ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସୂଚନା ପାଇଁ ଜାରି ହେଲା ୧୦୪ ହେଲପ୍‌ଲାଇନ୍‌ ନମ୍ବର

1 min read

ଭୁବନେଶ୍ୱର : ଏଣିକି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯାହାବି ସୂଚନା ଦରକାର ଆଉ ରୋଗୀ କିମ୍ୱା ସେମାନଙ୍କର ପରିବାର ଲୋକଙ୍କୁ ଏ ନେଇ ହଇରାଣ ହେବାକୁ ପଡ଼ିବ ନାହିଁ । କାରଣ ଆଜିଠାରୁ ଜନସାଧାରଣଙ୍କ ପାଇଁ ଖୋଲିଛି ୧୦୪ ହେଲପ୍‌ଲାଇନ୍‌ ନମ୍ବର । ଏହାଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ଉପଲବ୍ଧ ହେବ । ରାଜ୍ୟ ସରକାରଙ୍କ ସହାୟତାରେ ଜିକିତ୍ସା ହେଲଥକେୟାର ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି । ୧୦୪କୁ ଡାଏଲ କରି ରୋଗୀ ଏବଂ ରୋଗ ବିଷୟରେ ସଂପୂର୍ଣ୍ଣ ତଥ୍ୟ ପାଇପାରିବେ ଲୋକେ । ପୂର୍ବରୁ ଜିିକିତ୍ସା ୧୦୮ ପରିଚାଳନା କରୁଥିବା ବେଳେ, ଆଜିଠାରୁ ୧୦୪ କଲସେଣ୍ଟରର ଦାୟିତ୍ୱ ମଧ୍ୟ ଚିକିତ୍ସା ହେଲଥକେୟାର ନେଇଛି ।

ତେବେ କେଉଁ ରୋଗୀଙ୍କୁ କେଉଁଠି କରିବେ ଚିକିତ୍ସା ? ଗର୍ଭବତୀ ମହିଳାଙ୍କ ପାଇଁ ରାଜ୍ୟ ସରକାର କି କି ଯୋଜନା କରିଛନ୍ତି ? ମା’ ଓ ଶିଶୁଙ୍କୁ କେମିତି ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇବେ ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେମିତି ହେବେ ସାମିଲ ? କେଉଁ କେଉଁ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା କରାଯାଉଛି ? କେଉଁଠି ରହିଛି ରକ୍ତ ଭଣ୍ଡାରର ସୁବିଧା ? କେଉଁ କେଉଁ ଔଷଧ ମାଗଣାରେ ମିଳୁଛି ? ଜରୁରୀ କାଳିନ ପରିସ୍ଥିତିରେ କେମିତି କରିବେ ଡାକ୍ତରୀ ଚିକିତ୍ସା? ଏସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଡାଏଲ କରନ୍ତୁ ୧୦୪ ଟୋଲ ଫ୍ରି ନମ୍ବର । ଏହି ନମ୍ବର ଆଜିଠାରୁ କାର୍ଯ୍ୟକାରୀ ହୋଇଛି । କଲସେଣ୍ଟର ସମେତ ଏଠାରେ ସ୍ୱତନ୍ତ୍ର ଡାକ୍ତର ନିଯୁକ୍ତ ହୋଇଛନ୍ତି ।

୧୦୪ ସହାୟତା ନମ୍ବର ଖୋଲିବା ପରେ ଶହ ଶହ କଲ ଆସିବା ଆରମ୍ଭ ହୋଇଛି । କିଏ ରୋଗର ନିରାକରଣ ପାଇଁ ଫୋନ୍‌ କରିଛି ତ କିଏ ରକ୍ତ ଭଣ୍ଡାର ବିଷୟରେ ଜାଣିବା ପାଇଁ ଫୋନ୍‌ କରିଛି । ଆଉ କିଏ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜାନା ସମ୍ବନ୍ଧରେ ପଚାରି ବୁଝିଛନ୍ତି । ଡାଇବେଟିସ୍‌, ବ୍ଳଡ ପ୍ରେସର ଏବଂ କ୍ୟାନସର ରୋଗୀଙ୍କ ଫୋନ୍‌ କଲ ବେସି ଆସୁଥିବା ଜଣାପଡିଛି । କିଛି ସାଧାରଣ ରୋଗୀ ଡାକ୍ତରଙ୍କ ପରାମର୍ଶ ମଧ୍ୟ ଫୋନ୍‌ ମାଧ୍ୟମରେ ନେଇଛନ୍ତି । ୧୦୪ କଲସେଣ୍ଟରରେ ୨୪ ଘଣ୍ଟିଆ ସେବା ହୋଇଛି । ଏହି କଲ୍ ସେଣ୍ଟରରେ ଏକା ଥରରେ ୨୫ଟି କଲ ରିସିଭ୍‌ କରିବାର ବ୍ୟବସ୍ଥା ରହିଛି । ')}

Leave a Reply