କଳାହାଣ୍ଡି ପରେ ନବରଙ୍ଗପୁରରେ ଅଭାବନୀୟ ଘଟଣା, ନିଆଁ ଆଁରେ ଜଳିଗଲେ ୨ ନାବାଳିକା

ନବରଙ୍ଗପୁର : କଳାହାଣ୍ଡି ଘଟଣା ମନରୁ ନଲିଭୁଣୁ ପୁଣି ୨ ଜଣ ଶିଶୁ ନିଆଁରେ ପୋଡ଼ିହୋଇ ପ୍ରାଣ ହରାଇଛନ୍ତି । ନବରଙ୍ଗପୁର ଜିଲ୍ଲା ଝରିଗାଁର ମଇନାପଦର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶୋଇଥିବା ବେଳେ ପୋଡ଼ିହୋଇ ଚାଲିଗଲେ ୨ ଶିଶୁ ।

ମକାବାଡ଼ରେ ନିଆଁ ଲାଗିଥିଲା । ସୂଚନା ଅନୁସାରେ ଆଜି ଅପରାହ୍ନରେ ପବିତ୍ର ସାନ୍ତା ଓ ସମସାନ ସାନ୍ତାଙ୍କ ଦୁଇ ଝିଅ କୁଡ଼ିଆ ଭିତରେ ଶୋଇଥିବା ବେଳେ ମକାବାଡ଼ିରେ ଲାଗିଥିବା ନିଆଁ କୁଡ଼ିଆରେ ଲାଗିଯାଇଥିଲା । ତେବେ ସେହି କୁଡ଼ିଆ ଭିତରୁ ସମସାନଙ୍କ ଅନ୍ୟ ଏକ ଝିଅ ଅର୍ଚ୍ଚିତା ନିଜ ଜୀବନ ବଞ୍ଚାଇ ବାହାରି ପାରିଥିବା ବେଳେ ଦୁଇ ଭାଇଙ୍କ ଦୁଇ ଝିଅ ନିଆଁ ଆଁରେ ଜଳି ଯାଇଥିଲେ । ଏଲିନା ସାନ୍ତାର ବୟସ ତିନି ବର୍ଷ ହୋଇଥିବା ବେଳେ, ସୁଜାତାର ବୟସ ଚାରି ବର୍ଷ ବୋଲି ଜଣାପଡ଼ିଛି । ତେବେ ନିଆଁ କିଭଳି ଲାଗିଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply