ଆକ୍ରମଣକାରୀଙ୍କ ପାଇଁ ଶ୍ରୀକ୍ଷେତ୍ର ବାହାରେ ମଧ୍ୟ ହୋଇଛି ରଥଯାତ୍ରା,କେବେ ଚକାନାସୀ ତ’ କେବେ ନଇରୀ

ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସବୁବେଳେ ବାହ୍ୟ ଆକ୍ରମଣକାରୀଙ୍କ ଲକ୍ଷ୍ୟରେ ରହି ଆସିଛନ୍ତି । ଶ୍ରୀଜଗନ୍ନାଥ ଓଡ଼ିଶାର ଆତ୍ମା,ଓଡ଼ିଆଙ୍କ ପ୍ରାଣ । ତାଙ୍କୁ ଓ ତାଙ୍କ ମହିମାକୁ ଭୂଲୁଣ୍ଠିତ କଲେ ଓଡ଼ିଆ ଆତ୍ମସମର୍ପଣ କରିବେ । ଏହା ଭଲ ଭାବେ ଜାଣିଥିଲେ ଆଫାଗାନୀଙ୍କଠାରୁ ମୋଗଲ ଆକ୍ରାନ୍ତ । ତେଣୁ ସେମାନେ ସବୁବେଳେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ଓଡ଼ିଆ ଜାତିର ଅସ୍ମିତାକୁ ଧ୍ୱଂସ କରିବାକୁ ଚାହିଁଛନ୍ତି । ଯୁଦ୍ଧର ଘନଘଟା ଓ ପରାଜୟ ଭିତରେ ଓଡ଼ିଆ ଜାତି ନିଜ ପ୍ରିୟ ଭଗବାନଙ୍କୁ ବଡଦେଉଳରୁ ସ୍ଥାନାନ୍ତରିତ କରିଛି । ଅନେକ ବର୍ଷ ଧରି ସେ ଗୋପନବାସରେ ରହିଛନ୍ତି । ପୁଣି କେଇଥର ଶ୍ରୀକ୍ଷେତ୍ର ବାହାରେ ହୋଇଛି ତାଙ୍କ ଘୋଷଯାତ୍ରା । ଶ୍ରୀମନ୍ଦିର ବାହାରେ ହୋଇଥିବା ଘୋଷଯାତ୍ର ପୁରୀ ଭଳି ଭବ୍ୟ ହେଉନଥିଲା ସତ କିନ୍ତୁ ସେତିକି ପ୍ରାଣବନ୍ତ ଥିଲା ।

ଇତିହାସରେ ୫ ଥର ପୁରୀ ବାହାରେ ରଥଯାତ୍ରା ହୋଇଥିବାର ପ୍ରମାଣ ରହିଛି । ଆସନ୍ତୁ ନଜର ପକାଇବା କେବେ ଓ କେଉଁଠି ଶ୍ରୀଜଗନ୍ନାଥ ରଥାରୁଢ ହୋଇ ଭକ୍ତଙ୍କୁ ଦେଇଥିଲେ ଦର୍ଶନ..

ଚକାନାସିରେ ରଥଯାତ୍ରା

୧୬୧୧ । ସେହିବର୍ଷ ରଥଯାତ୍ରା ପାଖେଇ ଆସିବା ସହ ମୋଗଲ ସେନାପତି କଲ୍ୟାଣ ମଲ୍ଲର ପୁରୀ ଆକ୍ରମଣ ଆଶଙ୍କା ଘନୀଭୁତ ହେଉଥିଲା । ରଥଯାତ୍ରା ତ’ ଅସମ୍ଭବ ଥିଲା ଖୋଦ ଓଡ଼ିଶାର ମଉଡମଣି ଅସୁରକ୍ଷିତ ହୋଇପଡିଥିଲେ । ଶ୍ରୀଜଗନ୍ନାଥଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି ନିଆଯାଇଥିଲା । ଭାର୍ଗବୀ ନଦୀ ଦେଇ ଚିଲିକାର ଚକାନାସିଠାରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ବିଜେ କରାଯାଇଥିଲା ।  ସେହିଠାରେ ପ୍ରଭୁଙ୍କର ରଥଯାତ୍ରା ହୋଇଥିଲା । କିମ୍ବଦନ୍ତି ଅନୁସାରେ ରଥ ଆକାରର ଶଗଡିରେ ହୋଇଥିଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ।

