ସମସ୍ତଙ୍କୁ ”ଜୀଅନ୍ତା ଶବ”ରେ ପରିଣତ କରି ଝିଅଟିଏ ଚାଲିଗଲା…

1 min read
UP rape case

ନୂଆଦିଲ୍ଲୀ: ନ୍ୟାୟ ଦିଅ । ନ୍ୟାୟ ଦିଅ । ଦୋଷୀଙ୍କୁ ଫାଶୀ ଦିଅ । ଦଳିତଙ୍କ ଉପରେ ଅତ୍ୟାଚାରକୁ ସହିବୁ ନାହିଁ । ଆଜି ଏହି ଭଳି ସ୍ଲୋଗାନ ୟୁପିର ପୁରପଲ୍ଲୀ ଠାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଛି । ଉତ୍ତର ପ୍ରଦେଶର ହାଥରସ ଅଞ୍ଚଳରେ ୧୯ ବର୍ଷୀୟ ଦଳିତ ଝିଅ ଗଣଦୁଷ୍କର୍ମର ଶିକାର ହୋଇଥିଲା ।  କେବଳ ଯେ, ଗଣଦୁର୍ଷମର ଶୀକାର ହୋଇଥିଲା ତାହା ନୁହେଁ, ଗଣଦୁଷ୍କର୍ମ ସମୟରେ ଅତି ନିର୍ମମ ଭାବରେ ଝିଅଟିର ବେକକୁ ଆଘାତ କରାଯାଇଥିଲା । ଦୁଷ୍କର୍ମର ବହୁ ଦିନ ପୂର୍ବରୁ ଲଗାତାର ଶାରୀରିକ ଅତ୍ୟାଚାର କରାଯାଇ ଆସୁଥିଲା । ଝିଅଟିର ଅବସ୍ଥା ଏପରି କରିଦିଆଯାଇଥିଲା, ଯେମିତି ସିଏ କେବେ ବି ସେହି ଘଟଣା ସମ୍ପର୍କରେ ମୁହଁ ଖୋଲି କହିପାରିବ । ଝିଅ ଟିଏ ଗଣଦୁଷ୍କର୍ମର ଶୀକାର ହେବା ପରେ ତାହାର ଉପଯୁକ୍ତ ଚିକିତ୍ସା କରାଯାଇ ପାରିଥାଆନ୍ତା, ହେଲେ ତାହା ବି ହେଲା ନାହିଁ ।

ଦୁଷ୍କର୍ମ ଘଟଣାଟି ଗତକାଲି କିମ୍ବା ଆଜିର ଘଟଣା ନୁହେଁ । ପାଖାପାଖି ୧୦ଦିନର ତଳର ଘଟଣା । ଏତେସବୁ ଘଟଣା ଘଟିଗଲା କେମିତି ? ୟୁପିର ପୋଲିସ ବ୍ୟବସ୍ଥା କ’ଣ ଶୋଇ ପଡିଥିଲା ? ଏସବୁ ଘଟଣାଠୁ ଆହୁରି ହୃଦୟ ବିଦାରକ ଥିଲା । ନିଜ ଝିଅର ଗଣଦୁଷ୍କର୍ମ ଖବର ତାହାର ବାପା ମା’ଙ୍କୁ କେତେ ଯେ ଆଘାତ ଦେଇଥିବ, ସେ କଥା ଝିଅର ବାପଟିଏ ହିଁ ଅନୁଭବ କରିପାରିବ । ଏ ଯନ୍ତ୍ରଣା ସାଧାରଣ ଲୋକଟିର ଚିନ୍ତା ବାହାରେ ନିଶ୍ଚିତ । ଦୁଷ୍କର୍ମ ପରେ ଠିକ୍ ସମୟରେ ଚିକିତ୍ସା ବି ହୋଇ ପାରିଲା ନାହିଁ । ନ୍ୟାୟ ପାଇ ଲଢ଼ିବା ତ ଦୂରର କଥା, ତାହା ସହିତ ଘଟିଥିବା ଘଟଣାକୁ କହିବା ପାଇଁ ଝିଅଟି ଏସଂସାରରେ ରହିଲା ନାହିଁ ।

ଏହା ସହ ପଢ଼ନ୍ତୁ:- ହାଥରସ୍ ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ କଥାହେଲେ ପିଏମ୍ ମୋଦି, କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ…

