ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା; ୩ ମୃତ ୩୨ ଆହତ

ସୁବର୍ଣ୍ଣପୁର/ବାଲିଗୁଡ଼ା/ଜଳେଶ୍ୱର/ଭଦ୍ରକ: ଟ୍ରକ୍‌ ଚାପାରେ ଚାଲିଗଲା ଅବକାରୀ କନଷ୍ଟେବଳଙ୍କ ଜୀବନ । ସୁବର୍ଣ୍ଣପୁରର ମହାନଦୀ ସେତୁ ଉପରେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଅବକାରୀ କନଷ୍ଟେବଳ ସଞ୍ଜିବ କର୍ମୀ ବୀରମହାରାଜପୁରରୁ ସୁବର୍ଣ୍ଣପୁର ଆସୁଥିଲେ । ବ୍ରିଜ ଉପରେ ରାସ୍ତା କାମ ଚାଲିଥିବାରୁ ଚିପ୍ସ, ବାଲି ପଡ଼ିରହିଥିଲା । ଯେଉଁଠାରେ ସଂପୃକ୍ତ ଠିକା ସଂସ୍ଥା ରାସ୍ତାରେ ଡିଭାଇଡର କିମ୍ବା କୌଣସି ପ୍ରକାର ସୂଚକ ଦେଇ ନଥିଲେ । ଯାହାଫଳରେ ସଞ୍ଜିବଙ୍କ ବାଇକ୍‌ ଚିପ୍ସରେ ସ୍ଲିପ୍‌ କରିଥିଲା । ସେହି ସମୟରେସଞ୍ଜିବଙ୍କ ପଛରେ ଆସୁଥିବା ଟ୍ରକ୍‌ ତାଙ୍କୁ ଚାପି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ଆର.ଟି.ଓ. ଅଫିସକୁ ଲାଇସେନ୍ସ ପାଇଁ ଯାଉଥିବାବେଳେ ଚାପି ଦେଲା ଟ୍ରକ୍‌ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଘଟିଛି ଏଭଳି ଘଟଣା । ରାଣୀତାଲ ଛକ ନିକଟରେ ରାସ୍ତା ଅତିକ୍ରମ ବେଳେ ପଛପଟୁ ଟ୍ରକ୍‌ ଆସି ତାଙ୍କ ଉପରେ ଚଢ଼ାଇ ଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ପୋଲିସ  ଶବକୁ ଜବତ କରିବା ସହ ଲୋକଙ୍କୁ ନିୟନ୍ତ୍ରଣ କରିଛି ।

ସେପଟେ ଜଳେଶ୍ୱର ଥାନା ତାଳବଣିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତାଳବଣିଆ ଛକରେ ଛିଡା ହୋଇଥିବା ଜଣେ ସାଇକେଲ ଆରୋହୀଙ୍କୁ ପିକଅପ୍ ଭ୍ୟାନ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପଟେ କନ୍ଧମାଳ ଜିଲ୍ଲା କୋଟଗଡ଼ରେ ମଧ୍ୟ ସଡ଼କ ଦୁର୍ଘଟଣା । କୋଟଗଡ଼ ଥାନା ମଦାଙ୍ଗି ଘାଟିରେ ଟାଟା ମ୍ୟାଜିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୨୦ଜଣ ଆହତ ହୋଇଥିବା ବେଳେ ୧୦ଜଣ ଗୁରୁତର ଥିବା ଜଣାପଡିଛି । ଆହତମାନଙ୍କୁ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave a Reply