କରୋନା ଅନେକ କାଳଜୟୀ ସିନେମା ସୃଷ୍ଟି ପାଇଁ ପ୍ରେରଣା ଯୋଗାଇବ : ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର

1 min read

ଭୁବନେଶ୍ୱର : ସବୁ ମାୟାରେ ବାୟା, ଭୂଖା, ଜୟ ଜଗନ୍ନାଥ, ଆଦିମ ବିଚାର, ଶଲାବୁଢା ଏବଂ ପାହାଡ଼ର ଲୁହ ଭଳି ମୌଳିକ ସିନେମା ଭେଟି ଦେଇଥିବା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ବଡ଼ ପରଦାରେ ଓଡ଼ିଶାର ଜନଜୀବନକୁ ନିଚ୍ଛକ ଭାବେ ପ୍ରତିଫଳିତ କରିବାରେ ଜଣେ ସିଦ୍ଧହସ୍ତ ସିନେ ଶିଳ୍ପୀ । ବ୍ୟବସାୟିକ ସିନେମା ହେଉ କି ମୌଳିକ ସିନେମା, ଉଭୟ ତାଙ୍କ ପାଇଁ ଆଣି ଦେଇଛି ଜାତୀୟ ଏବଂ ଆର୍ନ୍ତଜାତୀୟସ୍ତରର ପ୍ରସିଦ୍ଧି । ସବୁ କ୍ଷେତ୍ର ପରି କରୋନା ମଧ୍ୟ ମନୋରଞ୍ଜନ ଦୁନିଆକୁ କରିଛି ବହୁଳ ପ୍ରଭାବିତ । କରୋନା ପରବର୍ତ୍ତୀ ସିନେ ଦୁନିଆ, ଓଡ଼ିଆ ସିନେମାର କିଛି କଥାକୁ ନେଇ ମତ ରଖିଛନ୍ତି ସବ୍ୟସାଚୀ । ତାଙ୍କ ସହ ହୋଇଥିବା ଆଳାପର କିଛି ଅଂଶ ଏଠାରେ ପ୍ରଦାନ କରାଗଲା ।

୧. କରୋନା ସମୟରେ ମନୋରଞ୍ଜନ ଦୁନିଆ କେଉଁ ଭଳି ପ୍ରଭାବିତ ହୋଇଛି ?

ଉତ୍ତର- ସାରା ବିଶ୍ୱରେ ମନୋରଞ୍ଜନ ଦୁନିଆ ପ୍ରଭାବିତ ହୋଇଛି । ହଲିଉଡଠାରୁ ଆରମ୍ଭ କରି ଆଞ୍ଚଳିକ ସିନେମା ଶିଳ୍ପ । ସମସ୍ତେ ପ୍ରଭାବିତ ହୋଇଛନ୍ତି । ସିନେମା କହିଲେ କେବଳ ଅଭିନେତା କିମ୍ବା ନିର୍ଦ୍ଦେଶକଙ୍କୁ ବୁଝାଇ ନ ଥାଏ । ହଜାର ହଜାର ସଂଖ୍ୟାରେ ଲୋକ ବିଭିନ୍ନ କ୍ଷେତ୍ରରେ କାମ କରିଥାଆନ୍ତି । ଯେପରି ଲାଇଟବୟ,ସ୍ପଟ ବୟ ଇତ୍ୟାଦି । ସେମାନେ ତ ରୋଜଗାର ପାଇଁ ସିନେମା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ସେହି ଶ୍ରେଣୀର ବ୍ୟକ୍ତିବିଶେଷମାନେ ଏଥିରେ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି ।

୨. କରୋନା ଦ୍ୱାରା ଆଞ୍ଚଳିକ ସିନେମା କେତେମାତ୍ରାରେ ପ୍ରଭାବିତ ହେଉଛି ?

