ଜୁଲାଇରେ ମହଙ୍ଗା ମାଡ଼, ଖାଉଟିଙ୍କ ପକେଟ ଉପରେ ପଡ଼ିବ ଭାରି…

1 min read

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ସାରା ଦେଶରେ ଅନଲକ୍ -୨ ଆରମ୍ଭ ହୋଇଯାଇଛି । ଅନ୍‌ଲକ୍‌ ୨ ଆରମ୍ଭ ହେବା ସହ ଜୁଲାଇ ମାସ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ମାସ ବୋଲି କୁହାଯାଉଛି । ନାଗରିକଙ୍କ ଉପରେ ଦର ଦାମ୍‌ ବୋଝ ବଢ଼ିଯିବ ବୋଲି କୁହାଯାଉଛି । ସାଧାରଣ ଲୋକଙ୍କ ଆବଶ୍ୟକତା ସହିତ ଜଡିତ ଅନେକ ନିୟମ ଜୁଲାଇ ଆରମ୍ଭରୁ ବଦଳି ଯାଇଛି । ଏଲପିଜି ମୂଲ୍ୟ ବୃଦ୍ଧି ସାଙ୍ଗକୁ ଅନେକ କ୍ଷତ୍ରରେ ଖାଉଟି ସାମଗ୍ରୀ ମହଙ୍ଗା ହୋଇଥିବା ଜଣାପଡ଼ିଛି । ଯାହାକି କରୋନା ମାହାମାରୀ‌ ସମୟରେ ସାଧାରଣ ଖାଉଟିଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ।

କେନ୍ଦ୍ରରୁ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ସିଲିଣ୍ଡର ପିଛା ୧ ଟଙ୍କା ବୃଦ୍ଧି କରଯାଇଥିବା ବେଳେ ତାହା ଖାଉଟିଙ୍କ ପାଖରେ ସ୍ଥାନୀୟ ସରକାରଙ୍କ ଟିକସ ମିଶି ୪ ଟଙ୍କା ବୃଦ୍ଧିରେ ପହଞ୍ଚୁଛି । ଖାଲି ଗ୍ୟାସ୍‌ ସିଲିଣ୍ଡର କଥା ନୁହେଁ ଅନ୍ୟ କ୍ଷତ୍ରରେ ମଧ୍ୟ ମହଙ୍ଗା ମାଡ଼ ହୋଇଥିବା ଦେଖିବାକୁ ମିଳିଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଆକାଉଣ୍ଟରେ ସୁଧହାର ୦.୫୦ ପ୍ରତିଶତ ହ୍ରାସ କରାଯାଇଛି । ଏହି ନୂତନ ହାର ଜୁଲାଇ ପହିଲାରୁ ଲାଗୁ ହୋଇଛି ।

ଅନ୍ୟପଟେ ଜୁଲାଇ ୧ ରୁ ମାଗଣା ଏଟିଏମ୍‌ କାରବାରର ସୁବିଧା ମଧ୍ୟ ଶେଷ ହୋଇଛି । କରୋନା ମହାମାରୀ କାରଣରୁ ବ୍ୟାଙ୍କ ଗ୍ରହାକଙ୍କ ପାଇଁ ଏପ୍ରିଲ୍, ମେ ଏବଂ ଜୁନ୍ ମାସରେ ଏଟିଏମ୍ କାରବାର ସମ୍ପୂର୍ଣ୍ଣ ମାଗଣା କରାଯାଇଥିଲା । ଗ୍ରାହକଙ୍କୁ ଯେକୌଣସି ଏଟିଏମ୍‌ ବ୍ୟବହାର କଲେ ମଧ୍ୟ କୌଣସି ଦେୟ ଦେବାକୁ ପଡ଼ୁ ନଥିଲା । କିନ୍ତୁ ବର୍ତ୍ତମାନ ଅନ୍ୟ ଏକ ବ୍ୟାଙ୍କର ଏଟିଏମରୁ କେବଳ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଥର ଟଙ୍କା ଉଠାଯାଇପାରିବ । ଏହି ସଂଖ୍ୟା ପାର୍‌ ହେଲେ ଚାର୍ଜ ଲାଗିବ ।

ବର୍ତ୍ତମାନ ସମୟରେ ଆପଣ ଯଦି କୌଣସି ମ୍ୟୁଚୁଆଲ୍ ଫଣ୍ଡ କିଣୁଛନ୍ତି, ତେବେ ଆପଣଙ୍କୁ ୦.୦୦୫% ଷ୍ଟାମ୍ପ୍‌ ଡ୍ୟୁଟି ଦେବାକୁ ପଡିବ । ଏହି ଦେୟକୁ ସମସ୍ତ ପ୍ରକାରର ମ୍ୟୁଚୁଆଲ୍ ଫଣ୍ଡ ଉପରେ ଲାଗୁ କରାଯାଇଛି । ଆପଣ ଡେଟ୍‌ ମ୍ୟୁଚୁଆଲ୍ ଫଣ୍ଡ କିଣନ୍ତୁ କିମ୍ବା ଇକ୍ୱିଟି ମ୍ୟୁଚୁଆଲ୍ ଫଣ୍ଡ କିଣନ୍ତୁ ସବୁ କ୍ଷେତ୍ରରେ ଏହି ଦେୟ ଦେବାକୁ ପଡ଼ିବ ।

ଏହାର ସର୍ବାଧିକ ପ୍ରଭାବ ଡେଟ୍‌ ପାଣ୍ଠି ଉପରେ ଦେଖାଯିବ । ଯଦି ଆପଣ ଏକ ମ୍ୟୁଚୁଆଲ୍ ଫଣ୍ଡ ୟୁନିଟ୍ ସ୍ଥାନାନ୍ତର କରୁଛନ୍ତି, ତେବେ ଆପଣଙ୍କୁ ତିନି ଗୁଣା ଅଧିକ ଷ୍ଟାମ୍ପ ଡ୍ୟୁଟି ଅର୍ଥାତ୍ ୦.୦୧୫% ଦେବାକୁ ପଡିବ । ଅନ୍ୟପଟେ ଅଧିକାଂଶ ଘରୋଇ ଏବଂ ସରକାରୀ ବ୍ୟାଙ୍କ ପୁଣି ଥରେ ସର୍ବନିମ୍ନ ଚାର୍ଜ ଲାଗୁ କରିବେ ।

ସେହିଭଳି ବିମାନ ଇନ୍ଧନ ଏବଂ ଏଟିଏଫ ମୂଲ୍ୟରେ ୭.୫ ପ୍ରତିଶତ ବୃଦ୍ଧି ଘଟିଛି । ଗତ ଏକ ମାସ ମଧ୍ୟରେ ଏଟିଏଫ୍ ମୂଲ୍ୟ ତିନି ଥର ବୃଦ୍ଧି ଘଟି ସାରିଛି । ଏଭଳି ପରିସ୍ଥିତିରେ, ଏହି ନୂତନ ବୃଦ୍ଧି ପରେ ଆଗାମୀ ଦିନରେ ବିମାନ କମ୍ପାନୀଗୁଡିକ ବିମାନ ଟିକେଟର ମୂଲ୍ୟ ବୃଦ୍ଧି କରିବାର ସମ୍ଭାବନା ରହିଛି।

Leave a Reply