କରୋନା କଟକଣା ଭିତରେ OTDC ପାଳିଲା ୪୧ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: କରୋନା କଟକଣା ଭିତରେ ଓଟିଡିସି ପାଳିଲା ୪୧ ତମ ପ୍ରତିଷ୍ଠା ଦିବସ । ୧୯୭୯ ମସିହା ସେପ୍ଟେମ୍ବର ୩ ତାରିଖରେ ପ୍ରତିଷ୍ଠା ହୋଇଥିଲା ଓଟିଡିସି । ତେବେ ଏହି ପ୍ରତିଷ୍ଠା ଦିବସକୁ ପୁରା ନିରାଡ଼ାମ୍ବର ଭାବରେ ପାଳନ କରାଯାଇଛି । ଓଟିଡିସିର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଛି ପ୍ରତିଷ୍ଠା ଦିବସ । ତେବେ ଏଥିରେ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ ଦେଇଥିଲେ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ଯୋଗଦେଇ ଶ୍ରୀମୟୀ କହିଛନ୍ତି ରାଜ୍ୟରେ ପର୍ଯ୍ୟଟନର ବିକାଶ ଯାତ୍ରାରେ ଓଟିଡିସି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ସହ ଏକ ଲାଭଦାୟକ ଅନୁଷ୍ଠାନ ମଧ୍ୟ ହୋଇପାରିଛି ।

ଖାଲି ସେତିକି ନୁହେଁ ଏହି କରୋନା କାଳରେ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି । ତଥାପି ନିଗମ ନିଜର ୨୧ ପାନ୍ଥନିବାସ ଓ ୨ଟି ପରିବହନ ୟୁନିଟ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ଦୈନିକ ଖାଦ୍ୟ, ପାନୀୟ, ରହିବା ଓ ପରିବହନ ସୁବିଧା ଯୋଗାଇ ପ୍ରଶଂସିତ ହୋଇଛି ବୋଲି ଅଧ୍ୟକ୍ଷା କହିଛନ୍ତି । ଏହା କେବଳ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ପାଇଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିଗମ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ସାଧାରଣ ଲୋକଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । ସେପଟେ ଓଟିଡିସି ଦ୍ୱାରା ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ଅତିଥି ମାନଙ୍କ ପାଇଁ କଣ ସୁବିଧା କରାଯାଇଛି ସେନେଇ ମଧ୍ୟ ସୂଚନା ଦେଇଥିଲେ ।

କରୋନା ସମୟରେ ଲୋକଙ୍କ ମଧ୍ୟରେ ଓଡ଼ିଆ ଖାଦ୍ୟର ପ୍ରସାର ପାଇଁ ରଜରେ ପିଠା ଲୋକଙ୍କ ପାଖରେ ପହଞ୍ଚା ଯାଇଥିଲା । ଏହା କେବଳ ବିଭାଗର ପଦାଧିକାରୀଙ୍କଠୁ ଆରମ୍ଭ କରି ନିଗମ କର୍ମଚାରୀ ସମସ୍ତଙ୍କ ପରିଶ୍ରମ ଏବଂ ସହଯୋଗ ପାଇଁ ଏହା ସମ୍ଭବ ହୋଇପାରିଛି । ସେପଟେ ଅତିଥି ଦେବୋ ଭବଃ ସ୍ଳୋଗାନକୁ ଆଧାର କରି ଦେଶ ଓ ବିଦେଶ ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ କରିବା ପାଇଁ ନିଗମ ନିଜର ପ୍ରତିଷ୍ଠା ଦିବସରେ ଏକ ସ୍ୱତନ୍ତ୍ର ଅଡିଓ/ଭିଡିଓ ଉନ୍ମୋଚନ କରାଯାଇଛି ।

Leave a Reply