକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବା ପାଇଁ ମତ ରଖିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ ହକି ଦଳ ପ୍ରଦର୍ଶନ ଉନ୍ନତ ମାନର ରହିଥିବା ହରବିନ୍ଦର ସିଂ ମତ ରଖିଥିଲେ । ୨୦୨୧ରେ ଟୋକିଓରେ ହେବାକୁ ଥିବା ଅଲମ୍ଫିକରେ ସେମିଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଦରକାର ବୋଲି ସେ ମତ ରଖିଥିଲେ । ଏହି ଆଲୋଚନା ଶେଷରେ ବାବୁଶାନ ଅଂଶଗ୍ରହଣ କରିଥିବା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଜଣାଇବା ସହ ଯୋଡି ହୋଇଥିବା ଲୋକଙ୍କୁ ସାଧୁବାଦ ଜଣାଇଥିଲେ ।

Leave a Reply