୮୮ ବର୍ଷରେ ପାଦ ଥାପିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ; ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ଅଜଣା କଥା…

1 min read

ଭୁବନେଶ୍ୱର: ବିଗତ ଦିନରେ ଦେଶର ପ୍ରଧାନମନ୍ତ୍ରୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀର ଦାୟିତ୍ୱ ନେଇଛନ୍ତି  ଡଃ ମନମୋହନ ସିଂ । ଆଜି ତାଙ୍କର ଜନ୍ମ ଦିବସ । ଭାରତୀୟ ଇତିହାସର ଜଣେ ଶ୍ରେଷ୍ଠ ଅର୍ଥନୀତିଜ୍ଞ ଭାବେ ମନମୋହନଙ୍କର ପ୍ରଖର ଖ୍ୟାତି ରହିଥିବା ବେଳେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ନୂଆ ଦିଗନ୍ତ ଦେବା ଦିଗରେ ସେ ଯଥେଷ୍ଟ ପ୍ରଚେଷ୍ଟା କରି ସଫଳ ହୋଇଛନ୍ତି । ୧୯୯୧ ମସିହାରେ ତାଙ୍କ ଉଦାରୀକରଣର ପ୍ରଭାବରେ ଏକ ନୂଆ ଓ ଭିନ୍ନ ଭାରତ ତିଆରି ହୋଇଛି । ତେବେ ପ୍ରଧାନମନ୍ତ୍ରୀ ଭାବେ ଏକ ଦଶନ୍ଧୀର ଦାୟିତ୍ୱ ନେଇଥିବା ମନମୋହନ ସିଂ ଭାରତ ପାଇଁ ଅନେକ କଥା କରିଛନ୍ତି ।

ତେବେ ତାଙ୍କ ଜନ୍ମଦିନରେ ଆଜି ତାଙ୍କ ସମ୍ପର୍କରେ ଏମିତି ୫ଟି କଥା ଜାଣିବା ଯାହା ଖୁବ୍ କମ୍ ଆଲୋଚିତ ପ୍ରସଙ୍ଗ-

ହିନ୍ଦୀ ପଢ଼ିବା ଜାଣିନଥିଲେ-

ଭାରତରେ ଥିବା ଭାଷାଗତ ବିବିଧତାର ଏକ ବଡ଼ ଉଦାହରଣ ହେଲେ ମନମୋହନ ସିଂ । ଦେଶର ଅଧିକାଂଶ ରାଜ୍ୟ ହିନ୍ଦୀଭାଷୀ ହୋଇଥିଲେ ମଧ୍ୟ ନିଜେ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହିନ୍ଦୀ ପଢିବା ଜାଣିନଥିଲେ । ହିନ୍ଦୀ ଲିପିକୁ ପଢିବାରେ ତାଙ୍କୁ ବହୁ ସମସ୍ୟା ହେଉଥିଲା । ସେଥିପାଇଁ କାର୍ଯ୍ୟାଳୟରେ ତାଙ୍କ ପଠନ ବିଷୟବସ୍ତୁକୁ ଉର୍ଦ୍ଦୁ ଭାଷାରେ ଲେଖିବାକୁ ପଡ଼ୁଥିଲା । ଏପରିକି ତାଙ୍କ ଭାଷଣକୁ ମଧ୍ୟ ଉର୍ଦ୍ଦୁ ଭାଷାରେ ଲେଖିବାକୁ ପଡ଼ୁଥିଲା । ମନମୋହନ ହିନ୍ଦୀ ଓ ଇଂଗ୍ରାଜୀ ଭାଷାରେ ପଢ଼ିବାକୁ ପସନ୍ଦ କରୁଥିଲେ ।

ଲାଜକୁଳା ସ୍ୱଭାବରେ ବ୍ୟକ୍ତିତ୍ୱ ଥିଲେ –

ମନମୋହନ ପିଲାବେଳୁ ହିଁ ଜଣେ ଲାଜକୁଳା ସ୍ୱଭାବର ମଣିଷ ଥିଲେ । ଏପରିକି କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବା ବେଳେ ମଧ୍ୟ ସେ ନିଜ ସହପାଠୀଙ୍କ ସହ ମିଳାମିଶା କରୁଥିଲେ । ବ୍ୟକ୍ତିଗତ ଜୀବନରେ ତାଙ୍କ କମ୍ ବନ୍ଧୁ ମଧ୍ୟ ରହିଛନ୍ତି । ବିବିସି ନ୍ୟୁଜ ଚ୍ୟାନେଲକୁ ଏକ ସାକ୍ଷାତକାର ଦେବା ସମୟରେ ମନମୋହନ କହିଥିଲେ ଯେ ସେ ଆଦୌ ମେଳାପୀ ନୁହଁନ୍ତି ଓ ଛାତ୍ରାବାସରେ ସେ ଭୋରରୁ ଉଠି ନିଜ ନିତ୍ୟକର୍ମ ସାରନ୍ତି । ସକାଳ ଛାତ୍ରାବାସରେ ନିତ୍ୟକର୍ମ ପାଇଁ ଗହଳି ହେବା ପୂର୍ବରୁ ସେ ଏହିଭଳି କରିବା ପସନ୍ଦ କରନ୍ତି ।

ପିଲା ବେଳେ ମା’ଙ୍କୁ ହରାଇଥିଲେ –

ମନମୋହନ ଛୋଟ ଥିବା ବେଳେ ନିଜ ମାଆଙ୍କୁ ହରାଇଥିଲେ । ନିଜ ଜେଜେ ମାଆଙ୍କ ପାଖରେ ତାଙ୍କର ଲାଳନପାଳନ ହୋଇଥିଲା । ପଞ୍ଜାବର ଏକ ଗାଁରେ ସେ ନିଜ ଜେଜେ ମାଙ୍କ ସହ ରହୁଥିଲେ । ଏବେ ଉକ୍ତ ଗାଁଟି ପାକିସ୍ତାନର ଅଂଶବିଶେଷ ।

ବିନା ବିଦ୍ୟୁତରେ ୧୨ ବର୍ଷ-

ଜୀବନର ୧୨ ବର୍ଷ ବିନା ବିଦ୍ୟୁତ୍ ସେବାରେ କାଟିଛନ୍ତି ମନମୋହନ ସିଂ ।  ମନମୋହନଙ୍କ ଗ୍ରାମରେ ପିଇବା ପାଣି, ସ୍କୁଲ ଓ ବିଦ୍ୟୁତ୍ ସେବାର ସୁବିଧା ନଥିଲା । ଏପରିକି ପାଖରେ ସ୍କୁଲ ନଥିବା ହେତୁ ତାଙ୍କୁ ଦୁଇରୁ ତିନି ମାଇଲ ଚାଲିଚାଲି ଯିବାକୁ ପଡ଼ୁଥିଲା । ଜୀବନର ପ୍ରାରମ୍ଭରେ ଯଥେଷ୍ଟ ସଂଘର୍ଷ କରିଥିବା ଶ୍ରୀ ସିଂ ପିଲାବେଳେ ବିଦ୍ୟୁତ ନେଇ ସବୁଠାରୁ ଅଧିକ ସମସ୍ୟାରେ ଥିବା କଥା କୁହନ୍ତି । ସେ ନିଜ କହିଛନ୍ତି ଯେ ବିଦ୍ୟୁତ ବିନା ବଞ୍ଚିବା ସମ୍ଭବ ପର ନଥିଲେ ମଧ୍ୟ ସେ ସେହି ପରିସ୍ଥିତି ସହ ସାଲିସ କରିଥିଲେ । ମାତ୍ର ବିଦ୍ୟୁତ ବିନା ତାଙ୍କ ପାଠ ପଢାରେ ମଧ୍ୟ ଅବହେଳା ହୋଇଥିଲା, ଯାହା ତାଙ୍କୁ ସେ ସମୟରେ ମର୍ମାହତ କରୁଥିଲା ।

ପାକିସ୍ତାନ ଛାଡ଼ି ଭାରତ ଆସିଥିଲେ-

୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ବେଳେ ମନମୋହନଙ୍କ ପରିବାର ଭାରତରେ ମିଶିବାକୁ ପସନ୍ଦ କରିଥିଲେ । ସେତେବେଳେ ତାଙ୍କୁ ୧୪ ବର୍ଷ ବୟସ ହୋଇଥିଲା । ପରିବାର ସହ ସେ ପଞ୍ଜାବର ଅମୃତସରରେ ଆସି ରହିଥିଲେ ।

 

 

Leave a Reply