ପ୍ରଧାନମନ୍ତ୍ରୀ ଭୂମି ପୂଜାରେ ଯୋଗଦେବା ପୂର୍ବରୁ ,ରାମ ମନ୍ଦିର ପୂଜକ ହେଲେ କରୋନା ପଜିଟିଭ୍ !

1 min read

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ବଡ଼ ଖବର ସାମ୍ନାକୁ ଆସିଛି । ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜାର ପ୍ରସ୍ତୁତି ଚାଲିଥିବାବେଳେ କାର୍ଯ୍ୟରେ ବାଧା ସୃଷ୍ଟି କରିଛି କରୋନା ।  ଅଯୋଧ୍ୟାରେ ସାଧୁ-ସନ୍ଥଙ୍କ ସମେତ ରାମ ଜନ୍ମଭୂମିର ସୁରକ୍ଷା ପାଇଁ ଲାଗିଥିବା ସୁରକ୍ଷାକର୍ମୀଙ୍କୁ ମଧ୍ୟ କରୋନା ହୋଇଥିବା ସୂଚନା ମିଳିଛି । ତାଜା ଖବର ରହିଛି ଯେ, ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାଶ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ପ୍ରଧାନ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାଶଙ୍କ ଶିଷ୍ୟ ଅଟନ୍ତି । ପ୍ରଦୀପ ଦାଶ ମଧ୍ୟ ସତ୍ୟେନ୍ଦ୍ର ଦାଶଙ୍କ ସହିତ ରାମ ଜନ୍ମଭୂମିରେ ପୂଜା କରନ୍ତି । ଜଣାଇ ରଖୁଛୁ ଯେ, ରାମ ଜନ୍ମଭୂମିରେ ପ୍ରଧାନ ପୂଜାରୀଙ୍କ ସହିତ ୪ ଜଣ ପୂଜାରୀ ରାମ ଲଲ୍ଲାଙ୍କ ସେବା କରନ୍ତି ।

ରାମ ଜନ୍ମଭୂମିର ସୂରକ୍ଷା କାର୍ଯ୍ୟରେ ଥିବା ୧୬ ପୋଲିସକର୍ମୀ କରୋନା ପଜିଟିଭ

ବର୍ତ୍ତମାନ କରୋନା ପଜିଟିଭ ରିପୋର୍ଟ ଆସିବା ପରେ ପୂଜାରୀ ପ୍ରଦୀପ ଦାଶ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଅନ୍ୟପଟେ ରାମ ଜନ୍ମଭୂମିର ସୁରକ୍ଷାରେ ଲାଗିଥିବା ୧୬ ପୋଲିସକର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାପରେ ଅଞ୍ଚଳରେ କ୍ଷୟର ବାତାବରଣ ରହିଛି ।

ଅଗଷ୍ଟ ୫ରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜଣାଇ ରଖୁଛୁ ଯେ, ଅଗଷ୍ଟ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଆସିବେ । ପିଏମ୍ ମୋଦି ରାମ ମନ୍ଦିରର ଭୂମି ପୂଜା କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହିତ ଦେଶର ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ରହିବେ । ଏହି ଭୂମି ପୂଜା କାର୍ଯ୍ୟକ୍ରମର ଭବ୍ୟତା ଏବଂ ପ୍ରଚାରରେ ରାମମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟ କୌଣସି ମଉକା ହାତଛଡ଼ା କରିନାହିଁ ।

ଅଯୋଧ୍ୟାରେ କଡ଼ାକଡ଼ି ହେଉଛି ସୁରକ୍ଷା ବ୍ୟବସ୍ଥା

ଜଣାଇ ରଖୁଛୁ ଯେ, ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଆଗମନ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପରିଚୟ ପତ୍ର ଦେଖାଇଲେ ଅଯୋଧ୍ୟା ଧାମରେ ଲୋକମାନଙ୍କୁ ପ୍ରବେଶ ମିଳୁଛି । ଅଯୋଧ୍ୟା ଧାମକୁ ୭ଟି ଜୋନରେ ବିଭକ୍ତ କରାଯାଇଛି । ଏହି ଅବସରରେ ସମସ୍ତ ପ୍ରବେଶ ମାର୍ଗରେ କଡ଼ାକଡ଼ି ଚେକିଂ ଚାଲିଛି ।

 

ଦୁଇଟି ୱାଟରପ୍ରୁଫ ପଣ୍ଡାଲ ଏବଂ ଗୋଟିଏ ସୁସଜ୍ଜିତ ମଞ୍ଚ ପ୍ରସ୍ତୁତ ହେବ

ରାମ ମନ୍ଦିର ଭୂମି ପୂଜନ ପାଇଁ ରାମ ଜନ୍ମଭୂମି ପରିସରରେ ପଣ୍ଡାଲ ପ୍ରସ୍ତୁତ କରିବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସୂଚନା ଅନୁୟାୟୀ, ୨ଟି ୱାଟରପ୍ରୁଫ ପଣ୍ଡାଲ ତିଆରି କରାଯାଉଛି । ଏଥିରେ ଏକ ଛୋଟ ମଞ୍ଚ ମଧ୍ୟ ପ୍ରସ୍ତୁତ କରାଯିବ ।  ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ର ଯୋଗୀ ଆଦିତ୍ୟନାଥ, ସଙ୍ଘ ପ୍ରମୁଖ ମୋହନ ଭଗବତ, ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଉପସ୍ଥିତ ରହିବେ ।  ଅନ୍ୟପଟେ ସଂସ୍କୃତି ବିଭାଗ ପରିସରରେ ପ୍ରଦର୍ଶନୀ ଲଗିବ ନାହିଁ । ସାମାଜିକ ଦୂରତା ରକ୍ଷା କରି ପଣ୍ଡାଲ ପାଖରେ ଚଉକି ରଖାଯିବ ।

Leave a Reply