ସୋସିଆଲ ମିଡିଆରେ ଚର୍ଚ୍ଚା, ବିଜେପି ଛାଡ଼ିବେ ସିନ୍ଧିଆ ! ହେଲେ କିଏ ଆରମ୍ଭ କରିଛି ଆଲୋଚନା….?

1 min read
Jyotiaditya-Scindia

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗଦେବାର ମାତ୍ର ଦୁଇ ମାସ ପରେ କଂଗ୍ରେସକୁ ଫେରିବା ନେଇ ଯୋଜନା କରୁଛନ୍ତି କି ? ସୋସିଆଲ ମିଡିଆରେ ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିଛି । ଏକ ଜାତୀୟ ଗଣମାଧ୍ୟମ ନାଁରେ ଖୋଲାଯାଇଥିବା ଟୁଇଟର ହ୍ୟାଣ୍ଡେଲରେ ଏଭଳି କିଛି ପୋଷ୍ଟ କରାଯିବା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଟୁଇଟରେ ଲଖାଥିଲା ଯେ, ସୋମବାର ମଧ୍ୟରେ ବିଜେପି ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେଥିରେ ଆହୁରି ଲେଖା ଅଛି ଯେ, ସିନ୍ଧିଆ କହିଛନ୍ତି ‘ମନ୍ତ୍ରୀ ପଦ ଦିଅ ନଚେତ୍‌ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ । ଶିବରାଜଙ୍କ ଯୋଗୁଁ ସମ୍ମାନ ହରାଇଲି ଏବଂ କିଛି ଫାଇଦା ମଧ୍ୟ ହେଲା ନାହିଁ । ମାମୁଁ ଏବଂ ମୋଦି ଦୁହେଁ ମିଶି ମତେ ଫଶାଇଛନ୍ତି’ ।

ଏହି ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଟ୍ୱିଟରକୁ ୧୧ ହଜାରରୁ ଅଧିକ ଉପଭୋକ୍ତା ଲାଇକ୍‌ କରିଛନ୍ତି ଏବଂ ୨୭ ଶହରୁ ଅଧିକ ଥର ଏହାକୁ ରି-ଟ୍ୱିଟ୍‌ କରାଯାଇଛି । ସୋସିଆଲ ମିଡିଆ ଉପଭୋକ୍ତା ଭାବୁଛନ୍ତି ଯେ, ଏହା ଏକ ନ୍ୟୁଜ୍ ଚ୍ୟାନେଲର ଟ୍ୱିଟର । ଅନେକ ୟୁଜର୍ସ ଏହାକୁ ଫେସବୁକରେ ମଧ୍ୟ ସେୟାର କରିଛନ୍ତି ।

ତେବେ ଏହି ଖବରଟି ଯେଉଁ ଟ୍ୱିଟର ହାଣ୍ଡେଲରେ ପୋଷ୍ଟ କରାଯାଇଥିଲା ତାହା ଏକ ଫେକ୍‌ ଆକାଉଣ୍ଟ ବୋଲି ସ୍ପଷ୍ଟ ଜଣାପଡ଼ିଛି । ତାହା କୌଣସି ଜାତୀୟ ଗଣମାଧ୍ୟମ ଦ୍ୱାରା ପ୍ରେରିତ ହେଉନାହିଁ । ଏହି ଟ୍ୱିଟର ଆକାଉଣ୍ଟରେ ସ୍ପଷ୍ଟ ଲେଖା ଅଛି ଯେ, ତାହା ଫର୍ଜି ଏବଂ ପାଇରେଟେଡ୍‌ ଆକାଉଣ୍ଟ ବୋଲି ।


ମାର୍ଚ୍ଚ ୧୧ରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ଯୋଗ ଦେଇଥିଲେ । ସାଂସଦ ସିନ୍ଧିଆ ଏହା ପୂର୍ବରୁ ୧୮ ବର୍ଷ ଧରି କଂଗ୍ରେସରେ ରହିଥିଲେ । ଦଳରେ ବିଭିନ୍ନ ମତଭେଦ ଥିବାରୁ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।

Leave a Reply