ଉତ୍ତରପ୍ରଦେଶ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି, ୩ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁରାଦନଗରରେ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା୨୫କୁ ବଢିଛି। ଏହି ଘଟଣାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି ।

ମୁରାଦନଗର ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାରିକା ଚୌହାନ, କନିଷ୍ଠଯନ୍ତ୍ରୀ ଚନ୍ଦ୍ରପାଲ, ସୁପରଭାଇଜର ଆଶିଷ, ଠିକାଦାର ଅଜୟ ତ୍ୟାଗୀଙ୍କ ନାଁରେ ମୁରାଦନଗର ଥାନାରେ ମାମଲା ରୁଜୁ ହୋଇଥିଲା। ଗତକାଲି ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରିବାକୁ ଯାଇଥିବା ବେଳେ ଛାତ ଭୁଶୁଡ଼ିଥିଲା। ଅଘଟଣ ନେଇ ତଦନ୍ତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ଗାଜିଆବାଦ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୬୪ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଗତ କିଛି ମାସ ତଳେ ଶବଦାହ ଗୃହର ଉନ୍ନତୀକାରଣ କାର୍ଯ୍ୟ କରାଯାଇଥିଲା। ଏପର୍ଯ୍ୟନ୍ତ ସମ୍ପୃକ୍ତ ଠିକାଦାରଙ୍କୁ ୪୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ତେବେ ନିର୍ମାଣ କାର୍ଯ୍ୟର ତଦାରଖ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କରାଯାଇ ନଥିବା ମାନିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ । ସେପଟେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାକୁ ୟୁପି ସରକାର ଘୋଷଣା କରିଛନ୍ତି ।

ଉତ୍ତରପ୍ରଦେଶରେ ଘଟିଥିବା ଏହି ଦୁର୍ଘଟଣାରେ ଗତକାଲି ମୃତାହତଙ୍କ ପାଇଁ ଶୋକବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଶୋକବାର୍ତ୍ତା ଜଣାଇଥିଲେ।

ସୂଚନାଯୋଗ୍ୟ, ଗାଜିଆବାଦର ମୁରାଦନଗରର ବମ୍ବା ରୋଡ୍‌ରେ ଥିବା ଶ୍ମଶାନରେ କିଛି ଲୋକେ ଏକ ଶବ ଦାହ କରିବାକୁ ଯାଇଥିଲେ । ସେହି ସମୟରେ ବର୍ଷା ହେବାରୁ ପ୍ରାୟ ୪୦ଜଣ ଶ୍ମଶାନରେ ଥିବା ଏକ ପୁରୁଣା କୋଠାଘରେ ଆଶ୍ରୟ ନେଇଥିଲେ । ବର୍ଷା କାରଣରୁ କୋଠାର ଛାତ ହଠାତ୍ ଭୁଶୁଡି ପଡ଼ିଥିଲା । ଫଳରେ କୋଠା ତଳେ ସମସ୍ତେ ଚାପି ହୋଇଯାଇଥିଲେ । ସ୍ଥିତି ଏଭଳି ହୋଇଥିଲା, କୋଠା ତଳୁ କେହି ବି ବାହାରି ପାରିନଥିଲେ ।

ଖବରପାଇ ପୋଲିସ, ଦମକଳ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ୧୯ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ, ଉଦ୍ଧାର ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ମୃତ୍ୟୁ ତାଲିକା ବଢିଥିବା ଜଣାପଡିଛି ।

Leave a Reply