NEET-JEE ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟ

1 min read

ନୂଆଦିଲ୍ଲୀ: ସଂକ୍ରମଣ ବେଳେ ପରୀକ୍ଷାକୁ ବିରୋଧ । ରାଜନୈତିକ ମେଳିରେ ହେଲା ବଡ଼ ନିଷ୍ପତ୍ତି । କରୋନା ସଂକ୍ରମଣ ବେଳେ NEET-JEE ପରୀକ୍ଷାକୁ ବିରୋଧ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ରାଜ୍ୟ । ଅନ୍ତରୀଣ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏହାର ନେତୃତ୍ୱ ନେଇ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ଏଥିରେ ବକେୟା ଜିଏସଟି ଅର୍ଥ ଓ ନିଟ-ଜେଇଇ ପରୀକ୍ଷା ଉପରେ ଆଲୋଚନା କରାଯାଇଛି । ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେବାକୁ ବୈଠକରେ ସମସ୍ତେ ସହମତି ପ୍ରକାଶ କରିଛନ୍ତି ।

ନିଟ୍-ଜେଇ ପରୀକ୍ଷା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ । ତେବେ, ଏହି ନିଷ୍ପତ୍ତି ବେଳକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ମତ ରଖି ଉଠି ଯାଇଥିଲେ । ତେଣୁ, ତାଙ୍କ ସହମତିକୁ ଅପେକ୍ଷା କରାଯାଇଛି ।

ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂହ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଗ ନେଇଥିଲେ ।

କଣ କହିଲେ ସୋନିଆ ?

ବୁଧବାର ବସିଥିବା ବୈଠକରେ ପ୍ରଥମେ ସୋନିଆ ଗାନ୍ଧି ଜିଏସଟି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ- ସମୟରେ ରାଜ୍ୟ ସରକାରଙ୍କୁ ଜିଏସଟି ଅର୍ଥ ମିଳିବା ଉଚିତ୍ । ଜିଏସଟି ଅର୍ଥ ଏକ ବଡ଼ ପ୍ରସଙ୍ଗ । ଏହା ରାଜ୍ୟକୁ ନମିଳିବା ଦ୍ୱାରା ଆର୍ଥିକ ସ୍ଥିତି ପ୍ରଭାବିତ ହେଉଛି । ରାଜ୍ୟକୁ ଅର୍ଥ ନଦେବା ମୋଦି ସରକାରଙ୍କ ବିଶ୍ୱାସଘାତକତା । ସୋନିଆ ଗାନ୍ଧି କହିଥିଲେ- ନିଟ୍ ଓ ଜେଇଇ ପରୀକ୍ଷା ନେଇ ଛାତ୍ରଙ୍କ ସମସ୍ୟା ଓ ପରୀକ୍ଷା ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଦ୍ୱାରା ସମାଧାନ ହେବା ଉଚିତ୍ ।

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକ ପାଇଁ ସୋନିଆଙ୍କୁ ଧନ୍ୟବାଦ ଦେଇଥିଲେ । ନିଟ୍-ଜେଇଇ ପରୀକ୍ଷା ପ୍ରସଙ୍ଗ ଉଠାଇ କହିଥିଲେ- ଲକ୍ଷ ଲକ୍ଷ ସଂଖ୍ୟାରେ ଛାତ୍ର ପରୀକ୍ଷା ଦେବାକୁ ଥିବାବେଳେ ଲକଡାଉନ୍ ପାଇଁ ଯାତାୟାତ ବନ୍ଦ ରହିଛି । ଛାତ୍ର ଚିନ୍ତିତ ଥିବାବେଳେ ଆମେ ସେମାନଙ୍କ ସହିତ ଛିଡ଼ା ହେବା ଦରକାର । ଯଦି, କେନ୍ଦ୍ର ସରକାର କିଛି ନ କରନ୍ତି ତେବେ ଆମକୁ ଜନତା ନିର୍ବାଚିତ କରିଛନ୍ତି, ଆମେ କୋର୍ଟ ଯିବା ଉଚିତ୍ ।

Leave a Reply