ଉତ୍ତର ସିନେମା ଶିଳ୍ପ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସେଥିରୁ ଆଞ୍ଚଳିକ ସିନେମା ବାଦ ଯିବ କିପରି । ନା ସିନେମା ନିର୍ମାଣ ହୋଇଛି, ନା ଏହାକୁ ପ୍ରସାରଣ କରାଯାଇଛି । ଓଡ଼ିଆ, ବଙ୍ଗାଳୀ, ମରାଠୀ ସମେତ ସମସ୍ତ ଭାରତୀୟ ଭାଷାର ସିନେମା ପ୍ରଭାବିତ ହୋଇଛନ୍ତି । ଆଉ ଏକ କଥା ହେଲା ବିଭିନ୍ନ ହଲରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ହଲ ସମ୍ପୂର୍ଣ୍ଣ ବନ୍ଦ ରହିବା ଅନେକଙ୍କୁ ପ୍ରଭାବିତ କରିଛି । ହିନ୍ଦୀ ସିନେମାର ବଜେଟ ଅଧିକ ହେତୁ କରୋନା ସମୟରେ ସେମାନେ ଅନ୍ୟ ଜାଗାରେ କିଛିଟା ସୁଟିଂ କରିପାରିଛନ୍ତି । ହେଲେ ଆଞ୍ଚଳିକ ସିନେମା ପାଇଁ ତାହା ସମ୍ଭବ ହୋଇପାରିନାହିଁ ।

୩.ଦୁଃସମୟ ଅନେକ କଳାତ୍ମକ ସିନେମାକୁ ଜନ୍ମ ଦେଇଥାଏ । ଏହି କରୋନାକୁ ନେଇ ମନୋରଞ୍ଜନ ଦୁନିଆ ଦର୍ଶକକୁ ସେପରି କିଛି ଭେଟି ଦେବ କି?

ଉତ୍ତର- ହଁ ନିଶ୍ଚୟ ଆସିବ । କରୋନା ଏ ଶତାବ୍ଦୀର ସବୁଠୁ ବଡ଼ ଘଟଣା । ଏହି ସବୁ ଘଟଣା ହିଁ ଫିଲ୍ମ ମେକର ମାନଙ୍କୁ ପ୍ରଭାବିତ କରିଥାଏ । ତେଣୁ କରୋନାକୁ ଭିତ୍ତି କରି ଅନେକ ସିନେମା ଆଗକୁ ଦେଖିବାକୁ ମିଳିବ । ଆଗାମୀ ଦିନର ପ୍ରତ୍ୟେକ ସିନେମାରେ ତାହାର ଝଲକ ରହିବ ।

୪. କରୋନା ପରବର୍ତ୍ତୀ ମନୋରଞ୍ଜନ ଦୁନିଆକୁ ଆପଣ କେମିତି ଦେଖୁଛନ୍ତି ?

ଉତ୍ତର-କରୋନା ଦ୍ୱାରା ଜନଜୀବନ ବହୁଳ ପ୍ରଭାବିତ ହୋଇଛି । ମୋଟ ଉପରେ କହିବାକୁ ଗଲେ କରୋନା ପରେ ଜୀବନଯାପନ ପ୍ରଣାଳୀ ବଦଳିଯିବ , କେତେ ମାତ୍ରାରେ ତ ବଦଳିଗଲାଣି । ବର୍ତ୍ତମାନ ସରକାର ହଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କରୋନା ପରେ ପ୍ରଥମେ ବସ ଚାଲିଲା । କିନ୍ତୁ ଏହା ଲାଭ ଦେଲା ନାହିଁ । ମାଲିକମାନେ କ୍ଷତି ସହିଲେ । ଧୀରେ ଧୀରେ କିନ୍ତୁ ଯାତାୟତ ପୂର୍ବାପେକ୍ଷା ବଢିଲା । ସେହିପରି ହଠାତ ହଲ ଖୋଲିଦେଲେ ଯେ, ଲୋକ ଆସିବେ, ସେ କଥା ଭାବିବା ଭୁଲ୍ । ହେଲେ ହଲ ଖୋଲିବା ନିଷ୍ପତ୍ତି ଏକ ସକରାତ୍ମକ ପ୍ରଭାବ ପକାଇବ । ଧୀରେ ଧୀରେ ହଲର ପୂର୍ବାବସ୍ଥା ଫେରିବ ।

୫. ଆପଣ କିଛିବର୍ଷ ଧରି ବାପାଙ୍କ ରଚନାକୁ ଆୟୁଧ କରି କାଳଜୟୀ ସିନେମା ସୃଷ୍ଟି କରିଛନ୍ତି । ଏଥିରେ ସଫଳ ହେବା ସହ ଜାତୀୟ ଏବଂ ଅର୍ନ୍ତଜାତୀୟସ୍ତରରେ ମଧ୍ୟ ପ୍ରଶଂସିତ ହୋଇଛନ୍ତି । ଆଗକୁ ଓଡ଼ିଆ ସାହିତ୍ୟକୁ ନେଇ କିଛି ସିନେମା ପାଇଁ ଭାବିଛନ୍ତି କି ?

