ଆଜି କାର୍ଗିଲ ବିଜୟ ଦିବସକୁ ପୁରିଲା ୨୧ ବର୍ଷ: ବଳିଦାନ ଦେଇଥିବା ଯବାନଙ୍କୁ ମନେ ପକାଇ ଦେଶ ଗର୍ବିତ

ନୂଆଦିଲ୍ଲୀ: ଯୁଦ୍ଧର ନାଁ ଶୁଣିଲେ ଆଗ ଭାରତୀୟଙ୍କ ମନକୁ କାର୍ଗିଲ କଥା ଆସେ । ଟାଇଗର ହିଲକୁ କେମିତି ଦେଶର ବୀର ଯବାନ ଅକ୍ତିଆର କରିଥିଲେ ମନରେ ଉଙ୍କି ମାରେ । କାର୍ଗିଲର ଦୃଶ୍ୟ ମନରେ ଭାବିଲେ ରୁମ ଟାଙ୍କୁରି ଉଠେ । ୬୦ ଦିନର ଭୋକିଲା ଓ ଶୋଷିଲା ଶୀତରେ ମଧ୍ୟ ଥଣ୍ଡା ପଡ଼ିନଥିଲା ଦେଶର ବୀର ଯବାନଙ୍କ ରକ୍ତ । କାରଣ ସେ ସମୟ ହିଁ ଥିଲା କିଛି ସେମିତି । ୧୯୪୭ରେ ଆମ ଦେଶ ଭାରତ ସ୍ୱାଧୀନ ହୋଇଥିଲା । ଏହା ପରେ ଭାରତ ଏବଂ ପାକିସ୍ତାନ ଦୁଇଟି ପୃଥକ ଦେଶ ଭାବେ ପରିଚିତ ହୋଇଥିଲେ । କିନ୍ତୁ ଏହାପରେ ପାକିସ୍ତାନ ତାର ଅସଲ ରୂପ ଦେଖାଇବା ଆରମ୍ଭ କରିଥିଲା । ଭାରତର ଭୂସ୍ୱର୍ଗ କାଶ୍ମୀରକୁ ଅକ୍ତିଆର କରିବା ପାଇଁ ଉଲଂଙ୍ଘନ କରୁଥିଲା ଗୋଟିଏ ପରେ ଗୋଟିଏ ସୀମା । ଜୁଲାଇ ୧୯୯୯ ମସିହାରେ ପାକିସ୍ତାନର କେତେକ ଅନୁପ୍ରବେଶକାରୀ ଭାରତର କାର୍ଗିଲ ଜିଲ୍ଲା ଅକ୍ତିଆର କରିବାପାଇଁ ଆସ୍ଥାନ ଜମାଇଥିଲା । ତାପରେ ଆରମ୍ଭ ହୋଇଥିଲା କାର୍ଗିଲ ଯୁଦ୍ଧ ।

 

କାର୍ଗିଲ ଯୁଦ୍ଧକୁ ଆଜି ୨୧ ବର୍ଷ ପୁରିଛି । ୧୯୯୯ ରେ, ୨୬ ଜୁଲାଇ ଦିନ ଥିଲା ଯେତେବେଳେ ଭାରତୀୟ ସୈନିକମାନେ ପାକିସ୍ତାନୀ ସୈନ୍ୟମାନଙ୍କୁ ଘଉଡାଇ କାର୍ଗିଲ ପାହାଡରେ ତ୍ରିରଙ୍ଗା ଉଡ଼ାଇଥିଲେ । ଅମର ଯବାନମାନେ ସେମାନଙ୍କର ଅଦମ୍ୟ ସାହସ ଦେଖାଇଲେ ଏବଂ ଯୁଦ୍ଧ କରୁଥିବା ସମୟରେ ଶତ୍ରୁକୁ ସୀମାରୁ ବାହାରିଯିବାକୁ ବାଧ୍ୟ କରିଥିଲେ ।

ଅସୁବିଧା ଅନେକ ଥିଲା, କିନ୍ତୁ ଆମର ସୌନିକମାନେ ଦୃଢ଼ ଭାବରେ ଠିଆ ହୋଇଥିଲେ କଠିନ ପରିସ୍ଥିତିରେ । ପାକ୍ ସୈନିକମାନେ ଉଚ୍ଚ ପାହାଡ଼ ଉପରେ ବସି କାରଗିଲକୁ ଅକ୍ତିଆର କରିବା ପାଇଁ ବେସ୍ କ୍ୟାମ୍ପ ତିଆରି କରୁଥିଲେ । ଏକଥା ଭାରତ କେମିତି ବା ସହିଥାନ୍ତା । ସେଥିପାଇଁ ଭାରତୀୟ ସୈନିକମାନେ ହାର ମାନିନଥିଲେ । ଦୁଇମାସ ଧରି ଭାରତୀୟ ସୈନିକମାନେ ଭୋକ ଶୋଷର ଶୀତରେ ପାଗର ଅସୁବିଧାର ସମ୍ମୁଖୀନ କରିଥିଲେ । କାର୍ଗିଲର ଉଚ୍ଚ ପାହାଡ଼ରେ ୬୦ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ପାକ୍ ସୈନିକମାନେ ଶେଷରେ ଭାରତୀୟ ସେନାର ପରାକାଷ୍ଠା ଆଗରେ ସମର୍ପଣ କରିଥିଲେ । ଭାରତୀୟ ସେନା ଏବଂ ବାୟୁସେନା ମଧ୍ୟ ପାକ୍ ପୋଷ୍ଟ ଉପରେ ଅତ୍ୟଧିକ ଆକ୍ରମଣ କରିଥିଲେ ।

କିନ୍ତୁ ଏହି ଯୁଦ୍ଧରେ ବିଜୟ ପାଇଁ ଆମକୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିଲା । କାର୍ଗିଲରେ ଭାରତର ୫୨୭ ସାହସୀ ସୈନିକଙ୍କୁ ସବୁଦିନ ପାଇଁ ହରାଇଥିଲୁ । ୨୧ ବର୍ଷ ପରେ ମଧ୍ୟ ଦେଶ ସେନାର ଏହି ବୀରପୁତ୍ରମାନଙ୍କ ବଳିଦାନକୁ ଭୁଲି ନାହିଁ । କାର୍ଗିଲ ବିଜୟ ଦିବସ ଅବସରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦମାନଙ୍କୁ ସ୍ମରଣ କରିବା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।

Leave a Reply