ଲଘୁଚାପ ବର୍ଷା ପାଇଁ ଆହୁରି ଭିଜିବ ୧୬ ଜିଲ୍ଲା, ବିପଦ ସଂକେତ ଛୁଇଁଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର

1 min read

ଭୁବନେଶ୍ୱର: ଆହୁରି ଦୁଇ ଦିନ ଲଘୁଚାପ ବର୍ଷାରେ ଭିଜିବ ସାରା ଓଡ଼ିଶା । ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା କାଲି  ପର୍ଯ୍ୟନ୍ତ ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆଜି ରାଜ୍ୟର ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ରାୟଗଡା, ବୌଦ୍ଧ, ନୟାଗଡ଼, କେନ୍ଦ୍ରାପଡ଼ା, କଟକ ,ସମ୍ବଲପୁର, କଳାହାଣ୍ଡି  ଓ ଭଦ୍ରକ ଜିଲ୍ଲାକୁ ଆଜି ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହା ସହ ଆଗାମୀ ଦୁଇ ତାରିଖ ପାଇଁ ଜଗତସିଂହପୁର, କଟକ, ପୁରୀ, ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଉତ୍ତର- ପୂର୍ବ ଓଡ଼ିଶାର ସବୁ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

ସେପଟେ ବିପଦ ସଂକେତ ଛୁଇଁଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଜଳଭଣ୍ଡାରର ଜଳସ୍ତର ଏବେ ୬୩୦ ଫୁଟ ରହିଛି  । ରାଜ୍ୟରେ ଲଘୁଚାପ ବର୍ଷା ଲାଗିରହିଥିବାରୁ ଆଗକୁ ଜଳସ୍ତର ଆହୁରି ବଢିବାନେଇ ଆଶଙ୍କା କରାଯାଉଛି । ବର୍ତ୍ତମାନ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ପ୍ରତି ସେକେଣ୍ଡେରେ ଜଳଭଣ୍ଡାର ମଧ୍ୟକୁ ୭୦ହଜାର ୯୨୮କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିବାବେଳେ  ୫୧ହଜାର ୮୭୦ କ୍ୟୁସେକ ଜଳ ନିସ୍କାସିତ ହେଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି ହୀରାକୁଦ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି  ।

Leave a Reply