‘କୋଭିଡ୍-୧୯ କେୟାର ସେଣ୍ଟର’ ରୂପେ ପ୍ରସ୍ତୁତ ରେଲୱେର ୨୧୫ ଷ୍ଟେସନ୍

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ପ୍ରସ୍ତୁତ ରହିଛି ଭାରତୀୟ ରେଳବାଇ । ଦେଶର ୨୧୫ଟି ଷ୍ଟେସନରେ ଭାରତୀୟ ରେଳବାଇ ଆଇସୋଲେସନ୍ କୋଚକୁ ପ୍ରସ୍ତୁତ କରି ରଖିଛି । ଏହି ଆଇସୋଲେସନ୍ କୋଚରେ ଆକ୍ରାନ୍ତ ଚିକିତ୍ସା ସହ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯିବ ।

ଯଦି ଚିକିତ୍ସା ବେଳେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼େ ତେବେ, ତାଙ୍କୁ ମେଡିକାଲ ସ୍ଥାନାନ୍ତରଣ କରାଯିବ । ସଂକ୍ରମଣ ଏଡ଼ାଇବା ପାଇଁ ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କୁ ଅଲଗା ଅଲଗା କୋଚରେ ରଖାଯିବ । ଆଇସୋଲେସନ୍ କୋଚଗୁଡ଼ିକୁ ଗ୍ରୀନ୍, ୟେଲୋ ଜୋନରେ ମଧ୍ୟ ରଖାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋଭିଡ୍ ହସ୍ପିଟାଲ ନିକଟରେ ଥିବା ରେଲୱେ ଷ୍ଟେସନରେ ଏହି ଆଇସୋଲେସନ୍ କୋଚଗୁଡ଼ିକୁ ରଖାଯିବ ।

ଦିଲ୍ଲୀ, ମୁମ୍ବାଇ, ବେଙ୍ଗଳୁରୁ, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା ମେଟ୍ରୋ ସିଟି ସମେତ ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ଆସାମ, ଅରୁଣାଚଳ ପ୍ରଦେଶ, ହରିୟାଣା, ପଶ୍ଚିମବଙ୍ଗ, ଜମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ତେଲଙ୍ଗାନା, ବିହାର, ଆନ୍ଧ୍ରପ୍ରଦେଶ, ହରିୟାଣା, ଓଡ଼ିଶା, ଛତିଶଗଡ଼, ତ୍ରିପୁର, ତାମିଲନାଡ଼ୁ, ଗୋଆ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ଏହି ସୁବିଧା ଉପଲବ୍ଧ ହେବ ।

ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିବେ ଆରପିଏଫ୍ । ଜନସାଧାରଣଙ୍କ ଠାରୁ ଦୂରତା ବଜାୟ ରଖିବା ପାଇଁ ରେଲୱେ ଷ୍ଟେସନ୍, ପ୍ଲାଟଫର୍ମରେ ସୂଚନା ଫଳକ ଲଗାଯିବ । ୨୧୫ ଷ୍ଟେସନ୍ ମଧ୍ୟରୁ ୮୫ଟି ଷ୍ଟେସନରେ ସେମାନଙ୍କ ନିଜସ୍ୱ ମେଡିକାଲ୍ ଷ୍ଟାଫ୍ ରହିଛନ୍ତି । ଅନ୍ୟ ସ୍ଥାନରେ ସମ୍ପୃକ୍ତ ସରକାର ଷ୍ଟାଫ ଓ ଔଷଧ ଯୋଗାଇଦେବେ ।

ଏବେ ସୁଦ୍ଧା ୫ ହଜାର ୧୫୦ଟି ଆଇସୋଲେସନ୍ କୋଚ୍ ପ୍ରସ୍ତୁତ ହୋଇ ରହିଛି । ହସ୍ପିଟାଲ୍ ଅନ୍ ହ୍ୱିଲ୍ସ ଭାବେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏହାକୁ କନର୍ଭଟ କରିବାକୁ ଯୋଜନା ହୋଇଛି । ରେଳବାଇ ପକ୍ଷରୁ କୋଚ୍ ଗୁଡ଼ିକୁ ନିୟମିତ ସଫା କରିବା ସହ ଧୁଆ ଯାଉଛି । ଏଥିରେ ଆଇଆରସିଟିସି ଖାଦ୍ୟ ଯୋଗାଣ କରିବ ବୋଲି ଜଣାପଡ଼ିଛି ।

Leave a Reply