ଧଳାଜହରର କଳାଧନ୍ଦାରେ କୋଟିପତି ହୋଇଗଲେଣି କଲେଜ ପିଲା, ଏପଟେ ବନ୍ଧୁକ ଡିଲ୍‌ରେ ଲେଡି ଡନ୍

ଭୁବନେଶ୍ୱର: ନିଶା କାରବାରର ହବ୍ ପାଲଟିଛି ଓଡ଼ିଶା । ପୋଲିସକୁ ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ବଢ଼ାଇ ଚାଲିଛନ୍ତି ନେଟ୍‌ୱର୍କ । ବ୍ରାଉନସୁଗର ଓ ଗଞ୍ଜେଇଠାରୁ ଆରମ୍ଭ କରି ମାରଣାସ୍ତ୍ରର ଚାଲିଛି ଖୁଲମଖୁଲା କାରବାର । ଗତ ମାର୍ଚ୍ଚ ୧୮ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ବ୍ରାଉନସୁଗର ଜବତ ସହ ଦୁଇ ଛାତ୍ରଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ । ତାଙ୍କ କଳାଧନର ସାମ୍ରାଜ୍ୟ ଦେଖି ଏହାର ତଦନ୍ତ ଭାର ଇଡିକୁ ଦିଆଯାଇଛି । ଆଜି ଭୁବନେଶ୍ୱର କଳ୍ପନା ଛକରେ ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ୍‌ କରିବା ସହ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍ ।

ଏବେ ପ୍ରଶ୍ନ ଉଠୁଛି କୁଆଡେ ଆସୁଥିଲା ଏତେ ଟଙ୍କା ? ନିଶା ସାମ୍ରାଜ୍ୟର ମାଷ୍ଟର ମାଇଣ୍ଡ କିଏ ? ଆର୍ଥିକ କାରବାରର ଖୋଳତାଡ଼ କରିବ ଇଡି । ବ୍ୟାଜ୍ୟାପ୍ତି ହେବ ଅଭିଯୁକ୍ତଙ୍କ ସମ୍ପତ୍ତି । ଗତ ମାର୍ଚ୍ଚ ୧୮ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରୁ ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା । ମାମଲାରେ ଦୁଇ ବିଟେକ ଛାତ୍ର ଲୋକନାଥ ବେହେରା ଓରଫ୍ ଲକି ଏବଂ ତାର ସହଯୋଗୀ ପ୍ରଦୀପ କୁମାର ଦାସକୁ ଗିରଫ କରିଥିଲା ଏସଟିଏଫ ।

ଏବେ ତାଙ୍କ କଳା ସମ୍ରାଜ୍ୟ ଦେଖିବା ପରେ ବ୍ରାଉନସୁଗାର ବିକ୍ରି ଅର୍ଥରେ ସେ କେତେ ପରିମାଣର ସମ୍ପତ୍ତି, ସୁନା ଅଳଙ୍କାର, ବ୍ୟାଙ୍କ ଜମା ରଖିଛି, ସେ ନେଇ ଇଡି ତଦନ୍ତ କରିବ । ପ୍ରମାଣ ମିଳିବା ପରେ ଇଡି ସମ୍ପତ୍ତି ଜବତ ସହ ବ୍ୟାଜ୍ୟାପ୍ତି କରିବ ବୋଲି ଜଣାପଡ଼ିଛି । ତେବେ ମାମଲାକୁ ସିବିଆଇକୁ ଦେଲେ ଅଧିକ ତଦନ୍ତ ହୋଇ ପାରିବ ବୋଲି ପୂର୍ବତନ ଡିଜିପି କହିଛନ୍ତି।

ସେପଟେ ଭୁବନେଶ୍ୱରରୁ ଆଜି ଚୋରା ବନ୍ଧୁକ କାରବାର‌ର ପର୍ଦ୍ଦାଫାସ୍‌ କରିଛି ଏସଟିଏଫ । ଏହି ଡିଲ୍‌ରେ ଜଣେ ମହିଳା ସଂପୃକ୍ତ ଥିବା ଜଣାପଡିଛି । କଳ୍ପନା ଛକରେ ପଟ୍ଟାମୁଣ୍ଡାଇର ରାଜେନ୍ଦ୍ର ସାହୁ, ଗୌରାଙ୍ଗ ଜେନା ଓ ମହିଳା ଜଣଙ୍କ ମିଶି ଜଣେ ବ୍ୟବସାୟୀଙ୍କ ଠାରୁ ୪୫ ହାଜର ଟଙ୍କାର ଗୋଟିଏ ୯ ଏମଏମ ପିସ୍ତଲ ଓ ୪ ରାଉଣ୍ଡ ଓ ଗୁଳି କିଣି ଥିଲେ । ଜାଗା ଛାଡିବା ପୂର୍ବରୁ ଖବର ପାଇ ମାଡି ବସିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ କିନ୍ତୁ ବ୍ୟବସାଯୀ ଜଣଙ୍କ ଖସି ପଲାଇବାରେ ସଫଳ ହୋଇଥିଲେ ।

ତେବେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଆଇନ ଫାଙ୍କ ଦେଇ ଅପରାଧୀମାନେ ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ କଳା କାରନାମା । ପୋଲିସ ଉପରକୁ ଅଙ୍ଗୁଳି ଉଠୁଛି  ।

Leave a Reply