ଭାରତ-ଚୀନ୍ ମଧ୍ୟରେ ପଞ୍ଚମ କମାଣ୍ଡର ସ୍ତରୀୟ ଆଲୋଚନା… ଜାଣନ୍ତୁ କଣ ରହିଛି ଭାରତର ଦାବି ?

1 min read

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଓ ଦେଶର ସାର୍ବଭୌମତ୍ୱ କ୍ଷେତ୍ରରେ ଭାରତ କେବେବି କୌଣସି ପରିସ୍ଥିତିରେ ବୁଝାବଣା କରିବ ନାହିଁ । ଚୀନ୍ ପ୍ରତିପକ୍ଷଙ୍କ ସହ ପଞ୍ଚମ ଥର ମିଲିଟାରୀ ଆଲୋଚନା ବେଳେ ନୂଆଦିଲ୍ଲୀ ପକ୍ଷରୁ ଏକଥା ସ୍ପଷ୍ଟ କରାଯାଇଛି । ଖାସ୍ ଏହି କାରଣରୁ, ପୂର୍ବ ଲଦାଖର ପାନଗଙ୍ଗ ସେକ୍ଟରରୁ ଚୀନ୍ ତାର ସେନା ଖୁବଶୀଘ୍ର ପ୍ରତ୍ୟାହାର କରିବା ଦରକାର ବୋଲି ଭାରତ ପକ୍ଷରୁ କୁହାଯାଇଛି । ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲର ଚୀନ୍ ପାର୍ଶ୍ୱରେ ଥିବା ମୋଲଡୋରେ ସିନିୟର କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା ।

ଏଥିରେ ୨ ପକ୍ଷ ୧୧ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ । ଭାରତ ସୈନ୍ୟ ଅପସାରଣ ଏବଂ ପୂର୍ବ ସ୍ଥିତି ବଜାୟ ରଖିବାକୁ ବାରମ୍ବାର ଚାପ ପ୍ରୟୋଗ କରିଛି । ସୋମବାର ଏ ପ୍ରସଙ୍ଗରେ ସେନା ମୁଖ୍ୟ ଏମ.ଏମ ନରଭାଣେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ସୂଚନା ଦେଇଥିଲେ । ଜୁଲାଇ ୧୪ ବୈଠକ ପରେ ଚୀନ୍ ସବୁ କ୍ଷେତ୍ରରୁ ସେନା ଅପସାରଣ କରିବା ନେଇ କହିଥିଲା । ମାତ୍ର ପରେ ସାଟେଲାଇଟ୍ ମାଧ୍ୟମରେ ଭାରତ ଭିନ୍ନ କିଛି ବାର୍ତ୍ତା ପାଇଥିଲା ।

ଚୀନ୍ ଏଲଏସିରୁ ନିଜର ସେନା ଅପସାରଣ କରିବା ପରିବର୍ତ୍ତେ, ସେଠାରେ ନିର୍ମାଣ କରିବା ଓ ଦୈଲତା ବେଗ୍ ଓଲଦିରେ ଅଧିକ ୧୭ ହଜାର ଟ୍ରୁପ୍ ସୈନିକ ମୁତୟନ କରିଥିବା ନେଇ ଖବର ପାଇଥିଲା । ଏହାପରେ ଭାରତ ମଧ୍ୟ ସେହି ସବୁ କ୍ଷେତ୍ରରେ ଗତ ୨ ସପ୍ତାହ ମଧ୍ୟରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି । କେବଳ ସେତିକି ନୁହେଁ, ଡିବିଓ ଏବଂ ଦୀପସାଙ୍ଗରେ ଭାରତ ଟି-୯୦ ରେଜିମେଣ୍ଟରୁ ସୈନ୍ୟ ପଠାଇଛି । ହେଭି ଟ୍ୟାଙ୍କ ସହିତ ଅଧିକ ୩୫ ହଜାର ଟ୍ରୁପ୍ ପଠାଇବାର ବ୍ୟବସ୍ଥା କରିଛି । ଗତ ଏପ୍ରିଲ-ମେ ମାସରୁ ଏଲଏସିକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଲାଗି ରହିଛି । ଜୁନ୍ ମାସରେ ଉଭୟ ପକ୍ଷ ମଧ୍ୟରେ ଆକ୍ରମଣ ହୋଇଥିଲା । ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିଲେ ।

Leave a Reply