ବଡ଼ ପୁଅ ଚାଲିଗଲା ବୋଲି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲା ପୁରା ପରିବାର…

ଝାରସୁଗୁଡ଼ା: ପୁଅକୁ ହରାଇ ଭାଙ୍ଗି ପଡିଲା ପୁରା ପରିବାର । ମା’ ସହ ୩ ଭଉଣୀ ଓ ସାନ ଭାଇର ଆତ୍ମହତ୍ୟା ଉଦ୍ୟମ । ମୋ ବଡ଼ ପୁଅତ ମରିଗଲା ମୁଁ ଆଉ କାହା ପାଇଁ ବଞ୍ଚିବି । ଆମ ବଡ଼ ଭାଇ ଚାଲିଗଲା, ଆମେ ବି ତାଙ୍କ ପାଖକୁ ଚାଲିଯିବୁ । ଏଭଳି ଭାବନାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପୁରା ପରିବାର । ବଡ଼ ପୁଅର ମୃତ୍ୟୁ ପରେ ଏଭଳି ପ୍ରାଣ ହାରିବାକୁ ଚେଷ୍ଟା କରିଛି ପୁରା ପରିବାର । ହେଲେ ଦଇବଙ୍କ ଲେଖନୀରେ ବୋଧେ  କିଛି ଅଲଗା ଲେଖା ଥିଲା । ବିପଦ ମୁହଁରୁ ଉଦ୍ଧାର କରି ସମସ୍ତ ଜୀବନ ବଞ୍ଚାଇବାରେ ସଫଳ ହେଲା ପୋଲିସ । ଝାରସୁଗୁଡା ବେହେରାମାଲ ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା । ଭାଇର ମୃତ୍ୟୁ ପରେ ୨ ଭଉଣୀ, ଭାଇ ଓ ମାଆ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେହିପରି ଅନ୍ୟ ଜଣେ ଭଉଣୀ ଦଉଡ଼ି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୋଲିସ ଉଦ୍ଧାର କରିଛି ।

ଝାରସୁଗୁଡା ଲହଣ୍ଡାବୁଡୁରେ ରହୁଥିଲେ ଦୀପକ ବିଶ୍ୱାଳଙ୍କ ପରିବାର । ବାପା ଗୋଲକ ବିହାରୀଙ୍କ ଦେହାନ୍ତପରେ ପୁରା ପରିବାର ଏଠାରେ ରହି ଆସୁଥିଲେ । ହସ ଖୁସିରେ ଚାଲିଥିବା ଜୀବନ । ହେଲେ ୨୦୧୮ ନଭେମ୍ବର ୨୦ରେ ପରିବାର ଉପରକୁ ମାଡ଼ି ଆସିଲା ଦୁଃଖର ସାଗର । ସଡ଼କ ଦୁର୍ଘଟଣାରେ ଦୀପକ କୋମାକୁ ଚାଲିଗଲେ । ଜିଲ୍ଲା ଚିକିତ୍ସାଳୟରୁ ରାଜଧାନୀ, ସବୁଠି ଚାଲିଲା ଚିକିତ୍ସା । ଦୁଇ ବର୍ଷର ଚିକତ୍ସା, ୩୦ ଲକ୍ଷ ଖର୍ଚ୍ଚ ପରେବି ସୁସ୍ଥ ହେଲେନି ଦୀପକ । ଗତ ସୋମବାର ସେ ଆରପାରିକୁ ଚାଲିଗଲେ । ଦୀପକଙ୍କ ଦେହାନ୍ତରେ ହିତାହିତ ଜ୍ଞାନ ଭୁଲି ବିଷ ଓ ଦଉଡି ସାହାର୍ଯ୍ୟରେ ଜୀବନ ହାରିବାକୁ ଚେଷ୍ଟା କଲେ ମା’ ପୁଷ୍ପବତୀ, ସାନ ପୁଅ ଶ୍ରୀକାନ୍ତ ଓ ଦୁଇ ଝିଅ ପିଙ୍କି ଓ ବନ୍ଦିତା ।

ପଡ଼ୋଶୀଙ୍କ ଠାରୁ ସୂଚନା ପାଇବା ପରେ ପୁରା ପରିବାରକୁ ଉଦ୍ଧାର କରିଥିଲା ପୋଲିସ । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳ ଜଣକର ଅବସ୍ଥା ଗରୁତର ରହିଛି । ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ପୋଲିସ ଓ ସାଇଣ୍ଟିଫିକ୍‌ ଟିମ ଘଟଣା ସ୍ଥଳରେ ତଦନ୍ତ ଚଳାଇଛି ।

Leave a Reply