ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୁଏ, ଜାଣନ୍ତୁ….

ୱାଶିଂଟନ: ପୃଥିବୀର ସବୁଠୁ ରାଜନୈତିକ ଭାବେ କ୍ଷମତାଶାଳୀ ବ୍ୟକ୍ତି ଓ କାର୍ଯ୍ୟାଳୟ କେଉଁଟି । ଏହି ପ୍ରଶ୍ନ ପଚରାଯିବା ମାତ୍ରେ ଆଖି ଆଗକୁ ନାଚି ଆସେ ଆମେରିକାର ୱାଶିଂଟନ ଡିସିରେ ଥିବା ହ୍ୱାଇଟ୍ ହାଉସ । ଆଉ ବ୍ୟକ୍ତି କହିଲେ ଚାଲି ଆସନ୍ତି କ୍ଷମତାରେ ଥିବା ତତ୍କାଳୀନ ଆମେରିକା ରାଷ୍ଟ୍ରପତି । ହେଲେ ଏହି ରାଷ୍ଟ୍ରପତି କେମିତି ନିର୍ବାଚିତ ହୁଅନ୍ତି । ରାଷ୍ଟ୍ରପତି ଚୟନରେ ହେଉଥିବା ନିର୍ବାଚନ ପ୍ରକ୍ରିୟାରେ କେତେ ଅର୍ଥ ଖର୍ଚ୍ଚ ହୋଇଥାଏ । ଏମିତି ସବୁ ପ୍ରଶ୍ନ ଆମ ମନକୁ ଆନ୍ଦୋଳିତ କରିଥାଏ ।

ଚଳିତ ଆମେରିକା ନିର୍ବାଚନ ୨୦୨୦ରେ କେତେ ଟଙ୍କା ଖର୍ଚ୍ଚ ହେବ, ତାହା ଉପରେ ମଧ୍ୟ ସାରା ବିଶ୍ୱବାସୀ ନଜର ରଖିଛନ୍ତି । ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ଏହି ନିର୍ବାଚନ ପୂର୍ବ ସମସ୍ତ ନିର୍ବାଚନଠାରୁ ବ୍ୟୟବହୁଳ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ନିର୍ବାଚନ ପ୍ରକ୍ରିୟାର ପ୍ରାୟ ବର୍ଷକ ପୂର୍ବରୁ ପ୍ରଚାର ଆରମ୍ଭ ହୋଇଥାଏ । ଗତ ନିର୍ବାଚନ ଅର୍ଥାତ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ୬.୫ ବିଲିୟନ ଡଲାର ଅର୍ଥ ଖର୍ଚ୍ଚ ହୋଇଥିଲା । ଚଳିତ ଥର ଏହି ଖର୍ଚ୍ଚର ପରିମାଣ ଦୁଇଗୁଣରୁ ଅଧିକ ହେବ ବୋଲି ଆଶା କରାଯାଉଛି ।ସେଣ୍ଟର ଫର ରେସପନ୍ସସିଭ୍ ପଲିଟିକ୍ସର କହିବାନୁଯାୟୀ ଚଳିତ ନିର୍ବାଚନର ଖର୍ଚ୍ଚ ୧୪ ବିଲିୟନ ଆମେରିକୀୟ ଡଲାର ଛୁଇଁବ । ନିର୍ବାଚନ ଯେତିକି ନିକଟତର ହେଉଛି । ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ସୂତ୍ରରୁ ଆୟ ବହୁଗୁଣିତ ହେବାରେ ଲାଗିଛି । ଏହି ଅର୍ଥ ଆଗମନକୁ ସୁପ୍ରିମକୋର୍ଟ ପକ୍ଷରୁ କଡ଼ା ନଜର ରଖାଯାଇଛି । ବିଶେଷ କରି ଚଳିତ ଅକ୍ଟୋବର ମାସରେ ସର୍ବମୋଟ ଖର୍ଚ୍ଚ ସଂଖ୍ୟା ୧୧ ବିଲିୟନ ଡଲାର ଛୁଇଁଥିବା ଆକଳନ କରାଯାଇଛି । ଯଦି ୧୪ ଅକ୍ଟୋବର ପର୍ଯ୍ୟନ୍ତ ବିଚାର କରାଯାଏ । ତେବେ ଡେମୋକ୍ରାଟ୍ ଜୋ ବାଇଡେନଙ୍କ ପାଇଁ ୯୩୮ ମିଲିୟନ ଡଲାର ଅର୍ଥ ଚାନ୍ଦା ଆକାରରେ ମିଳିଛି । ସେହିପରି ବର୍ତ୍ତମାନ ରାଷ୍ଟ୍ରପତି ଥିବା ତଥା ରିପ୍ଲବିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୫୯୬ ମିଲିୟନ ଡଲାର ଖର୍ଚ୍ଚ କରିସାରିଲେଣି । ସେହିପରି କରୋନା ଯୋଗୁ ଅର୍ଥ ଖର୍ଚ୍ଚ ପ୍ରଭାବିତ ହୋଇଛି । ନଚେତ ଖର୍ଚ୍ଚର ପରିମାଣ ଆହୁରି ଅଧିକ ହୋଇ ଥାଆନ୍ତା ବୋଲି ଗବେଷଣା କରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ସେହିପରି ପୁରୁଷ ଚାନ୍ଦା ଦାତାଙ୍କ ଅପେକ୍ଷା ମହିଳାମାନେ ଚଳିତଥର ଅଧିକ ଅର୍ଥ ପ୍ରଦାନ କରିଛନ୍ତି । ୧୦ ବର୍ଷ ପୂର୍ବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏକ ବିଲିୟନ ଡଲାର ଖର୍ଚ୍ଚର ମଧ୍ୟ କଳ୍ପନା କରାଯାଇ ପାରୁ ନ ଥିଲା ।

ଛୋଟ ଛୋଟ ଚାନ୍ଦା ଦାତାଙ୍କଠାରୁ ଦୁଇ ଆମେରିକୀୟ ରାଷ୍ଟ୍ରପତି ପ୍ରାର୍ଥୀ ବହୁ ପରିମାଣରେ ଚାନ୍ଦା ସଂଗ୍ରହ କରିଥିବା ଜଣାପଡିଛି । ଏବେ ସୁଦ୍ଧା ଜୋ ବାଇଡେନ ୧.୭ ବିଲିୟନ ଆମେରିକୀୟ ଡଲାର ଚାନ୍ଦାରୁ ସଂଗ୍ରହ କରିଥିଲେ । ସେହିପରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲିୟନ ଆମେରିକୀୟ ଡଲାର ଚାନ୍ଦା କ୍ଷୁଦ୍ର ଚାନ୍ଦା ଦାତାଙ୍କଠାରୁ କମାଇଛନ୍ତି ।

Leave a Reply