ବାପା ମୁଣ୍ଡରୁ ଛାତ ଛଡ଼ାଇନେଲା ପୁଅ, ୮୭ ବର୍ଷ ବୟସରେ ନ୍ୟାୟ ମାଗୁଛନ୍ତି ଶିକ୍ଷକ

87 Year Old Retired Hindi Teacher Of Gajapati Fights Against Son For Home

ପାରଳାଖେମୁଣ୍ଡି: ଶିକ୍ଷକଟିଏ ସବୁବେଳେ ପିଲାଙ୍କୁ ଭଲ ଶିକ୍ଷା ଦିଏ, ବଡ଼ ସହ ଭଲ ମଣିଷ ହେବାର ବାଟ ଦେଖାଏ । ସେ ବି ଦେଖାଇଥିଲେ ଭଲ ମଣିଷ ହେବାର ବାଟ ଅନେକ ପିଲାଙ୍କୁ । ହେଲେ, କିଏ ଜାଣିଥିଲା ପରିଣତ ବୟସରେ ପୁଅ ତାଙ୍କୁ ଏମିତି ହଇରାଣ କରିବ । ଅନେକ ପିଲାଙ୍କୁ ହାତରେ ଭଲ ମଣିଷ କରି ଗଢ଼ିଥିବା ରାମ ସାରଙ୍କ ପୁଅ ଯେ ଖରାପ ହୋଇ ତାଙ୍କୁ ହଇରାଣ ସେ ସ୍ୱପ୍ନରେ ବି ଭାବିନଥିଲେ ।

87 Year Old Retired Hindi Teacher Of Gajapati Fights Against Son For Home

ବୟସ ୮୭ । ନାମ ରାମ ମୋହନ ପଟ୍ଟନାୟକ । ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ । ସେ ଦିବ୍ୟାଙ୍ଗ ଅଟନ୍ତି । ବୃଦ୍ଧ ବୟସରେ ସେ ଏବେ ସଂଘର୍ଷ କରୁଛନ୍ତି ଛାତ ଖଣ୍ଡିଏ ପାଇଁ ପୁଣି ପୁଅ ସହ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଗୁଜରାଟ ପେଟା ସାହିରେ ରାମ ସାରଙ୍କ ଘର । ସ୍ତ୍ରୀ ଓ ତିନି ଛୁଆଙ୍କୁ ନେଇ ଭଲଭାବେ ସଂସାର ଚାଲିଥିଲା । ପ୍ରାୟ ୨୧ ବର୍ଷ ତଳେ ୧୯୯୯ରେ ଧର୍ମପତ୍ନୀଙ୍କ ବିୟୋଗ ପରେ ରାମ ସାର୍ ବଡ଼ ପୁଅ ପାଖରେ ବାକି ଜୀବନ କାଟିଦେଲେ ବୋଲି ଭାବିଥିଲେ । ହେଲେ ପୁଅ ବାପାଙ୍କୁ ପର କରିଦେଇଛି, ଛଡ଼ାଇ ନେଇଛି ଘର । ଏମିତିକି ସାନ ଭାଇକୁ ବି ଘରେ ରହିବାକୁ ଦେଉନାହିଁ ।

87 Year Old Retired Hindi Teacher Of Gajapati Fights Against Son For Home

ବଡ଼ ପୁଅ ଘର ଛଡ଼ାଇ ନେବା ପରେ ଏବେ ରାମ ସାର୍ ରାସ୍ତାରେ । ପୁଅଠାରୁ ଘର ଖଣ୍ଡିକ ପାଇବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ୧୯୯୮ ମସିହାର ଡିସେମ୍ବର ୧୪ରୁ ରାମ ସାରଙ୍କ ସଂଘର୍ଷ ଜାରି ରହିଛି । ପୂର୍ବରୁ ରାମ ସାର୍ ପ୍ରଶାସନ ନିକଟରେ ଏନେଇ ଅଭିଯୋଗ କରିଥିଲେ ବି ସୁଫଳ ମିଳିନି । ଘର ଖଣ୍ଡିକ ପାଇବା ଆଶାରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଗତ ଅକ୍ଟୋବର ୧୪ ତାରିଖରେ ଆମରଣ ଅନଶନରେ ବସିଥିଲେ । ଡେପୁଟି କଲେକ୍ଟର ଓ ଆଇଆଇସି ଭରସା ଦେଇଥିଲେ ଘର ଖାଲି କରିବାକୁ ।

87 Year Old Retired Hindi Teacher Of Gajapati Fights Against Son For Home

ପ୍ରଶାସନର ପ୍ରତିଶ୍ରୁତି ପାଇ ରାମ ସାର୍ ଆମରଣ ଅନଶନରୁ ଉଠିଥିଲେ ସିନା ଖାଦ୍ୟ ଗ୍ରହଣ କରିନଥିଲେ । ନଭେମ୍ବର ୧୦ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନନେଲେ ସେ ଆତ୍ମହତ୍ୟା କରିବେ କିମ୍ବା ପ୍ୟାଲେସ ଆଗରେ ଆମରଣ ଅନଶନରେ ବସିବେ ବୋଲି କହିଥିଲେ । ତେବେ, ରାଜସ୍ୱ ବିଭାଗରେ ପିଅନ୍ ଭାବେ କାର୍ଯ୍ୟ କରୁଥିବା ପୁଅ ରାମ ଗୋପାଳ ପଟ୍ଟନାୟକ ଏଯାବତ୍ ଘର ଛାଡ଼ିନାହାଁନ୍ତି । ଫଳରେ ରାମ୍ ସାର୍ ପାରଳା ପ୍ୟାଲେସ ଆଗରେ ଆମରଣ ଅନଶନରେ ବସିଛନ୍ତି ।

87 Year Old Retired Hindi Teacher Of Gajapati Fights Against Son For Home

ହକ୍ ପାଇଁ ଜାରି ରହିଛି ରାମ୍ ସାରଙ୍କ ଲଢ଼େଇ । ବରିଷ୍ଠ ନାଗରିକଙ୍କ ଲାଗି ପ୍ରଶାସନ ସମ୍ବେଦନଶୀଳ ରହିଛି । ଏମିତିକି ସୁରକ୍ଷା ଲାଗି ସ୍ୱତନ୍ତ୍ର ଆଇନ୍ ରହିଛି । ହେଲେ ନ୍ୟାୟ ପାଇଁ ୨୨ ବର୍ଷ ବିତିଗଲାଣି । ଜଣେ ଶିକ୍ଷକଙ୍କୁ ନ୍ୟାୟ ମିଳୁନାହିଁ । ପରିଣତ ବୟସରେ ପୁଅ ସହ ଲଢ଼େଇରେ ରାମ ସାରଙ୍କୁ ପ୍ରଶାସନ କେବେ ନ୍ୟାୟ ଦେଉଛି ତା’କୁ ସମସ୍ତଙ୍କ ଅପେକ୍ଷା ।

Leave a Reply