ସଞ୍ଜୟଙ୍କ ଜନ୍ମଦିନରେ ଜାଣନ୍ତୁ ବିବାହ ପୂର୍ବରୁ କେଉଁ ଦୁଇ ଅଭିନେତ୍ରୀଙ୍କ ସହ ଥିଲା ସମ୍ପର୍କ…

ମୁମ୍ବାଇ: ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା ଏବଂ ନିର୍ମାତା ହେଉଛନ୍ତି ସଞ୍ଜୟ କପୁର । ସେ ଷ୍ଟାର ପ୍ଲସରେ ପ୍ରସାରିତ ‘ଦିଲ୍ ସମ୍ଭଲ୍ ଜା ଜରା’ ସହିତ ବଲିଉଡର ହିଟ୍ ଫିଲ୍ମ ‘ରାଜା’ରେ ଅନନ୍ତ ମାଥୁର୍ ଭାବରେ ଅଭିନୟ ପାଇଁ ସେ ବେଶ୍ ଚର୍ଚ୍ଚିତ । ୧୯୬୫ ମସିହା ଅକ୍ଟୋବର ୧୭ ତାରିଖ ମହାରାଷ୍ଟ୍ରରରେ ଜନ୍ମ ହୋଇଥିଲେ ସଞ୍ଜୟ କପୁର । ଆଜି ଅଭିନେତାଙ୍କର ଜନ୍ମଦିନ । ସେ ନିର୍ମଳା କପୁର ଏବଂ ଚଳଚ୍ଚିତ୍ର ନିର୍ମାତା ସୁରିନ୍ଦର୍ କପୁରଙ୍କ ସୁପୁତ୍ର । ତାଙ୍କର ତିନି ବଡ ଭାଇ ଅଛନ୍ତି । ସେମାନେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ପରିଚିତ । ସେମାନେ ହେଉଛନ୍ତି ବୋନି କପୁର, ଅନିଲ କପୁର ଏବଂ ରେନା ମାରୱା । ସେ ଅଭିନେତ୍ରୀ ମହେପ ସାନ୍ଧୁଙ୍କୁ ୧୯୯୭ ରେ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି, ଶନାୟା ଏବଂ ଜାହାନ କପୁର ।

ପତ୍ନୀ ମହେପ ସାନ୍ଧୁଙ୍କ ସହ ସଞ୍ଜୟ କପୁର ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ । ସେମାନଙ୍କ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ନିର୍ମିତ ଡେବ୍ୟୁ ଚଳଚ୍ଚିତ୍ରଟି ଥିଲା ‘ତେଓ୍ୱର୍’ ।  ୧୯୯୫ ମସିହାରେ ନିର୍ମିତ ହିନ୍ଦୀ ସିନେମା “ପ୍ରେମ”ରେ କପୁର ବଲିଉଡରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ । ଟେଲିଭିଜନ୍ ଦୁନିଆରେ ସଞ୍ଜୟ କପୁର ୨୦୦୩ ମସିହାରେ କ୍ରିଷ୍ଣା ଧାରାବାହିକରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ।

ମହେପଙ୍କୁ ବିବାହ କରିବା ପୂର୍ବରୁ ସଞ୍ଜୟ କପୁର ଅଭିନେତ୍ରୀ ତବ୍ବୁ ଏବଂ ସୁସ୍ମିତା ସେନଙ୍କ ସହ ରିଲେସନଶିପରେ ଥିଲେ। ୧୯୯୫ ମସିହାରେ ଚଳଚ୍ଚିତ୍ର “ପ୍ରେମ”ରେ ସଞ୍ଜୟଙ୍କ ବିପକ୍ଷରେ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ପରେ ଦୁହେଁ ପରସ୍ପରଙ୍କ ସହ ଅଧିକ ସମୟ ବିତାଉଥିଲେ । ଏହା ବ୍ୟତୀତ ସଞ୍ଜୟ ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ, ତବୁ ତାଙ୍କର ପ୍ରଥମ କ୍ରସ୍ ।

ରିପୋର୍ଟ ଅନୁସାରେ ସଞ୍ଜୟ ଲମ୍ବା ଯୁବତୀମାନଙ୍କୁ ପସନ୍ଦ କରୁଥିଲେ। ତବୁଙ୍କ ପରେ ତାଙ୍କ ନାଁ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ମଧ୍ୟ ଯୋଡା ଯାଇଥିଲା । ଫିଲ୍ମ “ସିର୍ଫ ତୁମ୍” ସୁଟିଂ ସମୟରେ ସୁସ୍ମିତା ସେନଙ୍କ ପ୍ରେମରେ ପଡିଥିଲେ ଏହି ଅଭିନେତା । ଉଭୟ କିଛି ସମୟ ପରସ୍ପରକୁ ଡେଟ କରିବା ପରେ ଅଲଗା ହୋଇଯାଇଥିଲେ । ସୁସ୍ମିତାଙ୍କ ସହ ବ୍ରେକଅପ୍ ପରେ ସଞ୍ଜୟ ମହେପଙ୍କୁ ଭେଟିଥିଲେ । ପରେ ତାଙ୍କ ପ୍ରେମରେ ପଡି ସେ ତାଙ୍କୁ ବିବାହ କରିଥିଲେ । ସଞ୍ଜୟ ପ୍ରଥମେ ଦିଲ୍ଲୀରେ ମହେପଙ୍କୁ ଭେଟିଥିଲେ। ମହେପଙ୍କୁ ଦେଖିବା ପରେ ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଆତ୍ମବିଶ୍ୱାସ ଦେଖି ତାଙ୍କୁ ପସନ୍ଦ କରିଥିଲେ । ଏହା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ସଞ୍ଜୟ ତାଙ୍କ କ୍ୟାରିୟରେ ୩୭ ଟି ଚଳଚ୍ଚିତ୍ର ଏବଂ ୫ଟି ଟେଲିଭିଜିନ୍ ଧାରାବାହିକରେ ଅଭିନୟ କରିଛନ୍ତି । ସେ ତେଭର୍, କ୍ୟା ଟାଇମ୍ ହେ ୟାର୍ ଭଳି ୨ଟି ସିନେମାରେ ପ୍ରଯୋଜକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଜଣେ ଅଭିନେତା ଭାବେ ସେ ବିଭିନ୍ନ ସଂସ୍ଥା ଓ ସାଂସ୍କୃତିକ ସଂଗଠନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ସଞ୍ଜୟଙ୍କ ଜନ୍ମଦିନ ଉପଲକ୍ଷେ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟୁଛି ।

Leave a Reply