ସେ ଚାଲିଗଲା ସେହି ଅଫେରା ରାଇଜକୁ ଯେଉଁଠି ନିର୍ଭୟା, ପ୍ରିୟଙ୍କା ରେଡ୍ଡି ଭଳି ନାରୀମାନେ ବହୁତ ଆଗରୁ ଚାଲିଯାଇଛନ୍ତି । ବାପା ମା’ଙ୍କ ଜୀବନର ସବୁଠୁ ବଡ଼ ଇଚ୍ଛା ନିଜ ଝିଅକୁ ନିଜ ହାତରେ ବାହା ଦେବେ । ହେଲେ ସେହି ମଣିଷମାନଙ୍କ ଆଖି ଆଗରେ ଦିନେ ତାଙ୍କ ଅଗଣାରେ ହସି ଖେଳୁଥିବା ଝିଅ ଶବ ହୋଇଗଲା । ହୋଇଗଲା କହିଲେ ବୋଧେ ଭୁଲ ହେବ, ଶବ ସଜେଇ ଦିଆଗଲା । ସେହି ନରରାକ୍ଷସଙ୍କ ଦ୍ୱାରା ଯେଉଁମାନେ ନିଜ ଶାରରୀକ ଭୋକ ମେଣ୍ଟାଇବା ପାଇଁ ପାଲଟିଗଲେ ଗୋଟେ ଗୋଟେ ପିଶାଚ । ସେହି ବ୍ୟବସ୍ଥା ଯେଉଁଠି ମାଳ ମାଳ ପୋଲିସ ଫୋର୍ସ, ହେଲେ ସେ ସାଧାରଣ ଦଳିତ ଝିଅର ସମାନ୍ୟତମ କାମରେ ଆସିଲାନି ।

ଏମିତି କ’ଣ ହେଲା ଯେ, ନାବାଳିକାଟି ଜୀବନ ଯୁଦ୍ଧରେ ହାରିଯିବା ପରେ ଅତ୍ୟନ୍ତ ତରବରିଆ ଭାବେ ତାଙ୍କୁ ପୋଡ଼ି ଦିଆଗଲା । ତା’ର ପରିବାର ଲୋକଙ୍କୁ ସତ୍କାରରୁ ଦୂରେଇ ରଖାଗଲା । ଏ ସମ୍ପର୍କରେ କାନ୍ଦି କାନ୍ଦି ପରିଜନ କହୁଥାନ୍ତି, ‘ଝିଅକୁ ଟିକେ ହଳଦୀ ଲଗାଇ ଦେଇଥାଆନ୍ତି । ଏଇଟା ତ ତାହାର ଶେଷ ଯାତ୍ରା । ସେ ତ ଆଉ ଫେରି କି ଆସିବ ନାହିଁ । ସେଥିପାଇଁ ତାକୁ ଭଲରେ ଟିକେ ବିଦାୟ ଦେବାକୁ ଚାହୁଁଥିଲି, ସେତକ ଅଧିକାର ବି ପୋଲିସ ଛଡାଇ ନେଲା’ ଏତିକ କହି କୋହ ସମ୍ଭାଳିପାରୁନଥାନ୍ତି ପରିବାର ବର୍ଗ ।

୧୪ ତାରିଖରେ ୪ ସବର୍ଣ୍ଣ ଯୁବକଙ୍କ ଦ୍ୱାରା ହୋଇଥିବା ଏହି ଗଣଦୁଷ୍କର୍ମ ପରେ ଝିଅଟିର ଶରୀରର ଏକାଧିକ ସ୍ଥାନରେ କ୍ଷତ କରାଯାଇଥିଲା । ତାର ଜିଭକୁ କାଟିଦିଆଯାଇଥିଲା । ଭଉଣୀକୁ ନ୍ୟାୟ ଦେବା ପାଇଁ ଭାଇଟି ତାର ଅଭିଯୋଗ କରିଥିଲା । ସେ ତ କହିସାରିଥିଲା ଠାକୁର ସମାଜର ଲୋକ ହିଁ ଏହି ହୃଦୟ ବିଦାରକ କାର୍ଯ୍ୟ କରିଛନ୍ତି । କେଉଁ ଭାଇଟି ଭଉଣୀର ଦୁଷ୍କର୍ମ କଥା ସର୍ବସାଧାରଣରେ କହିବା ପାଇଁ ଚାହିଁବ ।

ଏହା ସହ ପଢ଼ନ୍ତୁ:- ହାଥରସ ଗଣଦୁଷ୍କର୍ମକୁ ନେଇ ରାହୁଲଙ୍କ ଟ୍ୱିଟ୍: କହିଲେ ‘ପୀଡ଼ିତାଙ୍କ ପରିବାରଠାରୁ ଅନ୍ତିମ ସଂସ୍କାରର ଅଧିକାର ଛଡେଇନେଲେ’

