ମହାନଦୀ ବନ୍ଦରରେ ଖର୍ଚ୍ଚ ୪୦୦୦ କୋଟି, ନିଯୁକ୍ତି ପାଇବେ ୬୦୦୦

1 min read
Pandian Visit

କେନ୍ଦ୍ରାପଡ଼ା: ରବିବାର ଭୋରରୁ 5T ସଚିବ ଭିକେ ପାଣ୍ଡିଆନ୍‌ ଅଚାନକ କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି । ସେଠାରେ ନଦୀ ଭିତ୍ତିକ ବନ୍ଦରର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମହାକାଳପଡ଼ା ବ୍ଲକ୍ ଆଖଡାଶାଳି ଗ୍ରାମ ଅଞ୍ଚଳରେ ହେବାକୁଥିବା ଏହି ବନ୍ଦର ସବୁଦିନିଆ ବହୁମୁଖୀ ସେବା ଯୋଗାଇବ । ବାର୍ଷିକ ୫୪ ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଏହି ବନ୍ଦର ୪,୦୬୨ କୋଟି ଟଙ୍କା ବ୍ୟୟରେ ପିପିପି ମୋଡ୍‌ରେ ନିର୍ମାଣ ହେବାକୁ ଯାଉଛି । ଯାହାର ୨୨ ମେଟ୍ରିକ୍ ଟନ୍ କ୍ଷମତା ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ ।

ଏନେଇ ସହାୟକ ଭିତ୍ତିଭୂମି ଯେପରି ରାସ୍ତାଘାଟ, ରେଳ ଯୋଗାଯୋଗ ଆଦି ବିକାଶ ଦାୟିତ୍ୱ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୩୦୦ ହେକ୍ଟର ଜମି ଚିହ୍ନଟ କରିଛନ୍ତି । ଏଥିସହ ପ୍ରକଳ୍ପ ପାଇଁ ଆବଶ୍ୟକ ସ୍ଥଳେ ଅତିରିକ୍ତ ଜମି ଯୋଗାଇ ଦେବେ ବୋଲି ରାଜ୍ୟ ସରକାର କହିଛନ୍ତି ।

୨୦୧୮ ରେ ରାଜ୍ୟ ସରକାର ମହାନଦୀ ବନ୍ଦର ସ୍ଥାପନ ନେଇ ନିଷ୍ପତ୍ତି ନେବା ସହ ଆରଏଫକ୍ୟୁ ପ୍ରକାଶ କରିଥିଲେ । କିନ୍ତୁ ନିଲାମଧାରୀଙ୍କ ଆଗ୍ରହ ଅଭାବରୁ ଏହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନଥିଲା । ପରେ ପାରାଦୀପ ପୋର୍ଟ ଟ୍ରଷ୍ଟ ଏହି ପ୍ରକଳ୍ପରେ ଆଗ୍ରହ ପ୍ରକାଶ କରି ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା ସ୍ଵାକ୍ଷର ପାଇଁ ପ୍ରସ୍ତାବ ଦେଇଥିଲା ।

ଏହି ବନ୍ଦର କାର୍ଯ୍ୟକ୍ଷମ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଥମ ପର୍ଯ୍ୟାୟରେ ୪୦୦୦ ଓ ଦ୍ଵିତୀୟ ପର୍ଯ୍ୟାୟରେ ୧୭୦୦ ନିଯୁକ୍ତି ସୃଷ୍ଟି କରିବ । ଏହି ନଦୀ ବନ୍ଦର ସହ ରାଜ୍ୟ ସରକାରଙ୍କ ସହଯୋଗରେ ନିର୍ମିତ ହରିଦାସପୁର-ପାରାଦୀପ ରେଳ ଲାଇନ କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଓ ପ୍ରଗତିରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍‌ ପ୍ରସ୍ତାବିତ ମହାନଦୀ ବନ୍ଦର ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ବରିଷ୍ଠ ଅଧିକାରୀଙ୍କ ସମେତ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଏବଂ ଅନ୍ୟ ଅଧିକାରୀମାନେ ପ୍ରସ୍ତାବିତ ଅଞ୍ଚଳ ବୁଲି ଦେଖିଛନ୍ତି ।

ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଉପସ୍ଥିତ ରହି ପ୍ରକଳ୍ପ ବିଷୟରେ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବରମା ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ ।

Leave a Reply