ମଧ୍ୟରାତ୍ରୀରେ ଶ୍ରୀଜୀଉ ଛାଡ଼ିବେ ରତ୍ନ ସିଂହାସନ, ସ୍ନ।ନଯାତ୍ରା ପାଇଁ ପୁରୀରେ ୧୧୪ ଧାରା ଜାରି

1 min read

ପୁରୀ: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ସୀମିତ ସେବାୟତ ଓ ବିନା ଭକ୍ତରେ ହେବ ସ୍ନାନଯାତ୍ରା । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ବାହୁଟ କଣ୍ଟ ଓ ସେନାପଟା ଲାଗି ସରିଛି । ଆଜି ରାତିରେ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିବେ । କେବଳ ବିଧି ଅନୁଯାୟୀ ସ୍ନାନନୀତି ଓ ହାତୀବେଶ ସମ୍ପନ୍ନ ହେବ । କୋଭିଡ୍‌ କଟକଣା ଯୋଗୁଁ ଭକ୍ତ ଆସିବାକୁ ମନା ହୋଇଛି ।

ସଜେଇ ହୋଇ ରହିଛି ସ୍ନାନବେଦୀ । ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ରାତି ଗୋଟାଏରୁ ୪ଟା ମଧ୍ୟରେ ପହଣ୍ଡି ଶେଷ ହେବ । ଧାଡ଼ି ପହଣ୍ଡିରେ ମହାପ୍ରଭୁ ବିଜେ କରିବା ପରେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ସ୍ନାନନୀତି ସମ୍ପନ୍ନ ହେବ । ସକାଳ ୧୦ଟା ୩୦ସୁଦ୍ଧା ଛେରା ପହଁରା ପରେ ୧୧ଟାରୁ ୧୨ଟା ମଧ୍ୟରେ ଶ୍ରୀଜିଉଙ୍କ ହାତୀବେଶ ପାଇଁ ନୀତି ନିର୍ଘଣ୍ଟ ହୋଇଛି ।

FILE

ଅପରାହ୍ଣ ୫ଟାରୁ ରାତି ୮ଟା ସୁଦ୍ଧା ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ । ଏବର୍ଷ କଟକଣା ଯୋଗୁଁ ସ୍ନାନଯାତ୍ରାରେ ସାହାଣମେଲା ଦର୍ଶନ ହେବ ନାହିଁ । ଏପରିକି ବଡ଼ଦାଣ୍ଡକୁ ମଧ୍ୟ ଭକ୍ତ ଆସିବା ପାଇଁ ମନା । ଦୀର୍ଘଦିନ ହେଲା ଶ୍ରୀଜିଉଙ୍କ ଦର୍ଶନ ପାଇ ନଥିବା ଭକ୍ତ ସ୍ନାନଯାତ୍ରାରେ ମଧ୍ୟ ଦର୍ଶନ ପାଇବେ ନାହିଁ ବୋଲି ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଣବସର ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କ ଦର୍ଶନ କରିଥାନ୍ତି । କିନ୍ତୁ ଏବର୍ଷ ପୁରୀରେ ଶ୍ରୀଜିଉଙ୍କ ଅଣବସର ସମୟରେ ଅଲାରନାଥଙ୍କର କେବଳ ସ୍ୱତନ୍ତ୍ର ନୀତି ସମ୍ପନ୍ନ ହେବ । କରୋନା କଟକଣା ଯୋଗୁଁ ବ୍ରହ୍ମଗିରିରରେ ମଧ୍ୟ ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ ।

ବଡ଼ଦାଣ୍ଡରେ ରହିବନି ଭକ୍ତଙ୍କ ଭିଡ, ସେବକଙ୍କ ଗହଣରେ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନଯାତ୍ରା

Leave a Reply