ଘଟଣା ଘଟିବାର ୫ ଦିନ ପରେ ଖୋଜା ଚାଲିଲା ସେହି ନିର୍ଦ୍ଦୟୀମାନଙ୍କୁ, ଯିଏ ସେହି ଦଳିତ ଝିଅଟିର ସବୁ କିଛି ଲୁଟି ନେଇ ତାକୁ ପଙ୍ଗୁ କରି ଦେଇଥିଲେ । ଧାରା ୩୦୭ରେ ମାମଲା ରୁଜୁ ହେଲା । ଧୀରେ ଧୀରେ ଏହି ଘଟଣା ୟୁପି ନୁହେଁ, ସାରା ଦେଶରେ ଆଲୋଡନ ସୃଷ୍ଟି କଲା । ୩୦୭ ବଦଳରେ ୩୦୨ ଅନୁଯାୟୀ ମାମଲା ତଦନ୍ତ କରାଯିବ ।

ହେଲେ କଣ ମିଳିବ, ସେହି ତଦନ୍ତରୁ ଯିଏ ତ ନ୍ୟାୟ ପାଇବା କଥା । ସେ ତ ଏ ଦୁନିଆରୁ ଚାଲିଗଲା । ତେବେ ଏ ବ୍ୟବସ୍ଥାଗତ ପ୍ରହସନ କାହା ପାଇଁ ଚାଲିବ, ଏ ପ୍ରଶ୍ନ ସବୁରି ମନରେ ଉଙ୍କି ମାରୁଛି । ପ୍ରଥମେ ଦିଲ୍ଲୀର ସଫଦରଗଞ୍ଜ ପରେ ଆଲିଗଡ଼ର ଏକ ହସ୍ପିଟାଲରେ । ଆଲିଗଡ଼ ଉତ୍ତର ପ୍ରଦେଶ ସରକାରଙ୍କ ଅଧିନରେ ଆସୁଥିବା ଏକ ସହର,ହେଲେ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଗଣଦୁଷ୍କର୍ମ ସମ୍ପର୍କରେ ପଦୁଟିଏ ନ ଥିଲା । ଏ ତ ପୀଡିତା ଓ ପରିବାର ଏବଂ ଏ ଦେଶର ପ୍ରତିଟି ଝିଅର ବାପାମାଆଙ୍କ ମୁହଁରେ ଚାପୁଡା ମାରିବା ଭଳି ଥିଲା । ମାଆଟି ତାହାର ମାଟିରେ ଲୋଟି ପଡି ଝିଅକୁ ଶେଷ ଥର ଦେଖିବାକୁ ଚାହୁଁଥିଲା, ହେଲେ ସେତକ ପୋଲିସ ଅନୁମତି ଦେଲାନି । ତାଙ୍କ ଶେଷ ସନ୍ତକକୁ ଅଗ୍ନିରେ ଦହନ କରି ଦେଇଥିଲା । ହାତକଡି ପକାଇ ରଖିବା ଭଳି ପରିବାରକୁ ଘରେ ବନ୍ଦ କରିଦିଆଗଲା ।

ହେଲେ କାହିଁକି ଏପରି କରାଗଲା ? ପୋଲିସ କାହିଁକି ଏତେ ତରତର ଥିଲା, ଝିଅଟିକୁ ଜାଳିପୋଡି ସବୁଦିନ ପାଇଁ ମାଟିରେ ମିଶାଇ ଦେବାକୁ ? ଯେଉଁ ଗତିରେ ପୋଲିସ ମୃତ ଝିଅର ଶବ ସତ୍କାରରେ ପ୍ରଦର୍ଶନ କରିଥିଲା । ସେଥିରୁ କାଣିଚାଏ ଯଦି ଦୋଷୀଙ୍କୁ ସମୟ ପୂର୍ବରୁ ଧରି ଝିଅଟିକୁ ନ୍ୟାୟ ଦେବାରେ ବ୍ୟବହାର କରାଯାଇଥାଆନ୍ତା, ତେବେ ଆଇନକାନୁନ ପ୍ରତି ଆସ୍ଥା ବଢ଼ିଥାଆନ୍ତା । ହେଲେ କ’ଣ ହେଲା ସେହି ଚିରାଚରିତ କଥା ଦୁଷ୍କର୍ମ ଏବଂ ହତ୍ୟା । ୟୁପି ସରକାର ମୁଖିଆ ଯୋଗୀ ଆଦିତ୍ୟନାଥ ଏସଆଇଟି ଗଠନ କରି ଫାଷ୍ଟଟ୍ରାକ୍ କୋର୍ଟରେ ଏହାର ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହା ତ ଚିରାଚରିତ ଧାରା । ନ୍ୟାୟ ଆଉ କାହା ପାଇଁ….

ଏହା ସହ ପଢ଼ନ୍ତୁ:- ହାଥରସ ଗଣଦୁଷ୍କର୍ମ ମାମଲା: ବିରୋଧ କରୁଥିଲେ ପରିଜନ, ପୋଲିସ କରିଦେଲା ଅନ୍ତିମ ସଂସ୍କାର

Leave a Reply