୮ ଜିଲ୍ଲାରେ ବଢିଛି ସଡ଼କ ଦୁର୍ଘଟଣା, ଜିଲ୍ଲା ଗସ୍ତ କରି ସୁପ୍ରିମକୋର୍ଟକୁ ରିପୋର୍ଟ ଦାଖଲ କରିବ ସ୍ୱତନ୍ତ୍ର କେନ୍ଦ୍ରୀୟ ଟିମ୍…

ଭୁବନେଶ୍ୱର: ଲକ୍‌ଡାଉନ୍‌ ବେଳେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବୃଦ୍ଧିର କାରଣ ଖୋଜିବା ଓ ପ୍ରତିକାର ପାଇଁ ଓଡ଼ିଶା ଆସିବ ସୁପ୍ରିମ୍‌କୋର୍ଟଙ୍କ ସଡ଼କ ସୁରକ୍ଷା‌ କମିଟି । ଲକ୍‌ଡାଉନ୍‌ ବେଳେ କରୋନା ମୃତ୍ୟୁକୁ ଟପି ଯାଇଛି ସଡ଼କ ଦୁର୍ଘଟଣା ମୃତ୍ୟୁ । କମିଟି ୮ଟି ଦୁର୍ଘଟଣାପ୍ରବଣ ଜିଲ୍ଲା ଗସ୍ତ କରି ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ କରିବ । ତେବେ ଏହି ମୃତ୍ୟୁ ପାଇଁ ପ୍ରାଥମିକ ଭାବେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରାଯାଇଛି । ତେବେ ଶତପ୍ରତିଶତ ପରିବହନ ନିୟମ ଖିଲାଫକାରୀଙ୍କ ଡ୍ରାଇଭିଂ ଲାଇସେନସ୍ ରଦ୍ଦ କରିବା ଓ ସଡ଼କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଗଞ୍ଜାମ, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, କେନ୍ଦୁଝର, ଯାଜପୁର, ବାଲେଶ୍ବର ଓ ମୟୂରଭଞ୍ଜ । ଏହି ୮ଟି ଜିଲ୍ଲାରେ ଗତ ୮ମାସରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି । ଖାସ୍ କରି ଲକ୍‌ଡାଉନ୍‌ ବେଳେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କରୋନା ମୃତ୍ୟୁକୁ ଟପିଯାଇଛି । ଗତ ସେପ୍ଟେମ୍ବର ମାସରେ ୨୦ ଜଣ ପ୍ରାଣ ହରାଇଥିଲେ। ରାଜ୍ୟର ଏହି ସମ୍ବେଦନଶୀଳ ଖବର ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ୮ଟି ଜିଲ୍ଲା ଗସ୍ତ କରି ରିପୋର୍ଟ ସଂଗ୍ରହ କରିବ ।

ଜାତୀୟ ରାଜପଥର ସ୍ଥିତି, ପଞ୍ଜିକୃତ ଗାଡ଼ି ଚାଳକଙ୍କ ତାଲିକା, ନିୟମ ଖିଲାଫକାରୀଙ୍କ ତାଲିକା, ଫାଇନ ଆଦାୟ ପରିମାଣ, ଏନ୍‌ଏଚ୍‌ଏଆଇର ସଡ଼କ ସୁରକ୍ଷା ସଚେତନତା, ଇଣ୍ଟରସେପ୍‌ଟର ବ୍ୟବସ୍ଥା, ହାଇଓ୍ବେ ପାଟ୍ରୋଲିଂ, ସ୍ପିଡ ଟ୍ରାକର୍‌ ଆଦି ସମ୍ପର୍କରେ କମିଟି ତଥ୍ୟ ସଂଗ୍ରହ କରିବ । ଦୁର୍ଘଟଣା ରୋକିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଜ ଦାୟିତ୍ବ ଠିକ୍‌ ଭାବେ ନିର୍ବାହ କରୁନଥିବା ବିଶେଷଜ୍ଞ ଅଭିଯୋଗ କରିଛନ୍ତି ।

ସେପଟେ ପୋଲିସ ଏବଂ ଆର୍‌ଟିଓଙ୍କ ମଧ୍ୟରେ ସମନ୍ବୟର ଅଭାବ ପରିଲକ୍ଷିତ କରିଛି କ୍ରାଇମ୍‌ବ୍ରାଞ୍ଚ୍‌ । ଯାହା ଜିଲ୍ଲାସ୍ତରରେ ଜଏଣ୍ଟ ଏନ୍‌ଫୋର୍ସମେଣ୍ଟ ପାଇଁ ବାଧକ ସାଜୁଛି । ଗତ ଜାନୁଆରୀରୁ ସେପ୍ଟେମ୍ବର ମାସ ମଧ୍ୟରେ ୨ଲକ୍ଷ ୧୫ ହଜାର ଲୋକଙ୍କୁ ବିନା ହେଲ୍‌ମେଟ୍‌ରେ ପୋଲିସ ଧରିଥିବା ବେଳେ ୫୦ହଜାର ଖିଲାଫକାରୀଙ୍କ ଫାଇନ୍ କାଟିଛି ଆର୍‌ଟିଓ । ସେହିପରି ୩୬୭ଟି ଡ୍ରାଇଭିଂ ଲାଇସେନ୍‌ସ ବାତିଲ୍ କରାଯାଇଛି ।

Leave a Reply