ହାଇ ଆଲର୍ଟରେ ୧୯୫ ଦେଶ, ୨୧ ହଜାର ମୃତ୍ୟୁ, ଆମେରିକାରେ ମୃତ୍ୟୁ ସଂଖ୍ୟା ୧୦୦୦ ପାର

 

  • ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁସାରେ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୬୯୧୭୧
  • ଇଟାଲୀରେ ଗୋଟିଏ ଦିନରେ ୬୮୩ ମୃତ୍ୟୁ

ବେଜିଂ/ରୋମ/ନୂଆଦିଲ୍ଲୀ:  ବିଶ୍ୱର ୧୯୫ ଦେଶ କରୋନା କାୟା ବିସ୍ତାର କରି ସାରିଛି । କରୋନା ୨୧ ହଜାର ୨୦୦ ଜୀବନ ନେଇ ସାରିଲାଣି । ଉହାନରୁ ଆସିଥିବା ଏହି ଭାଇରସ ବିଶ୍ୱ ଅର୍ଥନୀତି ସହ ଦୁନିଆର ଜୀବନଯାତ୍ରା ଉପରେ ବିରାମ ଲଗାଇ ଦେଇଛି । ଆତଙ୍କିତ ଦୁନିଆ ଖୋଜୁଛି କରୋନାର ପ୍ରତିକାର । ୪ ଲକ୍ଷ ୬୮ ହଜାର ୯୦୫ ଜଣ ସଂକ୍ରମିତ ଅନିଶ୍ଚିତ ଭବିଷ୍ୟତ ଆଶଙ୍କା ଭିତରେ ଜିଉଁଛନ୍ତି । ଗୋଟିଏ ବାକ୍ୟରେ କହିବାକୁ ଗଲେ ଦୁନିଆକୁ କରୋନା ଆର୍ଥିକ,ରାଜନୈତିକ ଓ ସାମାଜିକ  ସଂକଟ ମଧ୍ୟକୁ ଠେଲି ଦେଇଛି ।

ସଂକ୍ରମିତଙ୍କ ମଧ୍ୟରୁ ୧୪ ହଜାର ୨୧୮ ଜଣ ଠିକ୍ ହୋଇସାରିଛନ୍ତି । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁଥିପାଇଁ ଦୁନିଆ ଆତଙ୍କ ଭିତରେ ଯିଇଁବାକୁ ବାଧ୍ୟ । ଦୁନିଆର ଏକ ତୃତୀୟାଂଶ ଜନସଂଖ୍ୟା ଲକ୍ ଡାଉନ୍ ଭିତରେ ରହିଛ । ଭାରତର ୧୩୦ କୋଟି ଜନସଂଖ୍ୟା ସହ ମୋଟ ୨୫୦ କୋଟି ଲୋକ ତାଲାବନ୍ଦ ଅଛନ୍ତି ।

ଏଣେ ହଙ୍ଗେରିରେ ଜଣେ ବ୍ରିଟେନର ଜଣେ ବରିଷ୍ଠ କୂଟନିତିଜ୍ଞଙ୍କ କରୋନାରେ ମୃତ୍ୟୁ ହୋଇଛି । ତାଙ୍କ ବୟସ ୩୭ ଥିଲା । ବୁଦାପେଷ୍ଟ ବ୍ରିଟିଶ ଦୂତାବାସରେ ସେ ଉପ ମୁଖ୍ୟ ଥିଲେ ।  ହଙ୍ଗେରିରେ ବର୍ତ୍ତମାନ ସୁଧା ୪୬୫ ଜଣ ପ୍ରାଣ ହରାଇଲେଣି ।

ସୁପରପାୱାର ବି ଆତଙ୍କିତ !

