ନନ୍ଦନକାନନ ପାଇଁ ୬୦୦ କୋଟି, ବିଶ୍ୱ ମାନଚିତ୍ରରେ ପାଇବ ସ୍ଥାନ

ଭୁବନେଶ୍ୱର: ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଆସନ୍ତା ୨୦ ବର୍ଷ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କଲେ ମାଷ୍ଟରପ୍ଲାନ। ୬୦୦ କୋଟି ଟଙ୍କାରେ ନୂଆ ରୂପ ପାଇବ ନନ୍ଦନକାନନ । ଦେଶ ବାହାରୁ ବନ୍ୟଜନ୍ତୁ ଅଣାଯିବ । ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ଦେଇଛନ୍ତି ।

ସେପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ୬୧ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗଦେଇଥିଲେ । ଏହି ଅବସରରେ ସଫାରି ପାଇଁ ୪ଟି ନୂତନ ବସ ଷ୍ଟାଣ୍ଡ ଉଦଘାଟନ କରାଯାଇଛି ।

ମଲ୍ଟି ପାର୍କିଂ ମୁଖ୍ୟ ରାସ୍ତାର ଲୋକାର୍ପଣ ହୋଇଛି । ଏହାଦ୍ୱାରା ପର୍ଯ୍ୟଟକ ମାନଙ୍କ ଯା’ଆସ ପାଇଁ ପୂର୍ବାପେକ୍ଷା ସୁବିଧା ହୋଇପାରିବ । ଦୀର୍ଘ ୯ ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ବୋଟିଂ ଵ୍ୟବସ୍ଥା । ଜାନୁଆରୀ ମାସ ଆରମ୍ଭରୁ ପୁଣି ବୋଟିଂର ପୁନର୍ବାର ମଜା ଉଠାଇ ପାରିବେ ପର୍ଯ୍ୟଟକ।

ସେପଟେ ଟଏ ଟ୍ରେନ, ରୋପ ୱେ ବି ନୂଆବର୍ଷଠାରୁ ଆରମ୍ଭ କରାଯିବାକୁ ଯୋଜନା ରଖାଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲବିଭାଗ ଏବଂ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Leave a Reply