ଗଡମାଣିତ୍ରୀରେ ରଥଯାତ୍ରା

ଭୋଇ ବଂଶର ରାଜା ଶ୍ରୀପୁରୁଷୋତ୍ତମ ଦେବଙ୍କ ଶାସନ କାଳରେ ୧୬୧୭ ଖ୍ରୀଷ୍ଟାବ୍ଦରେ ମକରମ ଖାଁ ଖୋର୍ଦ୍ଧା ଗଡ ଉପରେ ଆକ୍ରମଣ କରିଥିଲା । ରାଜା ଗଡମାଣିତ୍ରୀକୁ ପଳାୟନ କରିଥିଲେ । ୧୬୨୨ରେ  ସୁବେଦାର ଅହମ୍ମଦ ବେଗ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଶ୍ରୀଜଗନ୍ନାଥଙ୍କୁ ତତ୍କାଳ ଅନ୍ଧାରିଗଡକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରୁ ପୁଣି ଗଡମାଣିତ୍ରୀକୁ ଠାକୁରେ ସ୍ଥାନାନ୍ତରିତ ହେଲେ । ତେବେ ସମୟ କମ ଥିବାରୁ କେବଳ ବ୍ରହ୍ମଙ୍କୁ ପାଟବସ୍ତ୍ରରେ ଆଛାଦିତ କରି ଗଡମାଣିତ୍ରୀ ନିଆଯାଇଥିଲା । ସେଠାରେ ଚତୁର୍ଦ୍ଧା ମୁର୍ତ୍ତି ତିଆରି ହୋଇଥିଲେ । ବ୍ରହ୍ମ ପ୍ରତିଷ୍ଠା କରାଯାଇଥିଲା । ୧୬୨୪ ମସିହାରେ ଗଡମାଣିତ୍ରୀରେ ହୋଇଥିଲା ରଥଯାତ୍ରା ।ୀ

ବଡହନ୍ତୁଆଡରେ ଦୁଇଥର ରଥଯାତ୍ରା

୧୬୯୨ରୁ ୧୭୦୭ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ବାଣପୁରର ବଡହନ୍ତୁଆଡ ଗ୍ରାମରେ ୧୫ ବର୍ଷ ରହିଥିଲେ । କାରଣ ଥିଲା ସମାନ । ମୁସଲିମ୍ ଆକ୍ରାନ୍ତା ଶ୍ରୀଜଗନ୍ନାଥଙ୍କ ଉପରେ ଆକ୍ରମଣ କରି ଓଡ଼ିଆଙ୍କୁ ପରାଜିତ କରିବାକୁ ଚାହୁଁଥିଲେ । ୧୫ ବର୍ଷ ଧରି ଶ୍ରୀଜଗନ୍ନାଥ ସେଠାରେ ରହିବା ଭିତରେ ଦୁଇ ଥର ନିରାଡମ୍ବର ଭାବେ ତାଙ୍କ ରଥଯାତ୍ରା ହୋଇଥିଲା ।

ନଇରୀରେ ରଥଯାତ୍ରା

୧୭୩୧ରୁ ୧୭୩୩ ମଧ୍ୟରେ ବଙ୍ଗର ଆଫଗାନୀ ସୁବେଦାର ତକି ଖାଁ ବାରମ୍ବାର ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ମହାପ୍ରଭୁଙ୍କୁ ଚିଲିକା ବାଟଦେଇ ନଇରୀକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ହରୀଶ୍ୱର ମଣ୍ଡପସ୍ଥିତ ପଥର ଚକଡାରେ ଭଗବାନ ଅବସ୍ଥାନ କରିଥିଲେ । ସେହି ସମୟରେ ୧୭୩୩ ମସିହାରେ ରଥଯାତ୍ରା ପଡିଥିଲା । ତେଣୁ ତିନୋଟି ଶଗଡି ରୂପକ ରଥରେ ତିମି ମୁର୍ତ୍ତିଙ୍କୁ ବସାଇ କରାଯାଇଥିଲା ରଥଯାତ୍ରା । ସେହି ସମୟରେ ଗଜପତି ମହାରାଜ ରାମଚନ୍ଦ୍ର ଦେବ(୨ୟ) ବାରବାଟିରେ ବନ୍ଦୀ ଥିଲେ । ରଥଯାତ୍ରା ତାଙ୍କ ପୁଅ କୃଷ୍ଣରାୟଙ୍କ ତଦାରଖରେ ହୋଇଥିଲା ।

Leave a Reply