ମାମଲା ତୁଳନାରେ କମ୍ ପଡ଼ୁଛି କୋର୍ଟ, ୬୫ଟି ନୂଆ କୋର୍ଟ ପାଇଁ ତଥ୍ୟ ମାଗିଲେ ହାଇକୋର୍ଟ…..

1 min read

ରାଜ୍ୟର ବିଭିନ୍ନ ସ୍ଥାନରେ ୬୫ଟି ନୂଆ କୋର୍ଟ ପ୍ରତିଷ୍ଠା ହେବ । ଦିନକୁ ଦିନ ମାମଲା ସଂଖ୍ୟା ବୃଦ୍ଧି ପାଉଛି । କରୋନା କଟକଣା ସମୟରେ ବିଶେଷ ବାଧାପ୍ରାପ୍ତ ହୋଇଛି ବିଚାର ପ୍ରକ୍ରିୟା । ଏଣୁ ନ୍ୟାୟ ବ୍ୟବସ୍ଥାକୁ ତ୍ଵରାନ୍ୱିତ କରିବା ପାଇଁ ୬୫ଟି ନୂଆ ସିଭିଲ ଜଜ୍ -ଜୁନିଅର ଡିଭିଜନ୍ ତଥା ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, କେସ୍‌ ତୁଳନାରେ କୋର୍ଟ କମ୍‌ । ମନ୍ଥର ଗତିରେ ଚାଲିଛି ବିଚାର ପ୍ରକ୍ରିୟା  । ବିଳମ୍ବିତ ହେଉଛି ନ୍ୟାୟ ।

ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ୬୫ଟି ନୂଆ ସିଭିଲ ଜଜ୍ – ଜୁନିଅର ଡିଭିଜନ୍ ତଥା ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ବାବଦରେ ହାଇକୋର୍ଟଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲା ଓ ଦୌରାଜଜ୍‌ଙ୍କୁ ଚିଠି ଲେଖାଯାଇଛି । ନୂଆ କୋର୍ଟ ପ୍ରତିଷ୍ଠା ହେବାକୁ ଥିବା ସ୍ଥାନର ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଶୀଘ୍ର ତଥ୍ୟ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି  । ମିଳିଥିବା ସୂଚନା ଅନୁଯାୟୀ,  କେନ୍ଦୁଝର ଜିଲ୍ଲାରେ ୫, ସୁନ୍ଦରଗଡ଼ ଜିଲ୍ଲାରେ ୬, ପୁରୀ ଓ କଳାହାଣ୍ଡି ଜିଲ୍ଲାରେ ୪ଟି ଲେଖାଏଁ, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଯାଜପୁର, ବରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରେ ୩ଟି ଲେଖାଏଁ, ମାଲକାନଗିରି, ବାଲେଶ୍ବର, ଅନୁଗୁଳ, ନବରଙ୍ଗପୁର ଜିଲ୍ଲାରେ ୨ଟି ଲେଖାଏଁ, ଭଦ୍ରକ, ନୟାଗଡ଼, ବଲାଙ୍ଗିର, ଜଗତସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର ଜିଲ୍ଲାରେ ଗୋଟିଏ ଲେଖାଏଁ ନୂଆକୋର୍ଟ ପ୍ରତିଷ୍ଠା ହେବ ।

କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି, ଡମପଡ଼ା, ମାହାଙ୍ଗା ଓ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ବାଲିଅନ୍ତା, ବୋଲଗଡ଼, ବାଲିପାଟଣା ଏବଂ ଚିଲିକାରେ ସିଭିଲ ଜଜ୍ -ଜୁନିଅର ଡିଭିଜନ୍ ତଥା ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି  । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୧୫ ଲକ୍ଷରୁ ଅଧିକ କେସ ବିଚାର ଅପେକ୍ଷାରେ ଅଛି । ନୂଆ କୋର୍ଟ ପ୍ରତିଷ୍ଠା ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ।

Leave a Reply