ସମୁଦ୍ର ମଝିରେ ୧୯୭୧ ଇଣ୍ଡୋ-ପାକ୍‌ ଯୁଦ୍ଧର ଡେମୋ ଦେଖିଲେ ନେତା ମନ୍ତ୍ରୀ..

1 min read

ପାରାଦୀପ: ଗଭୀର ସମୁଦ୍ରରେ କିଭଳି ଯୁଦ୍ଧକୌଶଳ ପ୍ରସ୍ତୁତ କରେ ନୌସେନା । କିଭଳି ଶତ୍ରୁର ମୁକାବିଲା କରାଯାଏ । ପାରାଦୀପ ସମୁଦ୍ରରେ ମଙ୍ଗଳବାର ଏହାର ଡେମୋ ଦେଖାଇଛି ଭାରତୀୟ ନୌସେନା । ଯାହାର ଦୃଶ୍ୟ ଦେଖିଛନ୍ତି ଓଡ଼ିଶାର ମନ୍ତ୍ରୀ, ବିଧାୟକ ଓ ସାଂସଦ । ଭାରତୀୟ ନୌସେନାର ସାହସକୁ ସଲାମ କରିଛନ୍ତି ଜନପ୍ରତିନିଧି । କେମିତି ଥିଲା ୧୯୭୧ ମସିହା ଇଣ୍ଡୋ-ପାକ୍‌ ଯୁଦ୍ଧ । ଯୁଦ୍ଧ କୌଶଳକୁ ଅତି ନିକଟରୁ ଦେଖିଛନ୍ତି ଓଡିଶା ବିଧାନସଭାର ୧୩୨ ବିଧାୟକ ଓ ଜଣେ ସାଂସଦ ।

ନୌସେନାର ଯୁଦ୍ଧ ଜାହାଜ “ଆଇଏନ୍‌ଏସ୍‌ ଜଳାଶ୍ୱ”ରେ ବସି ଡେମୋ ଦେଖିଛନ୍ତି । ବିଶାଖାପାଟଣାରୁ ଆସିଥିବା ତିନୋଟି ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ସାହଦ୍ରୀ, ଆଇଏନ୍‌ଏସ୍ ଶକ୍ତି ଓ ଆଇଏନ୍‌ଏସ୍ ସିବାଲିକ୍‌ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ । ସମୁଦ୍ରରେ ୧୦୦ କିଲୋମିଟର ବୁଲି ବୁଲି ନୌସେନାର ସାହସିକତା ଦେଖିଥିଲେ ଜନପ୍ରତିନିଧି ।

ବିଧାୟକଙ୍କ ଗସ୍ତକୁ ନେଇ ପାରାଦୀପ ଚଳଚଞ୍ଚଳ ଥିବା ବେଳେ ଦେଶର ଇଣ୍ଡୋ-ପାକ ଯୁଦ୍ଧର ସ୍ମାରକୀ” ବିଜୟ ଉତ୍ସବ ” ରେ ସାମିଲ ହୋଇ ନୌସେନାର ଶକ୍ତି, କୌଶଳ ଓ ଯୁଦ୍ଧ ନିପୁଣତାକୁ ଅତି ନିକଟରୁ ଦେଖି ଆତ୍ମ ବିଭୋର ହୋଇଛନ୍ତି ଜନନେତା । ଏଭଳି ଏକ ନିଆରା ସୁଯୋଗ ଦେଇଥିବାରୁ ନୌସେନା ଓ ଜଗତସିଂହପୁର ପ୍ରଶାସନକୁ ସେମାନେ ଧନ୍ୟବାଦ ଦେଇଛନ୍ତି ।

Leave a Reply