ଉତ୍ତର- ପୂର୍ବରୁ ଓଡ଼ିଆ ସାହିତ୍ୟକୁ ନେଇ ନିର୍ମାଣ କରିଛି । ଫକୀର ମୋହନଙ୍କ ଅନବଦ୍ୟ କୃତିକୁ ନେଇ ‘ରାଣ୍ଡୀପୁଅ ଅନନ୍ତା’ ସୃଷ୍ଟି କରିଛି । ଓଡ଼ିଆ ସିନେମା ହିଁ ଆରମ୍ଭରୁ ଆମ ଉପନ୍ୟାସକୁ ନେଇ ହୋଇଛି । ନିଜ ସାହିତ୍ୟ ପ୍ରତି ଦୁର୍ବଳତା ରହିବା ସ୍ୱାଭାବିକ ।

୬. ବଙ୍ଗଳା ହେଉ କି ଅନ୍ୟାନ୍ୟ ଭାରତୀୟ ଭାଷାକୁ ନେଇ ଯେତେ ସଂଖ୍ୟକ ସିନେମା ନିର୍ମାଣ କରାଯାଇଛି । ସେହି ତୁଳନାରେ ଓଡ଼ିଆ ସିନେମା ସଂଖ୍ୟା ନଗଣ୍ୟ ବୋଲି ଅନୁଭବ ହୁଏନି କି ?

ଉତ୍ତର- ପ୍ରଥମେ ଆମ ଓଡ଼ିଆ ସିନେମା ସାହିତ୍ୟକୁ ନେଇ ସୃଷ୍ଟି ହୋଇଥିଲା । ପୌରାଣିକ ଚରିତ୍ର ପରେ ପରେ ସାମାଜିକ ଚରିତ୍ର ସିନେମାକୁ ଆସିଛି । ଏହା ମଧ୍ୟରେ କା’, ମାଟିର ମଣିଷ ଭଳି ସୃଷ୍ଟି ରହିଛି । ସମୟ ପରିବର୍ତ୍ତନଶୀଳ, ତେଣୁ ସମୟର ଧାରାରେ କିଛିଟା ପରିବର୍ତ୍ତନ ଆସିଛି ।

୭. ସେହି ସବୁ ସାହିତ୍ୟକୁ ନେଇ କିପରି ସିନେମା କରାଯାଇପାରିବ?

ଉତ୍ତର-ଅନେକ ଗୁଡିଏ ଅନବଦ୍ୟ କୃତି ରଚନା କରି ଯାଇଥିବା ଲେଖକ ମୃତ । ସେମାନଙ୍କ କାହାଣୀକୁ ନେଇ ସିନେମା ପାଇଁ କପି ରାଇଟ୍ସ ସମସ୍ୟା ବେଳେ ଉପୁଜିଥାଏ । ଏହା ବାଦ ସେ ସମୟରେ ଲେଖା ଯାଇଥିବା ରଚନା ସେ ସମୟର ସାମାଜିକ ପ୍ରତିଫଳନ ଅଟେ । ସେହି କାହାଣୀକୁ ଆଜିର ସମୟରେ ଉପସ୍ଥାପନା କରିବାକୁ ହେଲେ କେତେଟା ପରିବର୍ତ୍ତନର ଆବଶ୍ୟକତା ରହିଛି । ତାହା ହେଲେ ହିଁ ଦର୍ଶକୀୟ ଆଦୃତି ପାଇବ । ନିଜସ୍ୱ ସାହିତ୍ୟ ସବୁ ସମୟରେ ମୌଳିକ ରଚନାର ପ୍ରେରଣା ଦେଇଥାଏ । କ୍ଲାସିକର କୌଣସି ବିକଳ୍ପ ହିଁ ନାହିଁ । ତାହାକୁ ନେଇ କାମ କରାଯାଇପାରିବ । କିଛିଟା ଜିନିଷ ବାଦ୍ ଦିଆଯିବ, କିଛି ନୂଆ କରାଯିବ । ଅନେକ ଭଲ ଲେଖାର ରାଇଟ୍ସ ମିଳିବା କଷ୍ଟକର ହୋଇଥାଏ ।

