ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ଖଣି ନିଗମ ପାଇଁ ୨ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମର ଉତ୍ପାଦନ କ୍ଷମତା ବଢାଇବା ସହ ସ୍ୱଚ୍ଛତା ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଆସନ୍ତା ବର୍ଷ ସୁଦ୍ଧା ୨୦ ମିଲିୟନ ଟନ୍  ଲୁହା ପଥର ଉତ୍ପାଦନ ନେଇ ନିଗମ ଲକ୍ଷ୍ୟ ରଖିଥିବା କୁହାଯାଇଛି । ଗ୍ରାହକ ଏକତ୍ରୀକରଣ ପରିଚାଳନା ବ୍ୟବସ୍ଥା ଓ ଖଣିଜ ପଦାର୍ଥ ଗଚ୍ଛିତ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ସକ୍ରିୟ କରିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି । ଆଜି ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପରିଚାଳନା ବ୍ୟବସ୍ଥା ନେଇ ଦୁଇଟି ଆପର ଶୁଭାରମ୍ଭ କରିଛନ୍ତି । ଏହି ଦୁଇ ଆପ୍  5 ‘T’ ବିଭାଗ ଅନ୍ତର୍ଗତ ରଖାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ଓଏମସି ଏବେ ସାରା ଦେଶରେ ଏକ ଅଗ୍ରୀଣ ସରକାରୀ ସଂସ୍ଥା ଭାବେ କାର୍ଯ୍ୟରତ ଅଟେ । ଏହି ଆପ୍ ମାଧ୍ୟମରେ ରାଜ୍ୟ ଖଣି ନିଗମକୁ ଗ୍ରାହକକୈନ୍ଦ୍ରୀକ କରିବାର ପ୍ରୟାସ କରାଯାଇଛି । ସେହିଭଳି କିଭଳି ଭାବେ ଖଣିଜ ପଦାର୍ଥକୁ ବ୍ୟବସ୍ଥିତ ଭାବେ ଗଚ୍ଛିତ  କରାଯାଇ ପାରିବ ସେନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଖଣି ନିଗମରେ ସ୍ୱଚ୍ଛତା ଆଣିବା ଦିଗରେ ଏହି ଆପ୍ ବ୍ୟାପକ ଭାବେ ସହାୟକ ହେବ । କ୍ରୟ-ବିକ୍ରୟ, ବିତରଣ ପ୍ରକ୍ରିୟା ଓ ଗଚ୍ଛିତ ରଖିବା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ଏଭଳି ଉଦ୍ୟମ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଗତ ୬ ଦଶନ୍ଧୀ ଧରି ରାଜ୍ୟ ଖଣି ନିଗମ ବିକାଶର ଏକ ମୁଖ୍ୟ ସ୍ରୋତ ଭାବେ ଠିଆ ହୋଇଛି । ପ୍ରଗତୀର ଯେଉଁ ଅଧ୍ୟାୟ, ରାଜ୍ୟ ରଚିଛି ଏହା ପଛରେ ଓଡ଼ିଶା ଖଣି ନିଗମର ଯଥେଷ୍ଟ ଭୂମିକା ରହିଛି ।

 ରାଜ୍ୟର ସାମାଜିକ ଓ ଆର୍ଥିକ ପ୍ରଗତୀ ଦିଗରେ ରାଜ୍ୟ ଖଣି ନିଗମର ସହଯୋଗକୁ ମୁଖ୍ୟମନ୍ତ୍ରୀ ଖୋଲା ହୃଦୟରେ ପ୍ରଶଂସା କରିଥିବା ବେଳେ କୋଭିଡ୍ ସଙ୍କଟ ବେଳେ ନିଗମର ପ୍ରୟାସ ସନ୍ତୋଷଜନକ ଥିଲା ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଓଏମସି କୋଭିଡ୍ ସମୟରେ ଯଥାସମ୍ଭବ ସହାୟତା ଯୋଗାଇଛି । ସେହିଭଳି ନିଜର ସାମାଜିକ ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ଓଡିଶା ଖଣି ନିଗମ ଆହାର ଓ ଆଦର୍ଶ ବିଦ୍ୟାଳୟ ଭଳି ରାଜ୍ୟ ସରକାରଙ୍କର କାଳଜୟୀ ଯୋଜନାକୁ ପ୍ରୋତ୍ସାହିତ କରିଛି । ସେହିଭଳି ଜଙ୍ଗଲ ସଂରକ୍ଷଣ ଓ ଖଣିର ମାନକୁ ନେଇ ସେ ନିଗମର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ସେହିଭଳି ଓଡିଶା ଖଣି ନିଗମ ଭବିଷ୍ୟତରେ ରାଜ୍ୟର ପ୍ରଗତୀ ପାଇଁ ଅସମ୍ଭବ ସମ୍ଭାବନା ନେଇ ଆସୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ଷ୍ଟିଲ୍ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍, ପ୍ରିନସିପାଲ୍ ସେକ୍ରେଟାରୀ ସୁରେନ୍ଦ୍ର କୁମାର ଓ ଓଏମସି ଏମଡି ଉପସ୍ଥିତ ଥିଲେ । ଆପ୍ ସମ୍ୱନ୍ଧୀତ ସୂଚନା ଦେବା ପାଇଁ ଦୁଇଟି ଛୋଟ ଭିଡିଓ ମଧ୍ୟ ରିଲିଜ ହୋଇଥିଲା ।

 

 

 

Leave a Reply