ଦୁଷ୍କର୍ମ କଲେ, କୋର୍ଟରେ ମୁହଁ ଖୋଲିବାରୁ ଏସିଡ୍‌ ଫିଙ୍ଗିଲେ

ମୁଜାଫରନଗର: ଦେଶରେ ଏବେ ଦୁଷ୍କର୍ମକୁ ନେଇ ସଡ଼କରୁ ସଂସଦ ସବୁଠି ହୋହଲ୍ଲା । ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ପଲ୍ଲୀରୁ ଦିଲ୍ଲୀ ସବୁଠି ସ୍ୱର ଉଠିଛି । କିନ୍ତୁ, ଏତେସବୁ ପରେ ବି ବଦଳୁନି ଘୃଣ୍ୟ ମାନସିକତା । ବଢ଼ିଚାଲିଛି ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ । ହାଇଦ୍ରାବାଦରେ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ପରେ ବି ସୁଧୁରୁ ନାହାନ୍ତି । ଉତ୍ତର ପ୍ରଦେଶର ମୁଜାଫରନଗରରେ ସାମନାକୁ ଆସିଛି ଆଉ ଏକ ଭୀବତ୍ସ ଚିତ୍ର ।

ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଘରେ ପଶି ଏସିଡ୍ ମାଡ଼ କରିଛନ୍ତି ଦୁଷ୍କର୍ମକାରୀ । ବହୁଚର୍ଚ୍ଚିତ ଉନ୍ନାଓ ପୀଡ଼ିତାଙ୍କୁ ଜାଳିଦେବା ଘଟଣାର ଦିନକ ପୂର୍ବରୁ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି । ପୀଡ଼ିତା ଜଣଙ୍କ ଦୁଷ୍କର୍ମ ନେଇ ଅଭିଯୋଗ କରିବାରୁ ଏସିଡ୍ ଫିଙ୍ଗି ଦେଇଛନ୍ତି ଦେହ ରାକ୍ଷସ । ପୀଡ଼ିତା କୋର୍ଟରେ ଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ । ତାଙ୍କୁ କୋର୍ଟରୁ କେସ ଉଠାଇବା ପାଇଁ ଦୁଷ୍କର୍ମକାରୀ ଧମକ ଦେଇଥିଲେ ।

କିନ୍ତୁ, ପୀଡ଼ିତା କଥାକୁ ଖାତିର ନକରିବାରୁ ବୁଧବାର ରାତିରେ ଘରେ ପଶି ଏସିଡ୍‌ ମାଡ଼ କରିଛନ୍ତି ଦୁଷ୍କର୍ମକାରୀ । ଏନେଇ ପୋଲିସରେ ଅଭିଯୋଗ ହୋଇଛି । ୪ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ପୋଲିସ ଖୋଜୁଛି । ଏସିଡ୍‌ ମାଡ଼ରେ ପୀଡ଼ିତାଙ୍କ ଶରୀରର ୩୦ ପ୍ରତିଶତ ପୋଡ଼ି ଯାଇଛି । ମୀରଟର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି ।

Leave a Reply