କନ୍ଧମାଳ: ପୋଲିସ ଏନକାଉଣ୍ଟରରେ ୨ ମାଓବାଦୀ ନିହତ, ଡିଭିଏଫ୍ ଓ ଏସଓଜିର ମିଳିତ ଅପରେସନରେ ସଫଳତା

1 min read

କନ୍ଧମାଳ: ପୁଣି କନ୍ଧମାଳ ପୋଲିସକୁ ବଡ଼ ସଫଳତା । ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଗୁଳିବିନିମୟରେ ପୁଣି ଟଳିଲେ ଦୁଇ ମାଓବାଦୀ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ମାଓବାଦୀ ଥିବା ଜଣାପଡ଼ିଛି । ସର୍ଚ୍ଚ ଅପରେସନ ବେଳେ ଘଟଣାସ୍ଥଳରୁ ଗୋଟିଏ ଇନସାସ୍ ଓ ଦୁଇଟି ଦେଶି ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ୍ । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଓ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ତୁମୁଡ଼ିବନ୍ଧ ଥାନା ବିର୍ଲା ନିକଟବର୍ତ୍ତୀ ନାକୁଡ଼ିପଡ଼ା, ସଲାଗୁଡ଼ା, ଜୁନାଗଡ଼, ଡିଣ୍ଡେରପାଟା ଅଞ୍ଚଳରେ ସୁରକ୍ଷାକର୍ମୀ କୁମ୍ବିଂ ଅପରେସନ କରୁଥିବା ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀ ପ୍ରଥମେ ଗୁଳି ଚଳାଇବାରୁ ପାଲଟା ଗୁଳିଚାଳନା କରିଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି  । ଘଟଣାସ୍ଥଳରୁ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି ।

ଗତ ୫ତାରିଖ ଦିନ ବିର୍ଲା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟରେ ୪ଜଣ ମାଓବାଦୀ ମୃତ୍ୟୁ ହୋଇଥିଲା  । ଏହାର ଦିନକ ପରେ ପୁଣି ଜଣେ ମାଓବାଦୀ ପୋଲିସ ଗୁଳିରେ ସଫା ହୋଇଥିଲେ  । ୨୦ଦିନ ମଧ୍ୟରେ ପୋଲିସ୍ ଗୁଳିରେ ବର୍ତ୍ତମାନ ସୁଦ୍ଧା ୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି  ।

୩ ଦିନ ତଳେ କନ୍ଧମାଳ ପୋଲିସ ଜିଲ୍ଲାର ଫିରିଙ୍ଗିଆ ଥାନାର ସମରବନ୍ଧ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଧ୍ୱଂସ କରିଥିଲା । ସେଠାରୁ ୧୬ କେଜି ବିସ୍ଫୋରକ ସହ ୨୮ଟି ଡିଟୋନେଟର ଓ ଟିଫିନ୍ ବୋମା (ଆଇଡି) ଜବତ କରିଥିଲା । କ୍ୟାମ୍ପରୁ ସୁରକ୍ଷାକର୍ମୀ ମାଓବାଦୀଙ୍କ ବ୍ୟାଗ, ଜୋତା ଓ ଅନ୍ୟ ସାମଗ୍ରୀ ଜବତ କରିଥିବା ବେଳେ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ପ୍ରେମିକାର ବାହାଘର କଥା ଶୁଣି ଟ୍ରେନ ଆଗକୁ ଡେଇଁଲେ ପ୍ରେମିକ

Leave a Reply