ବିଶ୍ୱର ଏକମାତ୍ର ମହାଶକ୍ତି ଆମେରିକାକୁ କରୋନା ଡରାଇ ଦେଇଛି । ଟ୍ରମ୍ପ ପ୍ରଥମେ କରୋନାକୁ ହାଲୁକାରେ ନେଇଥିଲେ । ଏବେ କିନ୍ତୁ ଟ୍ରମ୍ପ୍ ଜାଣି ସାରିଲେଣି ଭାଇରସ ପାଖରେ ଆମେରିକା ଅର୍ଥନୀତିକୁ ଦୋହଲାଇ ଦେବାର ତାକତ୍ ଅଛି । ସତ କହିଲେ ,ଆମେରିକାର ଅର୍ଥନୀତି ଦୋହଲି ସାରିଲାଣି । ଟ୍ରମ୍ପଙ୍କ ଚାଲ ଆମେରିକାକୁ ପୁଣି ମହାନ କରିବା ନାରାକୁ କରୋନା ଟ୍ରାକରୁ ଖସାଇ ଦେଇଛି । ସିଏନଏନ୍ ଅନୁସାରେ ଆମେରିକାରେ ମୃତ୍ୟୁ ସଂଖ୍ୟା ୧ ହଜାର ପାର କରି ସାରିଲାଣି । ବୁଧବାର ଦିନ ଆମେରିକାରେ ୨୨୩ ଜଣ ପ୍ରାଣ ହରାଇଛନ୍ତି ।  ଏହା ଦେଶରେ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ । ମଙ୍ଗଳବାର ଦିନ ଆମେରିକାରେ ୧୬୪ ଜଣ ପ୍ରାଣ ହରାଇଥିଲେ । ଆମେରିକାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୬୬ ହଜାର ୪୮ ।

ଜାପାନରେ କରୋନା ପାଇଁ ଟାସ୍କ ଫୋର୍ସ

ଜାପାନ କରୋନା ମୁକାବିଲା ପାଇଁ ନିଜ ଦେଶରେ ଗୋଟିଏ ଟାସ୍କ ଫୋର୍ସ ଗଠନ କରିବ । ଏନେଇ ପ୍ରଧାନମନ୍ତ୍ରୀ ଶିଂଜୋ ଆବେ ଘୋଷଣା କରିଛନ୍ତି  । ଜାପାନରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୩୦୭ ରହିଛି । ୪୫ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।

ହଂକଂରେ ବୁଧବାର ୨୪ ନୂଆ ମାମଲା

ବୁଧବାର ଦିନ ହଂକଂରେ ସଂକ୍ରମଣର ୨୪ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ସଂଖ୍ୟାକୁ ମିଶାଇ ହଂକଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହେଉଛି ୪୧୦ । ହଂକଂରେ ମୃତ୍ୟୁ ସଂଖ୍ୟା ୪ ରହିଛି । ହଂକଂ ତାର ସୀମକୁ ବନ୍ଦ କରିଦେଇଛି ।

ଇଟାଲୀରେ କ୍ୱାରେଣ୍ଟାଇନ ଉଲ୍ଲଂଘନ କଲେ ଜେଲ

ଇଟାଲୀରେ କରୋନାରେ ଗୋଟିଏ ଦିନରେ ୬୮୩ ମୃତ୍ୟୁ ହୋଇଛି । ଇଟାଲୀରେ ଏପର୍ଯ୍ୟନ୍ତ ସମୁଦାୟ ୭ ହଜାର ୫୦୩ ଜଣ ପ୍ରାଣ ହରାଇଛନ୍ତି । ଇଟାଲୀରେ ୯ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକ୍ ଡାଉନ୍ ୩ ଏପ୍ରିଲରେ ସରିବ । ମଙ୍ଗଳବାର ଦିନ କ୍ୱାରେଣ୍ଟାଇନ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ହୋମ୍ କ୍ୱାରେଣ୍ଟାଇନ୍ ଉଲ୍ଲଂଘନକାରୀଙ୍କୁ ଜେଲ୍ ଓ ଜରିମାନା କଥା କୁହାଯାଇଛି ।

