ଆଜି ବିହାରରେ ମୋଦିଙ୍କର ୩ ନିର୍ବାଚନୀ ରାଲ୍ଲି, ଚିରାଗଙ୍କ ଉପରେ ରଖିବେ କି ମନ୍ତବ୍ୟ ?

ଭୁବନେଶ୍ୱର: ବିହାର ମହାସମରରେ ପ୍ରଚାର ପ୍ରସାର ଜୋରସୋରରେ ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିହାରରେ ଦେଖିବାକୁ ମିଳିବ । ଗୋଟିଏ ଦିନରେ ମୋଦିଙ୍କର ତିନି ତିନୋଟି ରାଲ୍ଲିର କାର୍ଯ୍ୟକ୍ରମ ରହିଛି । ସାସାରାମ, ଭାଗଲପୁର ଓ ଗୟାରେ ପ୍ରଧାନମନ୍ତ୍ରୀଙ୍କର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ତେବେ ଏବେ ଏନଡିଏ ଗଠବନ୍ଧନ ପକ୍ଷରୁ ହେଉଥିବା ଏହି ପ୍ରଚାର ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଯୋଗ ଦେବେ ।

ମଞ୍ଚରେ ପ୍ରଧାନମନ୍ତ୍ରୀ ସମେତ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ମୋଦି ଏଲଜେପି ଉପରେ କଣ ପ୍ରତିକ୍ରିୟା ରଖିବେ ସେନେଇ ଅନେକଙ୍କ ନଜର ରହିଛି । ଚିରାଗ ପାଶୱାନ ମୋଦିଙ୍କୁ ସମର୍ଥନ ଓ ନୀତିଶଙ୍କୁ ବିରୋଧ କରି ବିହାରରେ ଏକ ନିଆରା ନିର୍ବାଚନୀ ଗୋଟିଚାଳନା କରିଛନ୍ତି । ବିନା ସହଯୋଗୀରେ ଏଥର ଏଲଜେପି ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି  । କେବଳ ନୀତିଶଙ୍କ ବିରୋଧରେ ପ୍ରାର୍ଥି ଦେବା ପାଇଁ ଘୋଷଣା କରିଥିବା ବେଳେ ବିଜେପିକୁ ସବୁ ପ୍ରକାର ସମର୍ଥନ ଦେବା କଥା କହିଛନ୍ତି । ଏପରିକି ଯେଉଁ ବିଜେପି ନେତାଙ୍କୁ ଟିକେଟ୍ ମିଳିବା ସମ୍ଭବପର ହୋଇ ପାରିଲାନାହିଁ, ଚିରାଗ ପାଶୱାନ ସେମାନଙ୍କୁ ନିଜ ଦଳରୁ ଟିକେଟ୍ ଦେଇଛନ୍ତି ।

ଏହାବ୍ୟତୀତ ଜେଡିୟୁର କିଛି ଅସନ୍ତୁଷ୍ଟ ନେତା ମଧ୍ୟ ଏଲଜେପି ପକ୍ଷରୁ ନିର୍ବାଚନ ଲଢୁଛନ୍ତି । ପାଖାପାଖି ଏଭଳି ୧୫ ଜଣ ଅସନ୍ତୁଷ୍ଟ  ଜେଡିୟୁ ନେତା ଏଲଜେପି ପକ୍ଷରୁ ନିର୍ବାଚନ ଲଢୁଛନ୍ତି । ଅର୍ଥାତ୍ ବିହାରରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଚିତ୍ର ସାମାନ୍ୟ ଅଲଗା ହୋଇପାରେ । ଅନ୍ୟପକ୍ଷରେ ଚିରାଗ ନିଜକୁ ମୋଦିଙ୍କର ହନୁମାନ ବୋଲି ମଧ୍ୟ କହିଛନ୍ତି । ଏଭଳି ସ୍ଥିତିରେ ମୋଦି ନିଜ ରାଲ୍ଲିରେ ଚିରାଗଙ୍କୁ ନେଇ କଣ ପ୍ରତିକ୍ରିୟା ରଖିବେ ତାହା ଉପରେ ନଜର ରହିବ ।

Leave a Reply