ଗଞ୍ଜାମ ସହରାଞ୍ଚଳରେ ଆଜିଠୁ ୧୩ ତାରିଖ ଯାଏଁ ସଟଡାଉନ୍… ପ୍ରାୟ ୭ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରିବେ ୨ଶହ ଟିମ୍

1 min read

ଗଞ୍ଜାମ: ପ୍ରତି ଦିନ ଗଞ୍ଜାମରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଗଞ୍ଜାମ ସହରାଞ୍ଚଳରେ ଆଜିଠୁ ୧୩ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଓ ଜିଲ୍ଲାର ୧୬ ଏନଏସିରେ କଟକଣା ଲାଗୁ ହେବ । ଏଥିସହ ୫ଟି ବ୍ଲକ ହେଡକ୍ୱାର୍ଟର ଧରାକୋଟ, ସାନଖେମୁଣ୍ଡି, ଶେରଗଡ଼, ପାତ୍ରପୁର ଓ ଜଗନ୍ନାଥ ପ୍ରସାଦ ମଧ୍ୟ ସମ୍ପୂର୍ଣ୍ଣ ସଟଡାଉନ୍ କରାଯାଇଛି । ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ପ୍ରାୟ ୭ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରିବେ ।

୨୦୦ଟି ସ୍ୱାସ୍ଥ୍ୟଟିମ୍‌ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହି ସମୟରେ କୌଣସି ଲକ୍ଷଣ ନଲୁଚାଇବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି । ସହରାଞ୍ଚଳରେ ସର୍ଭେ ସରିବା ପରେ ଗ୍ରାମାଞ୍ଚଳରେ ସର୍ଭେ କରାଯିବ । ସଟଡାଉନରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଛି । କ୍ଷୀର ଗାଡ଼ି, ହସପିଟାଲ ସେବା ଓ ମେଡିସିନ୍ ଷ୍ଟୋର ଖୋଲା ରହିବ । ତେବେ ସାଧାରଣ ଲୋକଙ୍କ ପାଇଁ ସହରାଞ୍ଚଳର ସମସ୍ତ ସରକାରୀ ଅଫିସ ଓ ବ୍ୟାଙ୍କ ବନ୍ଦ ରହିବ । ସେପଟେ ଗଞ୍ଜାମ ସହ ଖୋର୍ଦ୍ଧା ଓ ନୟାଗଡ଼ର ସୀମା ସିଲ୍ କରାଯାଇଛି ।

ସେପଟେ ବୁର୍ଲା ସହର ମଧ୍ୟ ୪୮ଘଣ୍ଟା ପାଇଁ ସଟଡାଉନ । ସଂକ୍ରମଣ ରୋକିବାକୁ ନିଆଯାଇଛି ପଦକ୍ଷେପ । ବୁର୍ଲାର ପିସି ବ୍ରିଜ୍ ଛକଠାରୁ ଆରମ୍ଭ କରି ଗୋଲଗୁଣ୍ଡା ପର୍ଯ୍ୟନ୍ତ ସମ୍ପୂର୍ଣ ଭାବରେ ବନ୍ଦ ହୋଇଛି। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ମନା ହୋଇଛି । କେବଳ ବୁର୍ଲା ଭୀମସାର ସମେତ କିଛି ଜରୁରୀ କାଳୀନ ସେବାକୁ ଛାଡି ଦେଲେ ବାକି ସମସ୍ତ ପ୍ରକାର ସେବା ପ୍ରାୟତଃ ବନ୍ଦ ରହିଛି।

ଚୀନରେ ବ୍ଲାକ ଡେଥ୍ ର ଆତଙ୍କ, କରୋନା ଓ ହନ୍ତା ଭାଇରସ ପରେ ବ୍ୟୁବୋନିକ୍ ପ୍ଲେଗ

ବୁର୍ଲା ଫାଣ୍ଡି ଛକ, ପିଜି ଛକ, ଗୋପବନ୍ଧୁ ଛକ, ବୋର୍ଡ କଲୋନୀ, ତେଲେଗୁ ପଡା, ଗୁରୁଦ୍ୱାର କଲୋନୀ, କଣ୍ଟ୍ରାକ୍ଟର କଲୋନୀ, ଗାନ୍ଧୀ ପଡା, ଭକ୍ତି ମଣ୍ଡପ ଆଦି ସ୍ଥାନକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ନିଆଯାଇଛି। ସଟ ଡାଉନ ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ପ୍ରଶାସନ କହିଛି । ଏପରିକି ଯାତାୟତ ଉପରେ ମଧ୍ୟ ଲାଗିଛି କଟକଣା । ଆଗରୁ VSSUT କଲୋନୀ ସଟ ଡାଉନ କରାଯାଇଛି ।

(ନନ୍ଦିଘୋଷ ବ୍ୟୁରୋ ରିପୋର୍ଟ)

Leave a Reply