ସ୍ପେନରେ ୨୪ ଘଣ୍ଟାରେ ୬୫୬ ମୃତ୍ୟୁ

ଅନ୍ୟପକ୍ଷରେ ସ୍ପେନରେ ୨୪ ଘଣ୍ଟାରେ ୬୫୬ ଜଣ ପ୍ରାଣ ହରାଇଛନ୍ତି । ସ୍ପେନରେ ମୃତ୍ୟୁସଂଖ୍ୟା ୩ ହଜାର ୬୪୭ ରେ ପହଂଚି ସାରିଲାଣି । ସ୍ପେନରେ ମୃତ୍ୟୁ ସଂଖ୍ୟା ଚୀନଠାରୁ ଅଧିକ ରହିଛି । ସ୍ପେନରେ ଲୋକ ନିଜ ପିତାମାତାଙ୍କୁ ଅସହାୟ ଅବସ୍ଥାରେ ଛାଡି ଦେଉଥିବା ଅଭିଯୋଗ ହେଉଛି । ଏମିତିକି କିଛି ସ୍ଥାନରେ ବରିଷ୍ଠ ନାଗରିକଙ୍କୁ କରୋନା ସନ୍ଦେହରେ ନିଜ ପରିବାର ଲୋକ ହତ୍ୟା କରୁଥିବା କୁହାଯାଉଛି । ସ୍ପେନର କିଛି ସହରରେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ପରେ ସେମାନଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକ ଆଗକୁ ଆସୁ ନାହାନ୍ତି । ତେଣୁ ସେନାକୁ ଅନ୍ତିମ ସଂସ୍କାର କରିବାକୁ ପଡୁଛି । ସ୍ପେନର ଉପ ପ୍ରଧାନମନ୍ତ୍ରୀ କାର୍ମେନ କାଲବୋ କରୋନା ସଂକ୍ରମିତ ହୋଇଛନ୍ତି । ଗତ ଚାରିଦିନ ଧରି ଅସୁସ୍ଥ ଥିବା କାଲବୋ ଘରୁ କାମ କରୁଥିଲେ । ସେ ଅସୁସ୍ଥ ଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଷ୍ଟାଫ ଓ ଅନ୍ୟମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।

ମିଶର ରାଜଧାନୀ କାଇରୋ ସଟ୍ ଡାଉନ୍

ମିଶରର ରାଜଧାନୀ କାଇରୋକୁ ବୁଧବାର ସଂଧ୍ୟାରୁ ବନ୍ଦ କରି ଦିଆଯାଇଛି । ଦୁଇ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ସହର ଏବେ ସେନା ଓ ପୋଲିସ ନିୟନ୍ତ୍ରଣରେ । ମିଶରରେ ୪୫୬ ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ ପ୍ରାଣ ହରାଇଛନ୍ତି ।

ନ୍ୟୁଜଲାଣ୍ଡରେ ଗୋଟିଏ ଦିନରେ ସର୍ବାଧିକ ୭୩ ସଂକ୍ରମିତ !

ନ୍ୟୁଜଲାଣ୍ଡରେ ସଂକ୍ରମର ୭୩ ନୂଆ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ଏତିକି ସଂଖ୍ୟାରେ ସଂକ୍ରମିତ ହେବାର ଏହା ପ୍ରଥମ ମାମଲା । ଏହି ୭୩ ଜଣ ସଂକ୍ରମିତ ନିକଟରେ ବିଦେଶରୁ ଫେରିଥିଲେ ।

ଭାରତୀୟ ବଂଶୋଦ୍ଭବ ପ୍ରଖ୍ୟାତ ସେଫ୍ ଫ୍ଲାୟଡଙ୍କ କରୋନା ମୃତ୍ୟୁ

ଭାରତୀୟ ବଂଶୋଦ୍ଭବ ପ୍ରଖ୍ୟାତ ସେଫ୍ ଫ୍ଲାୟଡ କାର୍ଡେଜଙ୍କର କରୋନାରେ ମୃତ୍ୟୁ ହୋଇଛି । ୧୮ ମାର୍ଚ୍ଚ ଦିନ ନ୍ୟୁୟର୍କର ଏକ ହସ୍ପିଟାଲରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା । ଯେଉଁଥିରେ ସେ ପଜିଟିଭ୍ ମିଳିଥିଲେ ।

 

Leave a Reply