ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ: ଆଜି ମଧ୍ୟାହ୍ନ ୧୨:୩୦ ରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର: କରୋନା ଯୋଗୁଁ ସ୍କୁଲ, କଲେଜରେ ଏବେ ଅନଲାଇନ୍ ପାଠପଢା ଚାଲିଛି । ପୂର୍ବରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତା ଦେଖା ନେଇ ଅନେକ ସମସ୍ୟା ହୋଇଥିଲା । ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଖାତା ମୂଲ୍ୟାୟନ ସ୍ଥଗିତ ରଖାଯାଇଥିଲା । ବିଭିନ୍ନ ଜିଲ୍ଲାରେ ସଟଡାଉନ୍ ଘୋଷଣା ପାଇଁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ର ଆସି ପାରୁନଥିଲେ । ହେଲେ ସମସ୍ୟାର ସମାଧାନ ପରେ ଖାତା ଦେଖା ହୋଇଥିଲା । ଜୁଲାଇ ମାସ ୨୯ ତାରିକରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା ।

ପ୍ରଥମ ଥର ପାଇଁ ବୋର୍ଡର ପରୀକ୍ଷା କମିଟି ପକ୍ଷରୁ ଭିଡିଓ କନଫେରନସିଂ ଜରିଆରେ ଫଳାଫଳ ପ୍ରକାଶ କରାଯାଇଥିଲା । ଚଳିତ ବର୍ଷ ଏସଏମଏସରେ ବି ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ଏନେଇ ଏକ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଥିଲା। ତେବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଅନୁସାରେ ଆଜି ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇବ । ମଧ୍ୟାହ୍ନ ୧୨ଟା ୩୦ରେ ରେଜଲ୍ଟ  ପ୍ରକାଶ ପାଇବ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଅଗଷ୍ଟ ଶେଷ ସପ୍ତାହରେ କଳା ପରୀକ୍ଷାଫଳ ପ୍ରକାଶ ପାଇବ  । ୧୪ରୁ ୨୨ ତାରିଖ ମଧ୍ୟରେ ଯୁକ୍ତ ୨ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ୧୪ରୁ ୨୪ ତାରିଖ ମଧ୍ୟରେ ଓପନଲର୍ଣ୍ଣିଂ ପରୀକ୍ଷା ହେବ  ।  ସେହିପରି ୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ଯୋଜନା କରାଯାଇଛି  । ଏସବୁ ପ୍ରକ୍ରିୟା ସବୁକୁ ଅଗଷ୍ଟ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି  । 

Leave a Reply