ଚାଲୁ ଚାଲୁ ଖସିଗଲା ଗୋଡ଼, ଅନ୍ଧାର ଆତଙ୍କ ଭିତରେ ପିଲରରେ ରାତି ଯାକ ରହିଲେ ବୃଦ୍ଧା

ଭୁବନେଶ୍ୱର: ଯାତାୟାତ ଓ ଗାଡ଼ି ଚଳାଚଳକୁ ସୁଗମ କରିବା ପାଇଁ ରାଜଧାନୀରେ ତିଆରି ହୋଇଛି ବ୍ରିଜ୍ । ପଳାଶୁଣିରୁ ଖଣ୍ଡଗିରି ପର୍ଯ୍ୟନ୍ତ ଓଭର୍ ବ୍ରିଜ୍ ଏବେ ପାଲଟିଛି ମରଣଯନ୍ତା । କେତେବେଳେ ଦୁର୍ଘଟଣାରେ କାହାର ଜୀବନ ଯାଉଛି ତ ଆଉ କେବେ ବ୍ରିଜରେ ଥିବା ଫାଙ୍କରେ ଖସି ପଡ଼ୁଛି ମଣିଷ । ମଙ୍ଗଳବାର ସକାଳୁ ଏମିତି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ସିଆରପି ଓଭର ବ୍ରିଜରେ । ମର୍ଣ୍ଣିଂ ୱାଲ୍କରେ ଯିବାବେଳେ ସ୍ଥାନୀୟ ଲୋକ ଜଣେ ବୃଦ୍ଧା ବ୍ରିଜର ପିଲାର ଫାଙ୍କରେ ଥିବା ଦେଖିଥିଲେ ।

ଲୋକଙ୍କ ଠାରୁ ସୂଚନା ପାଇ ତୁରନ୍ତ ପିସିଆର୍ ଭ୍ୟାନ୍ ସିଆରପି ଓଭରବ୍ରିଜ୍ ନିକଟରେ ପହଞ୍ଚିଥିଲା । ସେତେବେଳକୁ ଭୟରେ ୬୫ ବର୍ଷୀୟ ବୃଦ୍ଧା ଜଣଙ୍କ ଦେହ ଥରି ଉଠୁଥିଲା । ଚେଷ୍ଟା ସତ୍ତ୍ୱେ ବୃଦ୍ଧାଙ୍କୁ ଉଦ୍ଧାର କରିପାରି ନଥିଲା ପୋଲିସ । ପରେ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା । ଅଗ୍ନିଶମ କର୍ମଚାରୀ ସିଡ଼ି ପକାଇ ବୃଦ୍ଧଙ୍କ ନିକଟକୁ ଯାଇଥିଲେ । ପରେ ତାଙ୍କୁ ସତର୍କତାର ସହ ଯବାନ ପିଠିରେ ଝୁଲାଇ ତଳକୁ ଆଣିଥିଲେ ।

ଉଦ୍ଧାର ହୋଇଥିବା ବୃଦ୍ଧା ଜଣଙ୍କ ସାଲିଆ ସାହି ଅଞ୍ଚଳର । ତାଙ୍କୁ ୬୫ ବର୍ଷ ହେବ । ତାଙ୍କ ନାଁ ସେବତୀ ପାତ୍ର ବୋଲି ଜଣାପଡ଼ିଛି । ତେବେ, ବୃଦ୍ଧା ଜଣଙ୍କ ପିଲର ଖୁଣ୍ଟିକୁ କେମିତି ଗଲେ ? ବୃଦ୍ଧାଙ୍କ ପ୍ରତିକ୍ରିୟା ଅନୁଯାୟୀ, ରାତି ପ୍ରାୟ ୮ଟା ବେଳେ ସେ ଚାଲି ଚାଲି ଯାଉଥିବା ବେଳେ ଖସି ପଡ଼ିଥିଲେ । ଏବେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

(ଭୁବନେଶ୍ୱରରୁ ଅରୁଣ ସାହୁ)

Leave a Reply