୮. ଆପଣ ଏପରି କୌଣସି ସମସ୍ୟାର ସମ୍ମୁଖୀନ କେବେ ହୋଇଛନ୍ତି କି ?

ଉତ୍ତର-ଥରେ କୌଣସି କାରଣ ବଶତଃ ପ୍ରଯୋଜକ ଜଣେ କାହାଣୀକାରଙ୍କ କିଛି ଅର୍ଥ ଦେଇ ନ ଥିଲେ । ସେଥିରେ ମୁଁ ନିର୍ଦ୍ଦେଶନା ଦେଇଥାଏ । ଏହି ସମୟରେ ସେହି ବ୍ୟକ୍ତିଜଣଙ୍କ ଲେଖାଟିକୁ ବିଦ୍ରୁପ କରାଯାଇଥିବା ଅଭିଯୋଗ ଆଣିଲେ । ଏହାର କୌଣସି ଆଧାର ହିଁ ନ ଥିଲା । ପ୍ରଯୋଜକ ଅର୍ଥ ନ ଦେଲେ, ବହୁ ବ୍ୟକ୍ତିଙ୍କ ପରିଶ୍ରମକୁ ନେଇ ନିର୍ମିତ ହୋଇଥିବା ସିନେମା ନିମିଷକରେ କେମିତି ଖରାପ ହୋଇଯିବ ବୋଲି କହିବା । ସିନେମା ପୂର୍ବରୁ ସମସ୍ତ ବିଷୟକୁ ବୁଝି ଆଇନଗତ ସ୍ୱାକ୍ଷର ଇତ୍ୟାଦି କରି ସାରିବା ପରେ ବ୍ୟକ୍ତିଙ୍କ ସେହି କଥା ମୋତେ ବ୍ୟଥିତ କରିଥିଲା । ଏତେ ସବୁ ପରେ ବି ଆମେ ଆଶାବାଦୀ ହେବା ଉଚିତ ।

୯. ଆଗକୁ କିଛି ମୌଳିକ ସାହିତ୍ୟକୁ ନେଇ କିଛି ସିନେମା ନିର୍ମାଣ କରିବା କଥା ଚିନ୍ତା କରିଛନ୍ତି କି?

ଉତ୍ତର-ନିଶ୍ଚିତ । ମନୋଦ ଦାସଙ୍କ ଗୋଟିଏ କାହାଣୀ ଏବଂ ରବି ପଟ୍ଟନାୟକଙ୍କ କାହାଣୀକୁ  ନେଇ ସିନେମା କରିବାକୁ ଚିନ୍ତା କରିଛି । ଏ ନେଇ ଲେଖକ ଏବଂ ସେମାନଙ୍କ ପରିବାର ସହ କଥାବାର୍ତ୍ତା ମଧ୍ୟ ହୋଇ ସାରିଛି । ଆଗାମୀ ଦିନରେ ଏହାକୁ ଚୂଡାନ୍ତ ରୂପ ଦେବି ।

୧୦. ଲକଡାଉନ ସମୟରେ ଓଟିଟି ପ୍ଲାଟଫର୍ମ ଦ୍ୱାରା ସିନେମା ରିଲିଜ କରାଗଲା । ଏହା କଣ ବଡ଼ ପରଦାର ବିକଳ୍ପ ହୋଇ ପାରିବ ?

