ଗ୍ୟାସ୍ ଲିକ୍ ଯୋଗୁଁ ଶ୍ରମିକ ଅସୁସ୍ଥ ମାମଲା: ୭ ଗିରଫ

1 min read

ବାଲେଶ୍ୱର: ଫାଲକନ୍‌ ମେରାଇନ୍ ଚିଙ୍ଗୁଡ଼ି ପ୍ରସେସିଂ ପ୍ଳାଣ୍ଟରେ ଗ୍ୟାସ ଲିକ୍ ଯୋଗୁଁ ଶତାଧିକ ଶ୍ରମିକ ଅସୁସ୍ଥ ମାମଲାରେ କାର୍ଯ୍ୟାନୁଷ୍ଠାନ । ଆଇପିସିର ଧାରା ୩୦୮, ୩୨୪, ୩୨୬ , ୩୮୪, ୨୯୪, ୫୦୬, ୩୫ ଓ ୧୪ ଅନୁଯାୟୀ ମାମଲା ରୁଜୁ କରିବା ସହ ପ୍ଳାଣ୍ଟର ୭ ଜଣ କର୍ମଚାରୀଙ୍କୁ ଗିରଫ କଲା ପୋଲିସ୍ । ଗିରଫମାନଙ୍କ ମଧ୍ୟରେ ଫ୍ୟାକ୍ଟ୍ରିର ଜିଏମ୍, ପ୍ରଡକ୍ସନ ମ୍ୟାନେଜର, ଏଚ୍ଆର୍ ମ୍ୟାନେଜର, ସିଫ୍ଟ ଇନ୍‌ଚାର୍ଜ, ସେଫ୍ଟି ଅଫିସର୍‌ ଏବଂ ୨ ସୁପରଭାଇଜର ।  ପୂର୍ବରୁ ଅଟକ ରଖି ପଚାରାଉଚରା କରୁଥିଲେ । ଏଥିସହ ଅଘଟଣ ପରେ ପ୍ଳାଣ୍ଟକୁ ସିଲ୍‌ କରିଛି ପ୍ରଶାସନ ।

ଘଟଣାନୁଯାୟୀ ବୁଧବାର ସନ୍ଧ୍ୟାରେ ଶ୍ରମିକମାନେ କମ୍ପାନୀ ଭିତରେ ନିଜ ନିଜ କାମରେ ଲାଗିଥିଲେ। ହଠାତ୍ ଦୁର୍ଗନ୍ଧ ହେବା ସହିତ ଶ୍ରମିକମାନେ ଅଣନିଶ୍ୱାସୀ ଅନୁଭବ କଲେ। କାହିଁକି ଏଭଳି ହେଲା ବୋଲି ଜାଣୁ ଜାଣୁ ଅଚେତ ହୋଇପଡ଼ିଲେ ୫୦ରୁ ଅଧିକ ଶ୍ରମିକ । ତୁରନ୍ତ ସେମାନଙ୍କୁ ଖନ୍ତାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ପରେ ଶହେରୁ ଅଧିକ ଶ୍ରମିକ ଅସୁସ୍ଥ ହୋଇପଡ଼ିଲେ। ସମସ୍ତଙ୍କୁ ତୁରନ୍ତ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

ଅପରପକ୍ଷରେ ପ୍ରଶାସନ ତରଫରୁ ଅସୁସ୍ଥମାନଙ୍କ ଚିକିତ୍ସା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ସମ୍ପୁର୍ଣ୍ଣ ସୁସ୍ଥମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଏଥିସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି  ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ବାଲେଶ୍ୱର ଡାକ୍ତରଖାନାରେ ମୋଟ ୧୯ଜଣ ଚିକିତ୍ସାଧୀନ ଅଛନ୍ତି । ସେପଟେ କମ୍ପାନୀକୁ ସିଲ୍ କରିଦେବା ସହିତ ମୁଖ୍ୟ ଫାଟକରେ ପୋଲିସ ମୁତୟନ କରାଯାଇଛି । ତେବେ ଭୁବନେଶ୍ୱରରୁ ଆସୁଥିବା ଟିମ୍‌ର ତଦନ୍ତ ପରେ କାରଣ ସ୍ପଷ୍ଟ ହୋଇପାରିବ । । ଏଥିସହିତ କମ୍ପାନୀ ଭିତରେ କେଉଁ ପରିସ୍ଥିତିରେ ଶିଶୁ ଶ୍ରମିକମାନେ କାମ କରୁଥିଲେ ସେ ନେଇ ଶ୍ରମ ବିଭାଗ ସ୍ୱତନ୍ତ୍ର ଭାବେ ତଦନ୍ତ କରିବ। ତେବେ ଘଟଣା ଯେମିତି ବି’ ହେଉନା କାହିଁକି, ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ଫାଲକନ ମେରାଇନ୍ ଶ୍ରମିକମାନେ । ')}

Leave a Reply