କରୋନା ନେଲାଣି ୨ଶହ ଡାକ୍ତରଙ୍କ ଜୀବନ, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଆଇଏମଏ

1 min read

ନୂଆଦିଲ୍ଲୀ: ଇଣ୍ଡିଆନ୍ ମେଡିକାଲ କାଉନସିଲ (ଆଇଏମଏ) ଅନୁସାରେ ଦେଶରେ କରୋନା କାରଣରୁ ୧୯୬ ଜଣ ଡାକ୍ତର ପ୍ରାଣ ହରାଇଲେଣି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସାମାନ୍ୟ ଚିକିତ୍ସକ ବା ଜେନରାଲ ପ୍ରାକ୍ଟିସନର । ଆଇଏମଏ ଅନୁସାରେ କରୋନା କାରଣରୁ ପ୍ରାଣ ହରାଇଥିବା ୧୯୬ ଡାକ୍ତରଙ୍କ ମଧ୍ୟରୁ ୧୭୦ ଜଣଙ୍କ ବୟସ ୫୦ ବର୍ଷରୁ ଅଧିକ ।

ଅନ୍ୟପକ୍ଷରେ ପ୍ରତିଦିନ ସଂକ୍ରମିତ ହେଉଥିବା ଓ ଜୀବନ ହାରୁଥିବା ଡାକ୍ତରଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେହେତୁ ଥଣ୍ଡା ଜର ପାଇଁ ସାଧାରଣତଃ ଲୋକ ଜେନରାଲ ପ୍ରାକ୍ଟିସନରଙ୍କ ପାଖକୁ ଯାଇଥାନ୍ତି ତେଣୁ ସେମାନେ ପ୍ରଥମେ ସଂକ୍ରମିତ ହୋଇଥାନ୍ତି । ଆଇଏମଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ପତ୍ର ଲେଖି ଅବଗତ କରାଇଛି । ପତ୍ରରେ ଡାକ୍ତର ଓ ତାଙ୍କ ପରିବାରର ଦେଖାଶୁଣା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି ।  ସେମାନଙ୍କୁ ସରକାରୀ ଚିକିତ୍ସା ଓ ଜୀବନବୀମା ସୁବିଧା ମିଳୁ ବୋଲି ଆଇଏମଏ ଅନୁରୋଧ କରିଛି ।

କୋଭିଡ୍ କାରଣରୁ ଡାକ୍ତରଙ୍କ ମୃତ୍ୟୁ ହାର ବିପଜ୍ଜନକ ସ୍ତରକୁ ଛୁଇଁଲାଣି ବୋଲି ଆଇଏମଏ କହିଛି । ପତ୍ରରେ ସଂଗଠନ କହିଛି ଯେ,ଆଇଏମଏ ସାଢେ ତିନି ଲକ୍ଷରୁ ଅଧିକ ଡାକ୍ତରଙ୍କ ପ୍ରତିନିଧିତ୍ୱ କରେ । ଯେଉଁମାନେ ଆଖପାଖରେ ଶସ୍ତା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥାନ୍ତି । ଏହା ଉଲ୍ଲେଖ କରିବା ଉଚିତ ହେବ ଯେ, କୋଭିଡ୍ -୧୯ ସରକାରୀ ଓ ଘରୋଇ କ୍ଷେତ୍ର ମଧ୍ୟରେ ଅନ୍ତର ଦେଖିନଥାଏ । ଏହା ସମସ୍ତଙ୍କୁ ପ୍ରଭାବିତ କରେ ।

 

Leave a Reply