ଉତ୍ତର- ଲକଡାଉନ ସମୟରେ ଆଉ କିଛି ବିକଳ୍ପ ହିଁ ନ ଥିଲା । ତେଣୁ ବାଧ୍ୟ ହୋଇ ଓଟିଟି ପ୍ଲାଟଫର୍ମରେ ଏସବୁ ରିଲିଜ୍ କରିବାକୁ ପଡ଼ିଲା । ହେଲେ ମଲ୍ଟିପ୍ଲେକ୍ସ ଏକାଧିକ ଶୋ ପ୍ରଦର୍ଶିତ ହୋଇଥାଏ । ତେଣୁ ଏହା ସବୁଦିନିଆ ବିକଳ୍ପ ହୋଇ ପାରେନା । ଅପରପକ୍ଷରେ ୱେବ ସିରିଜ ଓଟିଟି ପ୍ଲାଟଫର୍ମକୁ ଲକ୍ଷ୍ୟ ରଖି ନିର୍ମାଣ ହେଉଛି । ସିନେମା ବି ରହିବ, ଓଟିଟି ପ୍ଲାଟଫର୍ମ ରହିବ ।

୧୧. ନିକଟ ଭବିଷ୍ୟତରେ କ’ଣ ଯୋଜନା ରଖିଛନ୍ତି କି ?

ଉତ୍ତର- ସ୍ଥିତି ଆଉ ଟିକେ ସ୍ୱାଭାବିକ ହେଲେ ‘ଶଲା ବୁଢା’ର ବଦଲା ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତି ଲାଭ କରାଇ ପ୍ରଦର୍ଶିତ କରାଇବାକୁ ଲକ୍ଷ୍ୟ ରଖିଛି ।

୧୨. ରାଜ୍ୟରେ ସିନେମା ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଜାରି ରହିଛି, ଏ ସମ୍ପର୍କରେ କ’ଣ କହିବେ?

ମହାବାତ୍ୟା ଦ୍ୱାରା କଳିଙ୍ଗ ଷ୍ଟୁଡ଼ିଓ ବହୁଳ ଭାବେ ପ୍ରଭାବିତ ହୋଇଥିଲା । ଏହା ପରେ ପୁନରୁଦ୍ଧାର ଯେମିତି ହେବା କଥା, ତାହା ହୋଇ ନ ଥିଲା । ଏହି ଷ୍ଟୁଡିଓ ହିଁ ଓଡ଼ିଆ ସିନେମାର ପ୍ରାଣକେନ୍ଦ୍ର ଥିଲା । ବର୍ତ୍ତମାନ ଏହାର ଉନ୍ନୟନ କାର୍ଯ୍ୟ ଜାରି ରହିଛି । କିଛି ମାସ ପରେ ଏହା ପୂର୍ବାପେକ୍ଷା ଅଧିକ କାର୍ଯ୍ୟକ୍ଷମ ଓ ଚଳଚଞ୍ଚଳ ହେବ । ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ଏ ଦିଗରେ ପ୍ରଚେଷ୍ଟା ଚଲେଇଛନ୍ତି । ସେ ସଫଳ ହୁଅନ୍ତୁ ବୋଲି ଆଶା କରିବା । ନିକଟରେ ଏ ନେଇ ତାଙ୍କ ସହ କଥା ହୋଇଥିଲି ।

୧୩. ଭଲ ସିନେମା ପାଇଁ ଆର୍ଥିକ ପ୍ରୋତ୍ସାହନକୁ କିପରି ଦେଖନ୍ତି ?

ଉତ୍ତର ଆର୍ଥିକ ପ୍ରୋତ୍ସାହନ ନିହାତି ଆବଶ୍ୟକ । ଯେଉଁ ରାଜ୍ୟମାନେ ଭଲ ସିନେମା କରି ସଫଳତା ପାଇଛନ୍ତି, ସେମାନଙ୍କୁ ସରକାର ସବସଡି ଦେଇ ପ୍ରୋତ୍ସାହିତ କରିଛି୍ । ଗୁଜରାଟ,କର୍ନାଟକ, କେରଳରେ ସବସିଡି ବ୍ୟବସ୍ଥା ରହିଛି । ନିକଟରେ ଗୁଜରାଟ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, ଯେଉଁ ସିନେମା ଗୋଲ୍ଡେନ ପିକକ ଆୱାର୍ଡ ପାଇବ । ତାହାକୁ କୋଟିଏ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ତେଣୁ ଏହିପରି ଆର୍ଥିକ ପ୍ରୋତ୍ସାହନ କରାଯିବାର ଆବଶ୍ୟକତା ରହିଛି ।

Leave a Reply