କଣ୍ଟାକ୍ଟ ଟ୍ରେସିଂ ପରେ ଭିମସାରର ୬୦ ଡ଼ାକ୍ତର କ୍ୱାରେଣ୍ଟାଇନକୁ ଗଲେ

ଗଲା କାଲିଠାରୁ ବୁର୍ଲା ଭିମସାର ଓପିଡି ବନ୍ଦ ହୋଇଛି । ମେଡିସିନ ଓ୍ୱାର୍ଡର ୧୦ ଜଣ ଡାକ୍ତର କରୋନା ସଂକ୍ରମିତ ହେବା ପରେ ଓପିଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଆଜି ଉକ୍ତ ଡାକ୍ତରମାନଙ୍କର କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଶେଷ ହୋଇଛି  । ୭୦ ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ରଖିଛି ହସ୍ପିଟାଲ କର୍ତ୍ତୃପକ୍ଷ । ଏମାନଙ୍କ ମଧ୍ୟରୁ ୩୮ ଜଣ କେବଳ ମେଡିସିନ ବିଭାଗର । ଏତେ ମାତ୍ରାରେ ଡାକ୍ତର କରୋନା ସଂକ୍ରମଣର ଶୀକାର ହେବା ପରେ ହସ୍ପିଟାଲକୁ ଚାଲୁ ରଖିବା ସମ୍ଭବ ନୁହେଁ  । ଏଣୁ ଏବେ କେବଳ ସୁପାରିଶ ଓ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ୨ଟି ପର୍ଯ୍ୟାୟରେ ଭିମସାରକୁ ୧୪ ଦିନ ପର୍ଯ୍ୟନ୍ତ ସଟଡାଉନ୍ କରାଯାଇଥିଲା । ସଟଡାଉନ୍ ପରେ କିଛି ଦିନ ପାଇଁ ଓପିଡି ସେବା ଚାଲୁଥିଲା । ହେଲେ କ୍ୟାନ୍ସର ଓ୍ୱାର୍ଡ ସଟଡାଉନ ଆରମ୍ଭ ହେବା ଦିନଠାରୁ ହିଁ ବନ୍ଦ ରହିଛି । ଦିନେ ହେଲେ ବି ଖୋଲିନି । ଏବେ ୧୦ ଡାକ୍ତର ସଂକ୍ରମଣର ଶୀକାର ହେବା ପରେ ଓପିଡି ବନ୍ଦ ହେବା ସହ ଅନ୍ୟ ସେବା ମଧ୍ୟ ବନ୍ଦ ହେଲା । ତେବେ ଭିମସାର ଉପରେ ସାଧାରଣ ଲୋକଙ୍କ ନିର୍ଭରଶୀଳତା ଯଥେଷ୍ଟ ଅଧିକ । ତେଣୁ ଟେଲି ମେଡିସିନ ବ୍ୟବସ୍ଥା ହସ୍ପିଟାଲରେ ବଳବତ୍ତର ରହିବ । ଏକଥା ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର କହିଛନ୍ତି ।

ବର୍ତ୍ତମାନର ସ୍ଥିତିରେ ହସ୍ପିଟାଲ ସ୍ୱାଭାବିକ ଭାବେ ଚାଲିବା ସମ୍ଭବ ନୁହେଁ ବୋଲି ସେ ସ୍ୱୀକାର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୧୦ ଜଣ ଡ଼ାକ୍ତର କରୋନାର ଶୀକାର ହେବା ପୂର୍ବରୁ ସ୍ତ୍ରୀ ଓ ପ୍ରସୂତି ବିଭାଗ, କ୍ୟାନ୍ସର ବିଭାଗ ଓ ରେଡିଓଗ୍ରାଫି ବିଭାଗରୁ ୨୩ ଜଣ ଡାକ୍ତର,୧୧ ଜଣ ନର୍ସ ଓ ୮ ଜଣ ପାରାମେଡିକାଲ ଷ୍ଟାଫ ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

Leave a Reply