କରୋନା ବିରୋଧରେ ଲଢ଼େଇ ନେଇ ୧୦୦ ଦିନର କାର୍ଯ୍ୟପନ୍ଥା ପ୍ରସ୍ତୁତ କଲେ ବାଇଡେନ୍

ଓ୍ୱିଲମିଙ୍ଗଟନ୍: ଆଗାମୀ ୧୦୦ ଦିନ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ । ଏଥିରେ ସେ ୩ଟି କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି । ସେଗୁଡ଼ିକ ହେଲା ମାସ୍କିଂ, ଟିକାକରଣ ଓ ଶିକ୍ଷାନୁଷ୍ଠାନ ଖୋଲିବ । ଟିକାକରଣ କାର୍ଯ୍ୟକ୍ରମ ମଧ୍ୟରେ ସେ ପ୍ରଥମ ୧୦୦ ଦିନରେ ଅନୁନ୍ୟ ୧୦ କୋଟି ଲୋକଙ୍କ ଟିକାକରଣ ନେଇ ଲକ୍ଷ୍ୟ ରଖିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବାର ୧୦୦ ଦିନ ମଧ୍ୟରେ ଏହି କାର୍ଯ୍ୟ କରିବେ ବୋଲି ଏକ ଆମେରିକୀୟ ନ୍ୟୁଜ ଏଜେନ୍ସିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଜୋ ବାଇଡେନ୍ ।

ଭୂତାଣୁର ଭୟ ମଧ୍ୟରେ ଆମେରିକାରେ ବସବାସ କରିବା ଅଧିକ ନିରାପଦ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଆମେରିକାର ବରିଷ୍ଠ ସଂକ୍ରମଣ ରୋଗ ବିଶେଷଜ୍ଞ ଡ. ଏନ୍ଥୋନୀ ଫାଉସିଙ୍କ ଆଲୋଚନା ପରେ ସେ ଏ ନେଇ ପ୍ରସ୍ତୁତି କରିଥିବା କହିଛନ୍ତି ।

            ମାସ୍କିଂ ନେଇ ସେ କହିଛନ୍ତି ଯେ, ଗୋଟିଏ ଦସ୍ତଖତ ପରେ ଏହା ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଫେଡ୍ରାଲ ବିଲ୍ଡିଂ, ଆନ୍ତଃରାଜ୍ୟ ଭ୍ରମଣ, ବିମାନ, ଟ୍ରେନ୍ ଓ ବସ୍ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ । ଏହାର କାର୍ଯ୍ୟକାରୀ ନେଇ ସେ ବିଭିନ୍ନ ରାଜ୍ୟର ଗଭର୍ଣ୍ଣର ଓ ମେୟରଙ୍କ ସହ ଯୋଗାଯୋଗରେ ଥିବା କହିଛନ୍ତି ।

ସେହିଭଳି ସ୍କୁଲ ଖୋଲିବାକୁ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ଭାବେ ବିବେଚନା କରିଛନ୍ତି ଜୋ  ବାଇଡେନ । ଏବଂ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନ ଶେଷ ସୁଦ୍ଧା ସ୍କୁଲ ଖୋଲାଯିବ ବୋଲି ସେ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଏଯାବତ୍ ଆମେରିକାରେ ମୋଟ ୧ କୋଟି ୫୧ଲକ୍ଷ ୭୧ହଜାର ୬୭୬ କରୋନା ସଂକ୍ରମିତ ହୋଇସାରିଥିବା ବେଳେ ୨ ଲକ୍ଷ ୮୬ ହଜାର ୩୦୭ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply